ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ଗାଈଗୋଠ ଫେରିବାର ବେଳ

ଗାଈଗୋଠ ଫେରିବାର ବେଳ

ପାହାଡ ସେପାଖେ
ଧୂଆଁଳିଆ ଆକାଶ ଯେବେ
ଓହ୍ଲାଇ ଆସେ ମାଟିକୁ
ଖାଁ ଖାଁ ଲାଗେ ବଣ
ନଈପଠାରୁ ବାହୁଡିଯାନ୍ତି ଖଗଦଳ
ବାଟୋଇ ଫେରେ ତା ବସାକୁ।
ଅଳସ ଭାଙ୍ଗି ପବନ
ଘୁମେଇ ପଡେ ଗଛରେ
ପତ୍ରସବୁକୁ ବିରତି ଦେଇ
କାଲିକୁ କରେ ଅପେକ୍ଷା।
ଗାଈଆଳ ପଗଡିରୁ ଝାଡିଦିଏ
ଦିବସଯାକର କ୍ଲାନ୍ତି
ଠେଙ୍ଗାକୁ ଭରସି
ସଳଖେ ତାର ଦରଜ ଅଣ୍ଟା,
ଚମଡା ଲଗା କଠୋଉରୁ
ମାଟିଧୂଳିର ଆବରଣକୁ ଧୋଇଦିଏ
ଅଇିଁଠା ବଳକା ପାଣିରେ।
ସୁରୁଜ ଯେତେ ଡୁବେ
ସେତେ ଧୂଳିମୟ ସାଜେ ପଡିଆ
ଘାସସବୁ ବିଲୀନ ହୋଇଯାନ୍ତି ଟାପୁରେ
ହମ୍ବାରଡି ଛାଡି ମା’ ତଲାସେ 
ତାର କଅଁଳା ଛୁଆକୁ
ଗାଈଆଳ ମୋଟାକଣ୍ଠରେ
ଲାଞ୍ଜଟେକି କୁଦାମାରେ ବଳଦ।
ଲାଲ ଡହଡହ ଦିଶେ ପାହାଡ
ଆବୋରି ବସେ ସବୁକୁ
ଶୀତଳର କୋହଲା ଛାଇ
ଟାପୁକୁ ମେଳ କରି
ଘରମୁହାଁ ମୁହାଁଏ ଗୋଠ
ସଭିଁଙ୍କ କାନେ ଗୁଞ୍ଜରିତ ହୋଇଉଠେ
ପ୍ରକୃତିର ସୁନ୍ଦର ଏ ଭେଟି
ଗାଈଗୋଠ ଫେରିବାର ବେଳ…
ଗାଈଗୋଠ ଫେରିବାର ବେଳ…।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

Related posts

ବାଲେଶ୍ବର – ବୃକ୍ଷରେପଣ କଲେ ସମାଜସେବୀ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାପା

ରଞ୍ଜନ କୁମାର ପଣ୍ଡା ଙ୍କ କବିତା ଏମିତି କାହିଁକି ପ୍ରଭୁ କରୁଛ

Sunil Chandra Nayak

Leave a Comment

error: Content is protected !!