ଗର୍ଭଣା ସଂକ୍ରାନ୍ତି
କବିତା ଦାଶ
ଝିପି ଝିପି ଝିପି ବରଷା ଝରଇ
ବହୁଚି ଶୀତଳ ବାଆ
ସବୁଜ ଶ୍ୟାମଳ ଧାନ କିଆରୀରୁ
ଉଠେ ଠାଏ ଠାଏ ଧୂଆଁ ।
ଉଙ୍କି ମାରୁ ଅଛି ଧାନ କେଣ୍ଡା କେଣ୍ଡା
ଧଉଳୁଛି ଧାନ ଫୁଲ
ପବନରେ ଉଡି ଫୁଲର ପାଖୁଡ଼ା
ପାଣିରେ ସେ ଝଲ ମଲ ।
ଲକ୍ଷ୍ମୀ ଠାକୁରାଣୀ କରିଲେ ସୁଦୟା
ଫସଲ ହୋଇବ ଭଲ
ତାଙ୍କ ପୂଜା ଆଉ ଆରାଧନା ପାଇଁ
ଗର୍ଭଣା ସଂକ୍ରାନ୍ତି ବେଳ ।
କୃଷି ଭିତ୍ତିକ ଏ ପର୍ବ ଓଡ଼ିଶାର
ମହାଲକ୍ଷ୍ମୀ ଆମ ଧାନ
ଆଗରେ ବୁଣୁ ବା ପଛରେ ତୁ ବୁଣୁ
ଗର୍ଭଣା କୁ ଟୁଣ୍ ଟାଣ।
ସୂର୍ଯ୍ୟ ସଂକ୍ରମଣ ତୁଳା ରାଶି ପରେ
ହୋଇ ଥାଏ ଏହିଦିନ
ଧାନ ଗଛ ଗର୍ଭ ଧାରଣ ବେଳ ଏ
ତେଣୁ ଟି ଗର୍ଭଣା ନାମ ।
ଅରୁଆ ଚାଉଳ ଚିନି ନଡ଼ିଆରେ
ନେଇ ଦେଶୀ ଗାଇ କ୍ଷୀର
ନୂଆ ଆଟିକାରେ ଖିରି କରେ ଚାଷୀ
ହିଡ ମୁଣ୍ଡେ ବସି ତାର ।
ବିରି ପତରରେ ଭୋଗ ବାଢ଼ି ଦେଇ
ବିରି ଫୁଲେ କରେ ପୂଜା
ସାଥୀ ହୋଇ ବିଲେ ସେ ଖିରୀ ଖାଇବା
ସିଏ ତ ନିଆରା ମଜା ।
କିଏ ବା କରିବ ଭଲ ଖିରି ପୁଣି
ବାହା ବା ପାଇବ କିଏ
ସେଥିପାଇଁ କେତେ ପିଲାଦିନେ କଳି
ଭାଇ ଭଉଣୀ ରେ ହୁଏ ।
ଖିରୀ ଖାଇ ସାରି ଆଟିକା ବାଡ଼େଇ
ହାଣ୍ଡି ଚୂଲି ଢୋଅ ଢାଆ
ଗର୍ଭଣା ଗଛକୁ କ୍ଷେତେ ପୋତି କହେ
କୀଟ ପୋକ ଜଗି ଥା ଆ ।
ନିରାକାରପୁର
ଖୋର୍ଦ୍ଧା