ଡାବୁଗାଁ, ୨୩/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ସିନ୍ଧିକାଗୁଡା ଗ୍ରାମରେ ରବିବାର ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ସିନ୍ଧିକାଗୁଡା ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୩ ଘ. ସମୟରେ ତାରାଦି ଜାନୀ (୬୫) ନିଜ ଘର ବାହାରେ ଥିବା କୁକୁଡା ଘରକୁ ଯାଇ କୁକୁଡା ଅଣ୍ଡା କାଢୁ ଥିବା ସମୟରେ ପୂର୍ବରୁ କୁକୁଡାଘରେ ଥିବା ଏକ ନାଗ ସାପ ତାଙ୍କ ଡାହାଣ ହାତର ଆଙ୍ଗୁଠିରେ କାମୁଡି ଦେଇଥିଲା | ସାପ କାମୁଡିବାରୁ ତାରାଦି ଚିତ୍କାର କରିଥିଲେ | ଚିତ୍କାର ଶୁଣି ଘର ପାଖରେ ଥିବା ସମ୍ପର୍କୀୟ ଭଉଣୀ ମାଙ୍ଗୀ ଜାନୀ ଓ ତାଙ୍କ ବୋହୁ ଚିତ୍ରା ଜାନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ | ଏହା ପରେ ପରିବାରର ପୁରୁଷ ଲୋକ ମାନେ ଆସି ତାରାଦି ଙ୍କୁ ଘରକୁ ନେଇଥିଲେ | ପରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଏଠାରେ ଡାକ୍ତର ସତ୍ୟବ୍ରତ ବାରିକ ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକଙ୍କ ପରିବାର ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦିଆଯାଇଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ