ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କୁ ଦେବଗିରି ନାଟ୍ୟ ସମ୍ମାନ,କୃଷିରେ ବୈଷ୍ଣବ ସାହୁ, ପ୍ରକାଶଙ୍କୁ ଶିଳ୍ପୀ ସମ୍ମାନ 

ମ.ରାମପୁର,୨୫/୧୧(ମସୀହା): ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ଗବେଷକ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ମର୍ଯ୍ୟାଦାଜନକ ‘ଦେବଗିରି ନାଟ୍ୟ ସମ୍ମାନ’ରେ ସମ୍ମାନିତ କରାଯିବ। ସେହିଭଳି ଭାବେ ସଫଳ ଚାଷୀ ବୈଷ୍ଣବ ଚରଣ ସାହୁଙ୍କୁ ‘ଦେବଗିରି କୃଷି ସମ୍ମାନ’ ଓ ଯୁବ ଚିତ୍ରଶିଳ୍ପୀ ପ୍ରକାଶ ଚନ୍ଦ୍ର ବାଗଙ୍କୁ ‘ଦେବଗିରି ଶିଳ୍ପୀ ସମ୍ମାନ’ ପ୍ରଦାନ କରାଯିବ ବୋଲି ସୂଚନା ରହିଛି।

ମ.ରାମପୁର ନିବାସୀ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ନାଟ୍ୟ ଜଗତରେ ଏକ ସୁପରିଚିତ ବ୍ୟକ୍ତିତ୍ୱ। ତାଙ୍କର ଅନେକ ନାଟକ ବିଭିନ୍ନ ମଂଚରେ ପ୍ରଦର୍ଶିତ ହୋଇ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ତାଙ୍କ ରଚିତ ଓ ନିର୍ଦ୍ଦେଶିତ ଅନେକ ମଂଚନାଟକ ମଧ୍ୟରୁ ‘ଭୁଲର ଶାସ୍ତି’, ‘ମାତୃ ମୁକ୍ତି’, ‘ମାନବ’, ‘ପୂଜା ଫୁଲ’, ‘ମାତୃହନ୍ତା ପର୍ଶୁରାମ’ ନାଟକ ସହ ‘ଲକ୍ଷ୍ମୀ ସୁଆଙ୍ଗ’, ‘ଦାନବୀର ହରିଶ୍ଚନ୍ଦ୍ର’, ‘ଉତ୍ତରା’ ପ୍ରଭୃତି ଉଲ୍ଲେଖନୀୟ। ମ.ରାମପୁରର ଶୁଣ୍ଢିପଡ଼ା ଏବଂ ବମକରେ କାମନା ଦଣ୍ଡ ପୀଠ ସଂସ୍ଥାପନ କରି ସେ ନିଜ ରଚନାରେ ନାଟକଠାରୁ ଆରମ୍ଭ କରି ନିୟମନିଷ୍ଠା ଏବଂ ବାଦ୍ୟ ଭଳି ସମସ୍ତ କାର୍ଯ୍ୟ କରି ଆସୁଛନ୍ତି। ମ.ରାମପୁର ରାମଜୀଉ ନାଟ୍ୟ ସଂଘ ତରଫରୁ ଓଡ଼ିଶା ପ୍ରସିଦ୍ଧ ରାମଲୀଳା (ପାଂଚ ଖଣ୍ଡ) ନିଜର ରଚନା ସହିତ ନିର୍ଦ୍ଦେଶନା ଦେବା ଆଉ ଏକ ସଫଳକୃତି। ଘୁମୁରା ଓ ଦଣ୍ଡ ନୃତ୍ୟକୁ ନେଇ ରାଜଧାନୀ ଭୁବନେଶ୍ୱର ସମେତ ନୟାଗଡ଼, ବାଲିଗୁଡ଼ା ତଥା ରାଜ୍ୟ ବାହାରେ କଲିକତା ବିଦ୍ୟାଭାରତୀରେ ପ୍ରଦର୍ଶନ କରି ଲୋକନୃତ୍ୟର ପ୍ରଚାର ପ୍ରସାରରେ ପ୍ରଯତ୍ନଶୀଳ। ଶ୍ରୀ ଆଚାର୍ଯ୍ୟଙ୍କ ଦ୍ଵାରା ଲିଖିତ ଢାପ ଗୀତ ଓ ଘୁମୁରା ଗୀତ ମଧ୍ୟ ବହୁମାତ୍ରାରେ ପ୍ରଚଳିତ। ଅନେକ ଡ୍ରାମାରେ ନିଜର ଯୁବାବସ୍ଥାରେ ନାରୀ ଚରିତ୍ରରେ ନିଖୁଣ ଅଭିନୟ ନିଜ ନାଟ୍ୟ ପ୍ରତିଭାର ଆଉ ଏକ ଦିଗନ୍ତ। ତାଙ୍କର ଅନେକ ଗବେଷଣାମୂଳକ ଲେଖା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଓ ଆଦୃତ। କାମନା ଦଣ୍ଡ ନୃତ୍ୟକୁ ନେଇ ପରୀକ୍ଷା ନିରୀକ୍ଷା ସହିତ ଏକ ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ନିଜ ଉଦ୍ୟମରେ ଗଠନ କରି ଏକ ସାଂସ୍କୃତିକ ଆନ୍ଦୋଳନର ସୂତ୍ରଧର। ସେହିପରି ରାମଜୀଉ ନାଟ୍ୟ ସଂଘ, ଚନ୍ଦ୍ରମଣି ନାଟ୍ୟ ସଂଘ ପ୍ରତି ନିଜର ଦାୟିତ୍ୱ ସୁଚାରୁରୂପେ ସଂପାଦନ କରିଛନ୍ତି। ସଂପ୍ରତି ସେ ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ତଥା ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି।

ସେହିପରି କଳାହାଣ୍ଡିରେ ଡ୍ରାଗନ୍ ଫଳ ଚାଷ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସ୍ବାବଲମ୍ବୀ ହୋଇଥିବା ଚାଷୀ ବୈଷ୍ଣବ ଚରଣ ସାହୁଙ୍କୁ ଚଳିତ ବର୍ଷର ‘ଦେବଗିରି କୃଷି ସମ୍ମାନ’ ପ୍ରଦାନ କରାଯିବ। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଂଚାୟତ ବାଙ୍କେଲ ଗାଁର ଗୌରାଙ୍ଗ ସାହୁଙ୍କ ଏକମାତ୍ର ପୁତ୍ର ବୈଷ୍ଣବ ବିଦେଶୀ ଫଳ ଡ୍ରାଗନ୍ ଚାଷ କରି ସଫଳ ହୋଇଛନ୍ତି। ବୈଷ୍ଣବ ପିଲାଟି ଦିନରୁ ଇସ୍କନ୍ ଧର୍ମାବଲମ୍ବୀ। ସେ ଇସ୍କନ ଭକ୍ତ ଭାବରେ ଦ୍ୱାରିକା ତୀର୍ଥ କରିବାକୁ ଯାଇ ସେଠାରେ ଡ଼୍ରାଗନ୍ ଚାଷ ଦେଖିଥିଲେ। ସେଠାରେ ବଗିଚାର ମାଲିକଙ୍କ ପାଖରେ ଅଢେଇ ବର୍ଷ ରହି ତାଲିମ ନେବା ପରେ ୨୦୧୮ ମସିହାରେ ଘରକୁ ଫେରି ଏହି ଚାଷରେ ମନୋନିବେଶ କରିଥିଲେ। ବର୍ତ୍ତମାନ ସେ ଏହି ବିଦେଶୀ ଫଳ ଚାଷକରି ସଫଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। 

ଏବର୍ଷର ‘ଦେବଗିରି ଶିଳ୍ପୀ ସମ୍ମାନ’ ପାଇବେ ଯୁବ ଚିତ୍ରଶିଳ୍ପୀ ପ୍ରକାଶ ଚନ୍ଦ୍ର ବାଗ। କେସିଙ୍ଗା ବ୍ଲକ ସୁରିଙ୍ଗପଦର ଗ୍ରାମର ଧବଳେଶ୍ଵର ବାଗ ଓ କ୍ଷୀର ବାଗଙ୍କ ସୁପୁତ୍ର ପ୍ରକାଶ ବାଗ ଚିତ୍ରକଳା, ମୂର୍ତ୍ତିକଳା ଓ ମଂଚ ନିର୍ମାଣରେ ସମଗ୍ର ରାଜ୍ୟରେ ଏକ ପରିଚିତ ନାମ। ରାୟଗଡ଼ାର ‘ଚଇତି’, କୋରାପୁଟର ‘ପରବ୍’, ବଲାଙ୍ଗିରର ‘ଲୋକ ମହୋତ୍ସବ’, ଗଜପତି ଜିଲ୍ଲା ଲୋକ ମହୋତ୍ସବ, କଳାହାଣ୍ଡି ଉତ୍ସବ ‘ଘୁମୁରା’ର ‘ପାରବା ମଂଚ’, ବୁଢ଼ାଡଙ୍ଗର ଲୋକ ମହୋତ୍ସବ, କୁମାରସ୍ୱାମୀ ମହୋତ୍ସବ ଆଦି ଅନେକ ମଂଚ ନିର୍ମାଣରେ ସେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମର ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆସନ୍ତା ଡ଼ିସେମ୍ବର ୨ରୁ ୪ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠାନର ୩୦ ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ପାଳିତ ହେବ। ଏହି ଅବସରରେ ଏହି ତିନି ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଅନ୍ୟାନ୍ୟ ସମ୍ମାନ ସବୁ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଜୁନାଗଡ଼ ବ୍ଲକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା – ଶିକ୍ଷାଦାନ ଓ ଶିକ୍ଷକ ଅଭାବ, ଅନିଶ୍ଚିତତା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ

Sunil Chandra Nayak

କୁଲତାଯୋର୍ ରେ ଏଲ କେ ବି କେ ଅନୁଷ୍ଠାନ ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!