ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ହସେ ଗୁପ୍‌ଚୁପ୍ କାନ୍ଦେ ଇଟିଲି

ହସେ ଗୁପ୍‌ଚୁପ୍ କାନ୍ଦେ ଇଟିଲି

     

                 ଅପର୍ତ୍ତି ସେଠୀ

                       (ରମ୍ୟ ରଚନା)
ପାର୍ବଣ ଆସୁଛି ଇଟିଲି କାନ୍ଦୁଛି
       ଗୁପ୍‌ଚୁପ୍ ହସୁଅଛି,
ଆଖି ମାରିମାରି ଦହିବରା କିନ୍ତୁ
       ସୁନ୍ଦରୀଙ୍କୁ ଡାକୁଅଛି।
ଇଟିଲି କହୁଛି ଗୁପ୍‌ଚୁପ୍ ଭାଇ
       କଥା ପଦେ ଶୁଣିବୁକି ,
କପାଳଟା ମୋର ସବୁଦିନେ ଫଟା
       ମିଳିଲାନି ଟିକେ ଶାନ୍ତି।
ଫୁଟ୍‌ପାଥ୍‌ କଡ଼ ଝୁମ୍ପୁଡି‌ ଦୋକାନୀ
       ଥାଳୀରେ ମୁଁ ଶୁଖୁଥାଏ,
କେତେବେଳେ କୋଉ ଶସ୍ତା ମଫସଲି‌
       ମୋତେ ଆସି କିଣିଖାଏ।
କଳା ପଡ଼ିଥିବା ପାନଖିଆ ଦାନ୍ତେ
       ଯେବେ ସେ ଚୋବ‌ଉ ଥାଏ,
ସତେ କି ବଳଦ କୁଣ୍ଡା ପାକୁଳୁଛି
       ସେହିଭଳି ଲାଗୁଥାଏ।
ଧନ୍ୟ ଗୁପ୍‌ଚୁପ୍‌ ଧନ୍ୟ ତୋର ଜନ୍ମ
       କାଚ ବାକ୍ସରେ ତୁ ଅଛୁ,
ଖରା କି ପବନ ତୋ ଦେହେ ବାଜୁନି
        ବାବୁଆଡ୍ଡା‌ କରୁଅଛୁ।
ତେଲଙ୍ଗାଟୋକାରଠେଲାଗାଡିପାଖେ
        ତୋ ପାଇଁ ହଜାରେ ଝିଅ,
ଲାଇନ୍ ଲଗାନ୍ତି ତୋତେ ଖାଇବାକୁ
        ତୁଦେଖୁ ତାଙ୍କରି ମୁହଁ।
ଖଲିପତ୍ର ଖିଲ ଧରି ଝିଅମାନେ
        ଲଭ୍‌ ଷ୍ଟୋରୀ‌ ଗପୁଥାନ୍ତି,
ଟାକୁଟାକୁ‌କରିଗୋଟାଗୋଟା ତୋତେ
        ଓଠଚାପି‌ ଦାବୁଥାନ୍ତି‌।
କଲେଜ ପଢାର କୋର୍ସ‌ରେ ବୋଧେ
        ଗୁପ୍‌ଚୁପ୍‌ ଖିଆ ଅଛି,
ନ ହେଲେ କଲେଜ ଝିଅଙ୍କର କାହିଁ
       ତୋ ପାଖେ‌ ଭିଡ଼ ଜମୁଛି?
ସୁନ୍ଦରୀଙ୍କ ପାଟି ଭିତରେ ତୁହିରେ
       ସ୍ବର୍ଗସୁଖ ଲାଭ କରୁ,
ମନେ ମନେ ତୁହି ସୁନ୍ଦରୀ ଝିଅଙ୍କୁ
       ଭାବିଭାବି‌ ପ୍ରେମ କରୁ।
ହୋଇଥାନ୍ତି ଯଦି ଦହିବରା ମୁହିଁ
       ଝିଅ ମନ ନେଇଥାନ୍ତି,
ନ ହେଲେ କି ଚାଟ୍ ଚାଉଁମିନ୍ ହୋଇ
       ମନେ ଖୁସି ହୋଇଥାନ୍ତି।
ଯଦି ମେଗି ପିଜା ପେଟିସ୍ ହୁଅନ୍ତି
        ଝିଅଙ୍କ ଆଦର ଥାନ୍ତା,
ଚୁସ୍କି‌ଆଇସ୍‌କ୍ରୀମ୍ଚକୋଲେଟ୍ ହେଲେ
        ମନ ମୋର ବୁଝିଥାନ୍ତା‌।
ଝିଅଙ୍କ ପରଶ ପାଇବାକୁ ମୋର
       ଏ ଜନ୍ମରେ ଭାଗ୍ୟ ନାହିଁ,
ଗୁପ୍‌ଚୁପ୍‌ ଭାଇରେ‌ ଆଜିକା ଯୁଗରେ
       ଏକା ଭାଗ୍ୟବାନ ତୁହି।
ଖଟାପାଣି‌ ପାଇଁ ଗୁପ୍‌ଚୁପ୍ ଭାଇ
        ଡିମାଣ୍ଡ ତୋ ବଢୁଅଛି,
କଲେଜ ଝିଅଙ୍କୁ ବାଇଆ କରୁଛୁ
        ମୋ ଦିହ କି ସହୁଅଛି‌।
ଅପର୍ତ୍ତି କହୁଛି ଇଟିଲି ଭାଇରେ‌
        ମନଦୁଃଖ କର ନାହିଁ,
ଷ୍ଟାଇଲି ମାରିବା ଝିଅଙ୍କ ଲକ୍ଷଣ
        ଗୁପ୍‌ଚୁପ୍‌ ଖାଇଖାଇ।
ବିରି ଚାଉଳର ଇଟିଲିରୁ ପରା
       ଯେଉଁ ଶକ୍ତି ଦେହେ ହେବ,
ପାଟି ସୁଆଦିଆ‌ ଗୁପ୍‌ଚୁପ୍‌ଠାରୁ
       ସେ ଲାଭ କାହୁଁ ମିଳିବ?

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା,

 

Related posts

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ମେଘ ମାଳା

Sunil Chandra Nayak

ସମ୍ବାଦ ସାହିତ୍ୟ ଘରର ବସନ୍ତ ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!