ପାର୍ବଣେ ନବ ଦୁର୍ଗା
ଆସିଛି ଶରତ ହସୁଛି ଧରଣି
କାଶତଣ୍ଡି ଫୁଟିଲାଣି
ପାର୍ବଣେ ନବ ଦୁର୍ଗା ଆଗମନ
ଘୋର ଘର୍ଘର ନାଦୀନି।।
ଶୈଳପୁତ୍ରୀ ବ୍ରହ୍ମଚାରିଣୀ ନାମ ତୋ
ଭୈରବି ତୁ ଭଦ୍ରକାଳି
ଚନ୍ଦ୍ରଘଣ୍ଟା ଚନ୍ଦ୍ରକାନ୍ତି କୁଷ୍ମାଣ୍ଡା ଗୋ
ମହାମାୟୀ ମହାକାଳି।।
ସ୍କନ୍ଦମାତା କାତ୍ୟାୟନୀ ତୁ ଚର୍ଚ୍ଛିକା
ତ୍ରିନୟନା ଗିରିସୂତା
କାଳରାତ୍ରୀ ମହାଗୌରୀ ସିଦ୍ଧିଦାତ୍ରୀ
ଘନକେଶି ଛିନ୍ନମସ୍ତା।।
ଚୌଷଠି ଯୋଗିନୀ ସଙ୍ଗେ ତୋ ଭ୍ରମଣ
ଅର୍ଦ୍ଧରାତ୍ରି ରେ ତୋହର
ଅସୁର ସଂଘାରି ମହି ଉଦ୍ଧାରିଲୁ
ଧରି ତୁ ଖଣ୍ଡା ଖର୍ପର।।
ଭକତଙ୍କ ପାଇଁ ଓହ୍ଲାଇ ଆସିଛୁ
ସରଗରୁ ଧରା ଧାମେ
ସଭିଙ୍କର ଦୁଃଖି ଦୂର କରିବୁ ମା’
ସୁଖ ଭରିଦେବୁ ମନେ।।
ଭାଇ ବନ୍ଧୁ ତୁହି ସଖା ସହୋଦର
ପିତା ମାତା ରକ୍ଷାକର୍ତ୍ତା
କରୁଛି ବିନତି ଫେଡ ମା’ ଦୁର୍ଗତି
ଏତିକି ମାଗୁଛି ଭିକ୍ଷା।।
ମମତା ସାହୁ
ଗାଇଗାଁ,କଳାହାଣ୍ଡି