Uncategorizedଅପର୍ତ୍ତି ସେଠୀ ଙ୍କ କବିତା _ ଛୁଙ୍କ_ by Sunil Chandra NayakNovember 28, 20220117 Share0 _ ଛୁଙ୍କ_ ଅପର୍ତ୍ତି ସେଠୀ (ପଲ୍ଲୀ କବିତା) ବୀର ବୋଉ ବିରି ଡାଲି କରୁଥିଲା ରଶୁଣର ଛୁଙ୍କ ଦେଇ, ବରଷା ପାଗରେ ବିରିଡାଲି ଛୁଙ୍କ ଖେଳିଗଲା ସାରା ସାହି। ସଖୀ ନାନୀ ଲୋଭ ସହିପାରିଲାନି ବେଲାଟିଏ ଧରି ହାତେ, ଡାଲିଟିକେ ନେବାପାଇଁ ପହଞ୍ଚିଲା ଆସି ବୀରବୋଉ ପାଖେ। ସମସ୍ତେ ଭାଜନ୍ତି ଲେଉଟିଆ ଶାଗ ହେଲେ ବା କ’ଣ ହେବ, ବୀର ବୋଉ ଯେଉଁ ଶାଗ ଭାଜିଥିବ ନିଆରା ସୁଆଦ ଥିବ। ହାତଟି ପାଇଛି ଛୁଙ୍କ ମାରିଦେବ ମନ ପ୍ରାଣ ଭରିଯାଏ, ଏମିତି ବି କେତେ ମାଇପିଙ୍କ ହାତେ ଫୁଟଣ ଫୁଟୁ ନ ଥାଏ। ବାଇଗଣ ପୋଡା ପୁଣି ବଢ଼ି ଚୂରା ଓଉ ଶାକର କି କାଞ୍ଜି, ଶୁଖୁଆ ଛେଚାକୁ ପୋଇଡଙ୍କ ରାଇ ବୀର ବୋଉ ମାରେ ବାଜି। କୋଳଥ ଡାଲିରେ ଠାକେରା ଆମ୍ଵୁଲ ଗୁଡଟିକେ ମାରିଦେଇ, ନାଲି ଲଙ୍କା ଛୁଙ୍କ ମାରିବା କାଇଦା ଜାଣିଛି କେବଳ ସେହି। ବୀର ବୋଉ ବିରି ଚାଉଳରେ ଯେଉଁ ସରୁ ଚକୁଳି କରିବ, ଗୋଟିଏ ଜାଗାରେ ପାଞ୍ଚଟା ଖାଇବ ଆହୁରି ବି ଇଚ୍ଛା ହେବ। ବିଲ ମଦରଙ୍ଗା ବଢ଼ି ଦି’ଟା ମାରି ଷୋରିଷ ବାଟଣ ଦେଇ, ରାଇତା ସେ କରେ ଯେତେ ଖାଉଥିବ ପାଟିରୁ ଛାଡ଼ିବ ନାହିଁ। କଖାରୁ ଫୁଲର ପିଠଉ ସେ କରେ ଚାଉଳ ଗୁଣ୍ଡ ସେ ଦିଏ, ଶୋରିଷ ବାଟଣେ ବାରି ଛଞ୍ଚିଣାକୁ ଗୋଟି ଭଜା କରୁଥାଏ। ଓଳିମୂଳ ପାଳଛତୁ ଦିଇଟାକୁ ଆଳୁ ଆମ୍ଵୁଲେ ରାନ୍ଧଇ, ନଖାଇଲା ଲୋକ ତାକୁ ଖାଉଥିବ ହାତ ଚାଟିଚାଟି ଭାଇ। ପିଢାରୁ ସେ ଆଣି ପାଣି କଖାରୁକୁ ଏମିତି ରାଇ କରିବ, ଦେଖୁଦେଖୁ ଖାଲି ଲୋଭ ବଢିଯିବ ପାଟିରୁ ଲାଳ ଗଡିବ। ଖଡାମୂଳ ସାଙ୍ଗେ ପାତିଳୀ ଚିଙ୍ଗୁଡ଼ି ରଞ୍ଜାରୁ ତୋଳିବ ଜହ୍ନି, ଏମିତି ଲାଇନି କରି ରାନ୍ଧିଦେବ ପାଟିରୁ ସେ ଛାଡିବିନି। ମାଣ୍ଡିଆ ଚୂନାକୁ ସାଇତି ଥିବ ସେ ଗୁଡ ଦେଇ ଆଉଟିବ, ସକାଳୁ ଖାଇବ ପେଟ ଥଣ୍ଡା ହେବ ଥାଲୁଥାଲୁ ହେଉଥିବ। ନଡ଼ିଆ ଚାଉଳ ବାଟି ବୀର ବୋଉ ଚିତଉ ଯେବେ ସେ କରେ, ପାଟିରେ ପକାଇ ଜିଭ ନ ବୁଲାଇ ସେମିତି ମୁଁ ଗୋଟା ଗିଳେ। ଆରିଶା ,କାକରା ,ମଣ୍ଡା, ଏଣ୍ଡୁରୀ ଓ ବିରି ବରା କି ଗଇଁଠା, ବୀର ବୋଉ ହାତେ ଅମୃତ ସମାନ ଲାଗେ ସତେ କେତେ ମିଠା। ମାଟି ଜାଗୁଲୀର ମୁଗଡାଲି ମଜା ବୀର ବୋଉ ଜାଣିଅଛି, ଗୁଆଘିଅ ଛୁଙ୍କ ଯେମିତି ସେ ମାରେ ମୁଁ କିବା ଭୁଲି ପାରୁଛି? ପବିତ୍ର ସିଞ୍ଚିବ ଲିପାପୋଛା କରି ଚିତାପଇତା ସେ ଦେବ, ବାରବ୍ରତ ଓଷା ପୁନେଇଁ ପରବେ ବୀର ବୋଉ ଏକା ଥିବ। ଉଉଲ୍ ସୂତାରେ କାଇଁଚ ପତରେ କେତେ ସେ ଜିନିଷ ବୁଣେ, ତା’ଭଳି ଘରଣୀ ଆମ ଏ ଗାଆଁ ରେ ଦେଖାଯାଆନ୍ତିନି ଜଣେ। ଗୁରୁ ଗୁରୁଜନେ ଭକତି ତାହାର ପିଲାଙ୍କୁ ଭାରି ଆଦର, ଗୁଣରେ ସମତା କେବେ ଉଚ୍ଚ କଥା ପାଟିରୁ ଶୁଭେନା ତାର। ସ୍ତ୍ରୀ ଗୋଟିଏରେ ଲକ୍ଷଣ ଗୋଟିଏ ଏକଥା ସର୍ବେ ଜାଣନ୍ତି, ବୀର ବୋଉ କିଏ ଯାହାକଥା କୁହେ ତାକୁ ଆପଣ ଚିହ୍ନନ୍ତି? ସେହି ବୀର ବୋଉ ମୋହରି ଘରଣୀ ସର୍ବ ସୁଲକ୍ଷଣା ପଣେ, ତାକୁ ପାଖେ ପାଇ ଭାଗ୍ୟବାନ ମୁହିଁ ନିଜକୁ ଧନ୍ୟ ମୁଁ ମଣେ। ଆଜିକା ମାଇପେ ଗୋଡପରେ ଗୋଡ଼ ଥୋଇ ଟିଭି ଦେଖୁଥାନ୍ତି, ପାଇଟିକି ଭୁଲି ମୋବାଇଲ ଧରି ଚ୍ଯାଟିଂ ସେ କରୁଥାନ୍ତି। ତେଣୁ ମୋ ମିନତୀ ହେ ସ୍ତ୍ରୀ ଜାତି ନାରୀ ଧର୍ମ ରକ୍ଷା କର, ବୀର ବୋଉ ଠାରୁ କିଛି ଶିକ୍ଷା କର କହେ ଅପର୍ତ୍ତି ପାମର। ପାଳକଣା, କୋରୋ, କେନ୍ଦ୍ରାପଡ଼ା