କବିର ପ୍ରଶ୍ନ
କୈଳାସ ଚ଼ନ୍ଦ୍ର ପାଢ଼ୀ
ତମେକି ଦେଖିଛ ବନ୍ଧୁ !
ଆକାଶର ଶୂନ୍ୟ-ବଳୟରେ
ମହା ବଳୀୟାର ଏକ
କ୍ରାନ୍ତିକାରୀ ଝଡ଼ର-ଇଗଲ୍
ଏ ପ୍ରାନ୍ତରୁ ସେ ପ୍ରାନ୍ତର ଯାଏଁ
ଡେଣା ଝାଡି଼ କରିବାର
ସଦର୍ପେ ସଂଚାର ?
ତମେକି ଦେଖିଛ ବନ୍ଧୁ !
ତାର ସେହି ଦିଗନ୍ତ-ପ୍ରସାରି
ପକ୍ଷର-ଛାୟାରେ
ଲୁଚ଼ିଯାନ୍ତି ଚ଼ନ୍ଦ୍ର ସୂର୍ଯ୍ୟ
ଲୁଚିଯାନ୍ତି ତାରକା ମଣ୍ଡଳୀ
ଘନଘୋର ଅନ୍ଧକାରେ ଏକାକାର
ଏ ସଚ଼ରାଚ଼ର
ଅଣ୍ଡାଳିବା ସାର ହୁଏ ବଞ୍ଚିବାର
ସଂକୀର୍ଣ୍ଣ ଦେହଳୀ
ତୁମେ କି ଜାଣିଛ ବନ୍ଧୁ !
ସେ ଅନ୍ଧାରେ ହଜିଯାଏ
ସୃଷ୍ଟିର-ବୈଚି଼ତ୍ର୍ୟ
ହଜିଯାଏ ଜୀବନର ଯେତେ ସବୁ
ଫୁଲଫୁଟା ଋତୁଙ୍କର ଚ଼ିତ୍ର
ଭାସିଆସେ ଦୂରୁ ବହୁଦୂରୁ
ଅଜଣା ସହରୁ
ଅସ୍ପଷ୍ଟ ଅସ୍ପଷ୍ଟ ସୁରେ
କାହାରସେ ବିଷାଦସଂଗୀତ ??
କି ଗୀତ ଗାଉଛି ସିଏ
କାହିଁକି ବା ସେ ପକ୍ଷୀ ଉଡ଼ୁଛି
ପ୍ରୀତିଝରା-ତରଙ୍ଗିଣୀ-ବୁକେ
ପ୍ରଳୟର ଉଜାଣି ବହୁଛି।
କାହିଁକି ଏ ବ୍ୟତିକ୍ରମ
କାହିଁକି ବା ଏତେସବୁ ଅଘଟଣ
ଘଟି ଯାଉଅଛି
ବୁଦ୍ଧି ଆଉ ଜ୍ଞାନ ବଳେ
ମଣିଷ ତ ଦେବତା ସାଜିଛି
ଏତେବେଳେ ଶୋଇଶୋଇ
ଅନ୍ଧ ମୁହାଁଣୀରେ
ସିଏ କ’ଣ ସପନ ଦେଖୁଛି
କୁହବନ୍ଧୁ !
ବିଷାଦ-ଋତୁରେ ବସି
କବି ଟିଏ ପ୍ରଶ୍ନ ପଚାରୁଛି ।।
କୁମାର ପୁର।ଅନନ୍ତ ପୁର।
ବାସୁଦେବ ପୁର।ଭଦ୍ରକ।