ଗର୍ଭଣା ସଂକ୍ରାନ୍ତି
ଓଡ଼ିଆ ପରମ୍ପରାର ମହାନ ପର୍ବ ଗର୍ଭଣା ସଂକ୍ରାନ୍ତି ଦିନ ଜମିରେ ରୋଷେଇ କରି କ୍ଷୀରି ଇତ୍ୟାଦି କରି ଭୋଗ କରାଯାଏ । ଆମ ସଂସ୍କୃତିରେ ପରମ୍ପରା ଅନୁଯାୟୀ ଆମ ମାନଙ୍କ ଶିକ୍ଷା ତଥା ସାମଜିକ ବାର୍ତ୍ତା ବହନ ପାଇଁ ବିଭିନ୍ନ ପର୍ବ ରଖା ଯାଇଛି । ପ୍ରତି ପର୍ଵରେ କିଛି କିଛି ଲୋକ ଶିକ୍ଷା ପୁରି ରହିଛି, ଏଥିରୁ ଗର୍ଭଣା ସଂକ୍ରାନ୍ତି ଏକ ପର୍ବ | ଏହାକୁ ପାଳନ କଲେ ମନୁଷ୍ୟର ମଙ୍ଗଳ ହୋଇଥାଏ। ତାହା ଯୁକ୍ତିଭିତ୍ତିକ |
ଆଶ୍ଵିନ ମାସର ସଂକ୍ରାନ୍ତିକୁ ଗର୍ଭଣା ସଂକ୍ରାନ୍ତି କୁହନ୍ତି । ଏହା ଚାଷୀ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପର୍ଵ ଅଟେ । କାରଣକଥାରେ ଅଛି ….
“ଆଗରେ ବୁଣୁ ପଛରେ ବୁଣୁ ,ଗର୍ଭଣାକୁ ସବୁ ଟୁଣୁଟୁଣୁ ।”
ଅର୍ଥାତ ଜମିରେ ଧାନ ଆଗେ ବୁଣା ଯାଉ ବା ପଛରେ ବୁଣା ଯାଉ। ସବୁ ସେଇ ଗର୍ଭଣା ସଂକ୍ରାନ୍ତିକୁ ଗର୍ଭ ଧାରଣ କରନ୍ତି । ଏଇ ସମୟ ଧାନ ଫସଲ ପାଇଁ ବେଶ ଗୁରୁତ୍ତ୍ୱପୂର୍ଣ୍ଣ । କାରଣ ଏଇ ସମୟରେ ଧାନ ଗଛ ଗୁଡିକ ଗର୍ଭ ଧାରଣ କରି ଥିବାରୁ କୀଟ ମାନେ ଆଗ୍ରହରେ ଖାଇ ଥାନ୍ତି ।ଧାନ ଗଛର କାଣ୍ଡକୁ କାଟି ଦିଅନ୍ତି, ଯାହା ଦ୍ୱାରା ଫସଲ ହାନି ହୁଏ ।
ସେଥିପାଇଁ ଚାଷୀ ମାନେ ଏଇ ଗର୍ଭଣା ସଂକ୍ରାନ୍ତିରେ ଜମିରେ ନୁରୁଜ ବସାନ୍ତି ।ମହାଲକ୍ଷ୍ମୀଙ୍କୁ ଆବାହନ କରନ୍ତି । ନିଜର ଦୁଃଖ ଦୁର୍ଦ୍ଦଶା ବିଷୟ ଜଣାନ୍ତି ।କାମନା କରନ୍ତି ଯେ ,ଏ ବର୍ଷ କିପରି ଫସଲ ଭଲ ହେଉ ।
ନୁରୁଜ ଅର୍ଥ -ରୋଷେଇ କରିବା ପାଇଁ , ଜମିର ହିଡ ଉପରେ ଚୁଲି କରାଯାଏ । ନିଆଁ ବି ଲଗାଯାଏ । ହିଡ ଗୁଡିକ ଓଦା ଥିବାରୁ ପ୍ରଥମରେ ଖାଲି ଧୁଆଁ ହୁଏ । ଜମିରେ ଥିବା କୀଟକୁ ନାଶ କରିବାରେ ସହାୟକ ହୁଏ । ଏଇ ଧୁଆଁ ଧାନ ଫସଲ ପାଇଁ କୀଟ ଗୁଡିକୁ ତଡି ଥାଆନ୍ତି ଅବା ମାରି ଥାଆନ୍ତି। ଧୁଆଁ ପ୍ରଭାଵରେ କୀଟ ଗୁଡିକ ଧାନ ଗଛରୁ ଦୁରେଇ ଯାଆନ୍ତି । ଶେଷରେ ସେ ପାଉଁଶକୁ ବିଲରେ ପକାଯାଏ, ଯାହା କୀଟ ନାଶକ ଓ ବଳ ବର୍ଦ୍ଧକ ରୂପେ ବ୍ୟବହୃତ ହୁଏ ।
ଚିତ୍ତ ରଂଜନ ନନ୍ଦ
କଟକ