ଜୀବନ ଧନ
କାଙ୍ଗାଳୀ ଚରଣ ସେଠୀ
ବିଦାୟ ବଂଶୀର ବେଦନାରେ ଭରା
ବିରହ ବାଉଁଶ ବନ
ଦୂର ତାଳ ବନେ ଗୁମୁରି ଉଠୁଚି
କାହାର କରୁଣ ସ୍ଵନ
ସତେ ମୋ ଜୀବନ ଧନ
ପରଦେଶି ପ୍ରିୟ ଫେରି ଆସୁଛନ୍ତି
କାମରେ ଲାଗୁନି ମନ ।
ଆଉଟା ସଂଜରେ ଲେଉଟି ଯାଉଛି
ଗାଆଁ ତାଳ ଗଛ ଛାଇ
ରାତି ଅଭିସାର ଅଭଶାପ ଏଠି
ବ୍ୟର୍ଥ ଚକୋର ପାଇଁ
ଫେରନ୍ତି ପଥକୁ ଚାହିଁ
ଜଳିଯାଉଛି ମୋ ଜୀବନ ଯୌବନ
ଜୀବନ ଧନଙ୍କ ପାଇଁ ।
ବୁଡ଼ି ଆସିଲାଣି ବାଡୁଅ ଜହ୍ନଟା
ରାତି ଆସିଲାଣି ନଇଁ
କାମ କାମନାର କୁମୁଦୁନୀ ମୁଁ
. ନୀଳଜହ୍ମ ଦେଖାନାହିଁ
ତୁମେ ମୋ ଜୀବନ ଗୀତି
ତୁମ ବିନା ଏଇ ଫଗୁଣ ସଂଜ
ତୁଛ ଲାଗୁଛି ଅତି ।
ତମେ ମୋ ପ୍ରଶ୍ଵାସ ବିଶ୍ୱାସ ତମେ
ଅନୁପ୍ରାସ ଜୀବନର
ମୁଁ ତୁମର ସେଇ ଛନ୍ଦ ଯମକ
କାବ୍ୟର ସମାହାର
ବିଛେଦ ବୈଶାଖ ଶୋଷ
ଜୀବନ ଧନ ଗୋ ! ପୁନେଇ ଜହ୍ନ ମୋ !
ଚନ୍ଦ୍ର ମଲ୍ଲୀର ରାସ ।
ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର