ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଜ୍ଞାନ ଆଉ ଟଙ୍କା

 ଜ୍ଞାନ ଆଉ ଟଙ୍କା

ଅପର୍ତ୍ତି ସେଠୀ

ଟଙ୍କା ବିନା ରକା ପଶୁଛି ଅଣ୍ଟାରେ
        ଟଙ୍କା ବିନା ମନ ଖଟା,
ଅଖାଅଖା ଟଙ୍କା ଅଛି ଯା’ପାଖରେ‌
        ଦିଶେ ତାକୁ ସଫା ରାସ୍ତା।
ରାସ୍ତା ସିନା ଟଙ୍କା ଦେଖାଏ ଏଠାରେ
        ଚାଲିବା କିବା ଶିଖାଏ ,
ନା, ଟଙ୍କା ଘରବାରି କିଣିପାରିଲେ ବି 
        ସୁଖ ବାଟ କି ବତାଏ?
ଟଙ୍କା କିଣିପାରେ ସୁନା ଏଠି ପୁଣି 
        କିଣିପାରେ ନାହିଁ କାନ‌,
ଦାମୀଶେଯ ଟଙ୍କା କିଣିପାରେ ହେଲେ
        କିଣେ ନିଦ କି ସପନ?୍
ଟଙ୍କାସିନା କିଣେ ଦାମୀଦାମୀ ଜୋତା
        କିଣି ପାରେ କିବା ପାଦ,
ଟଙ୍କାରେ ଖାତିରି ମିଳିପାରେ ମାତ୍ର
        ମିଳେ କ’ଣ ଆଶୀର୍ବାଦ?
ଟଙ୍କା ଦେଲେ କିନ୍ତୁ ଘଡ଼ି କିଣି ହୁଏ
         ସମୟ କି କିଣି ହୁଏ,
ନା, ଟଙ୍କା ବଦଳରେ ଆୟୂଷ କି କ’ଣ
         ମାର୍କେଟରେ ମିଳିଥାଏ?
ଟଙ୍କା କିଣିପାରେ ଭଲ ବହି ହେଲେ
         କିଣି ପାରେ ନାହିଁ ଜ୍ଞାନ,
ଟଙ୍କା କିଣିପାରେ ବସ୍ତ୍ର ଆଭୂଷଣ
         କିଣି ପାରେ ନାହିଁ ମନ।
ଟଙ୍କା ଦିଆନିଆ ବନ୍ଧୁ ସିନା ମିଳେ
         ସମ୍ପର୍କ କିଣି ହୁଏନି,
ଟଙ୍କାଦେଲେ‌ ମହାପ୍ରସାଦ ମିଳୁଛି
         ଭାବ ଭକତି‌ ମିଳୁନି।
ଟଙ୍କା କିଣିପାରେ ଫୁଲହାର ସିନା
        ଜହ୍ନକୁ କିଣି ପାରେନା,
ଟଙ୍କା କିଣିପାରେ‌ ଐଶ୍ୱର୍ଯ୍ୟକୁ ମାତ୍ର
        ଟଙ୍କା ହସ ପାଇଁ ମନା।
ମଦ ମିଳିଯିବ ଟଙ୍କା ଦେଲେ ଭାଇ
        ମିଳିବନି ମଣିଷତ୍ଵ‌,
ଟଙ୍କା ବଦଳରେ ଭୋଟ୍‌ କିନ୍ତୁ ଅଛି
        ନେତା ନାହିଁ ଉପଯୁକ୍ତ।
ଟଙ୍କାରେ ମିଳୁଛି ଦେହଭୋଗ ସିନା
        ପ୍ରେମଟି କିଣି ହୁଏନା,
ଟଙ୍କାରେ ମିଳୁଛି କଲମଟି କିନ୍ତୁ
       କବିତା କେବେ ମିଳେନା।
ଔଷଧ ମିଳିବ ଟଙ୍କା ବଦଳରେ
        ମିଳେନି କପାଳ ରେଖା,
ଟଙ୍କା ବଦଳରେ ସ୍ଵାର୍ଥ ମିଳିପାରେ
        ମିଳେନି ପ୍ରକୃତ ସଖା।
ଟଙ୍କା ଦେଲେ ଆଜି ବିଭିନ୍ନ ମହଲେ
        ଅନେକ ଚିଜ ମିଳୁଛି,
ହେଲେ ଟଙ୍କାଦେଇ ବାପାମାଆଙ୍କୁହେ 
        କିଣି ପାରିବ କେ ଅଛି?
ମାଛ ମାଂସ ସିନା ଟଙ୍କାରେ କିଣୁଛେ
         କିଣି ହୁଏ କି ଅମୃତ,
ଟଙ୍କାରେ ବନ୍ଧୁକ ମିଳୁଛି ଅବଶ୍ୟ
          ମିଳୁନି ମମତାଟିକ‌।
ଟଙ୍କା କିଣିପାରେ ମଣିଷକୁ ଏଠି
          ମଣିଷ ଟଙ୍କା ଅଧିନ,
ଜ୍ଞାନ କିଣି ପାରେ ମଣିଷ ପଣିଆ
         ମିଳେ ଯେ ମାନସମ୍ମାନ।
ତେଣୁ ଧନ ଜ୍ଞାନ ମଧ୍ୟେ ବଡ଼ ସାନ
         କିଏ ଏଠି ହୋଇପାରେ,
ଜ୍ଞାନ ଥିଲେ ଧନ ଆପେ ଚାଲିଆସେ
        ହାର୍‌ ମାନି ତା’ପଛରେ।
ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

Related posts

ଯୁବ ରେଡକ୍ରସ ର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

କୋକସରା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ ସେଠ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ନୀଳ କୁମୁଦର ପ୍ରୀତି

Sunil Chandra Nayak

Leave a Comment

error: Content is protected !!