ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ରାତ୍ରି ଗୋ ତୁମେ

  ରାତ୍ରି ଗୋ ତୁମେ

           ବେଣୁଧର ସୂତାର

ରଜନୀଗନ୍ଧାର ମହକକୁ ନେଇ
ତମସାର ବୁକୁ ଚିରି
ଧୀରା ଧରଣୀର ଚନ୍ଦ୍ର ଚାହାଣିରେ
ବିଭାବାଣ୍ଟେ ବିଭାବରୀ ।।
ନୀଳାଭ ଅମ୍ବର ନୀଳ ସାଗରିକା
ବନାନୀର ଶ୍ୟାମ ଶୋଭା
ନୀଳ କଳେବର ନୀଳିମା ସୁନ୍ଦର
ରଜନୀର ଚାରୁପ୍ରଭା ।।
ମଧୁମୟ କ୍ଷଣେ ତିମିର ତର୍ପଣେ
ମହକ ପଖଳା ଗାତ୍ରେ
ଜୋଛନାପରଶେ ରଜନୀଉଦ୍ଭାସେ
ମଧୁମୟ ରୂପଚିତ୍ରେ ।।
ଜୋଛନା ମଦିରା କରେ ଆତ୍ମହରା
ମନୋରମ ବିଥିକାରେ
ସମର୍ପିତ ଧାରା ପ୍ରୀତିର ପସରା
ସପନର ଯୁଥିକାରେ ।।
ପ୍ରକୃତି ମଧୁର ରୂପ ଚମତ୍କାର
ରଙ୍ଗଭରା ସ୍ବପ୍ନେ ଛନ୍ଦି
ଧରିତ୍ରୀ ଆକାଶ ପ୍ରୀତି ଅନୁରାଗ
ପ୍ରେମର ଯୁଗଳବନ୍ଦୀ ।।
ଅନନ୍ତ ଭୁବନ ସପନ ମଗନ
ପାଇ ଯା, ମମତା ପ୍ରୀତି
ତମସା ଗୋ ତୁମ ମଞ୍ଜୁଳ ପରଶେ
ବିଶ୍ବ ମଧୁମୟ ସ୍ଥିତି ।।
ଅଂଶୁମାଳି କର ପ୍ରଚଣ୍ଡ ପ୍ରଖର
ଅମିତ ଯନ୍ତ୍ରଣା ମାନ
ଯା ଶୀତଳ କର ପରଶେ ପ୍ରକୃତି
ରକ୍ଷା କରେ ସନ୍ତୁଳନ ।।
ଆଲୋକ ଅନ୍ଧାର ବିଶ୍ବ ପ୍ରକୃତିର
ଛାଇ ଆଲୁଅର ଖେଳ
ଦିବ୍ୟ ଅନୁଦାନେ ଏଭବ ଭୁବନେ
ଜୀବନ ସୃଜନଶୀଳ ।।
ରଜନୀ ଗୋ ତୁମ ପୁଣ୍ୟ ପଣତେ
ନିଦ୍ରାରେ ମୋହିତ ଜନ
ସୁଖନିଦ୍ରା କୋଳେ                                                              
                  ଭୁଲେ ଅବହେଳେ
ନୈରାଶ୍ୟର ପାଦଚିହ୍ନ ।।
ରାତ୍ରି ଗୋ ତୁମେ ନିଖିଳ ଧାତ୍ରୀ
ଅସରା ଯା ଅନୁକଂପା
ମୃଦୁଳ ମଞ୍ଜୁଳ ତୁମ ଅଙ୍କସ୍ଥଳ
ଦେବୀ ତୁମେ ବିଶ୍ବରୂପା ।।

କେଶଦୁରାପାଳ କେନ୍ଦୁଝର

Related posts

ଡୁଇଟି ଡେଭିଡ ଫିଳିଫ ଙ୍କ କବିତା ସକାଳୁ ସକାଳୁ

Sunil Chandra Nayak

ଆଜାଦି କା ଅମୃତ ମହୋତ୍ସବରେ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ

Sunil Chandra Nayak

ଜଣା ଅଜଣା….

Leave a Comment

error: Content is protected !!