ଜୟପାଟଣା:୧୭/୧୦ ଓଡିଶା ସରକାର ତାଙ୍କ ଶାଶନରେ ରାଜ୍ୟ ସମୃଦ୍ଧିଶାଳୀ ହୋଇଥିବା କଥା ଡିଣ୍ଡିମ ପିଟୁଥିବା ବେଳେ ତୃଣମୂଳ ସ୍ତରରେ ଜନସାଧାରଣ କାମଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଛନ୍ତି । କାଳାହାଣ୍ଡି ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଜିଲ୍ଲାର ଅଧିକାଂଶ ଯୁବପିଢି ବେରୋଜଗାର ହୋଇ ଦାଦନ ଖଟିବାକୁ ଯାଉଛନ୍ତି ସତ କିନ୍ତୁ ଫେରିବା ସମୟରେ କେହି କେହି ଶବ ହୋଇ ଫେରୁଛି ତ ଆଉ କିଏ ମାଲିକଙ୍କ ଠାରୁ ଅକଥନୀୟ ନିର୍ଯାତନାର ଶିକାର ହୋଇ ଖଟୁଥିବା ବେଳେ ଆଉ କେହି କେହି ନିଖୋଜ ମଧ୍ୟ ହେଉଛନ୍ତି । ଆଉ ଏହିଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ଜୟପାଟଣା ଥାନା ଅନ୍ତର୍ଗତ, ରେଙ୍ଗାଲପାଲି ଗ୍ରାମରେ । ସୂଚନା ଅନୁଯାଇଏହି ଗ୍ରାମର ୫ଜଣ ଯୁବକ ଅର୍ଜୁନ ନାଗ,ଲିଙ୍ଗରାଜ ମାଝୀ, ପ୍ରେମଲାଲ ବାଣୁଆ,କୋକିଳ କଣ୍ଟା,ଦେବା ବାଣୁଆଙ୍କୁ ଲଡୁଗାଁର ଜଣେ ବ୍ୟକ୍ତି ସୁଦୂର ତେଲେଙ୍ଗାନାର ରାମପୁରମ ,ଥାନା ଇନ୍ଦୁଲବାଲିି ,ଜିଲ୍ଲା ନିଜାମାବାଦକୁ ନେଇ ଜଣେ ମାଲିକ ପାଖରେ ଜିମାଦେଇ ନିଜେ ଚମ୍ପଟ ମାରିଥିଲେ । ସେଠାରେ ସେଇ ମାଲିକ ଏହି ଯୁବକ ମାନଙ୍କୁ ଅକଥନୀୟ ଅତ୍ୟାଚାର କରି ମାରିପିଟି କାମ କରାଇବାରୁ ୩ଜଣ ଯୁବକ ଗତ ୭ ତାରିଖ ଦିନ ଅର୍ଜୁନ ନାଗ,ଲିଙ୍ଗରାଜ ମାଝୀ, ପ୍ରେମଲାଲ ମାଝୀ ଲୁଚି ପଳାଇ ଆସିବାରେ ସମର୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେବା ବାଣୁଆ ଏବଂ କୋକିଳ କଣ୍ଟା ଫସି ରହିଛନ୍ତି । ସେମାନଙ୍କର ମୋବାଇଲ ଗୁଡିକୁ ସେହି ମାଲିକ ଛଡେଇ ରଖିଥିବା ଜଣାପଡ଼ିଛି । ସଂପୃକ୍ତ ଯୁବକ ଦ୍ୱୟଙ୍କର ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ସମ୍ୱନ୍ଧରେ ଆଜି ଜୟପାଟଣା ଥାନାର ଦ୍ୱାରସ୍ଥ ହୋଇ ଦୁହିଁଙ୍କୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିବା ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି । ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)
ଜୟପାଟଣା, କାଳାହାଣ୍ଡି