ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକଙ୍କ କବିତା ପୁସ୍ତକ “କଳ୍ପିତ ସ୍ୱପ୍ନ”ବିଷୟରେ କେଇପଦ ପାଠକୀୟ ମତାମତ

କବିତା ପୁସ୍ତକ -“କଳ୍ପିତସ୍ବପ୍ନ” ପ୍ରକାଶନ –

ଶିଳାଲିପି ପବ୍ଲିକେଶନ 

କବୀ.. ବୈଜୟନ୍ତୀ ପଟ୍ଟନାୟକ |

ପ୍ରଛଦ -ବିଜୟ କୁମାର ପ୍ରଧାନ 

କବିତା ସଂଖ୍ୟା…100 ,ପୃଷ୍ଠା…183,  

ଦର…. ମାତ୍ର 150/-

ଓଡ଼ିଆ ସାହିତ୍ୟ କୁ ଢେଙ୍କାନାଳ ର ଦାନ ଯୁଗେ ଯୁଗେ ଅବିସ୍ମରଣୀୟ |ସେ ଦୀନକୃଷ୍ଣ ଦାସ ହୁଅନ୍ତୁ କି ବ୍ରଜନାଥ |କବି ଭୂଷଣ ରାଜକିଶୋର ପଟ୍ଟନାୟକ ହୁଅନ୍ତୁ କିମ୍ୱା ହର ମୋହନ ଦାସ ଅଥବା ବିଶିଷ୍ଟ ଧ୍ୱନୀ ତତ୍ତ୍ୱବିଦ ପ୍ରଫେସର ଗୋଲୋକ ବିହାରୀ ଧଳ |ସମସ୍ତେ ନିଜ ନିଜ ସମୟ ରେ ଥିଲେ ଜଣେ ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ |ଢେଙ୍କାନାଳ ର ପ୍ରଥମ ନାରୀ କବି ସୁଲକ୍ଷଣା ପଟ୍ଟନାୟକ ଙ୍କ ନାମ ମଧ୍ୟ ବିଚାର କୁ ନିଆଯାଇପାରେ |

ତେବେ ସାମ୍ପ୍ରତିକ ସମୟ ରେ ପଣ୍ଡିତ ଡଃ ଅନ୍ତର୍ଯ୍ୟାମୀ ମିଶ୍ର, ଉଦ୍ଧବ ନାୟକ, କୃପାସାଗର ସାହୁ, ଙ୍କ ଭଳି ଅନେକେ ସମଗ୍ର ଓଡିଶା ରେ ଢେଙ୍କାନାଳ ପାଇଁ ଅନେକ ଯଶ ଆଣିଛନ୍ତି ଏହା ନିଶ୍ଚିତ ଭାବେସ୍ୱୀକାର୍ଯ୍ୟ।

ବର୍ତ୍ତମାନ ସମୟରେ ଆଉ ଯେଉଁକେତେଜଣ ଙ୍କ ଲେଖନୀ ରେ ଓଡିଶା ଭାଷା ସାହିତ୍ୟ ସମୃଦ୍ଧ ସେମାନଙ୍କ ମଧ୍ୟରୁ କବୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକ ସମଗ୍ର ଢେଙ୍କାନାଳ ରେ ଏକ ଜଣାଶୁଣା ନାମ |ବୈଜୟନ୍ତୀ ମାଡାମ ଙ୍କ ନାମ ନନେଇ ଢେଙ୍କାନାଳ ର ସାମ୍ପ୍ରତିକସମୟ ର ସାହିତ୍ୟ ସ୍ରଷ୍ଟା ଙ୍କ ବିଷୟ ରେ ଆଲୋଚନା କରାଗଲେ ଏହା ନିଶ୍ଚିତ ଭାବେ ଅଧୁରା ରହିବ ଏହା ନିଃସନ୍ଦେହ |

ପ୍ରତ୍ୟେକ ସାହିତ୍ୟ ଆସର ରେ ଖାଣ୍ଟି ଓଡ଼ିଆଣୀ ପରିଚୟ ସହ ହାତରେ କବିତା ଟିଏ ନେଇ ହସହସ ମୁହଁ ରେ ନିର୍ଦ୍ଧାରିତ ସମୟ ରେ ସାହିତ୍ୟ ଆସର ରେ ପହଂଚି ଆସର ଶେଷ ଯାଏ ବସି ସବୁ କବିତା ଗୁଡିକ ଯତ୍ନର ସହ ଶୁଣୁଥିବା କବୟିତ୍ରୀ ଟିଏ ହେଉଛନ୍ତି ବୈଜୟନ୍ତୀ ପଟ୍ଟନାୟକ |କବିତା ପାଇଁ ସମର୍ପିତା ନାରୀ ଟିଏ |

ଶହେ ଗୋଟି କବିତା ଗୁଚ୍ଛ ର ସମ୍ଭାରରେ,ଆଜି କବୟିତ୍ରୀ ମହୋଦୟା ଙ୍କ ଦ୍ଵିତୀୟ କବିତା ପୁସ୍ତକ “କଳ୍ପିତ ସ୍ବପ୍ନ” ଉନ୍ମୋଚନ ଅବସରରେ ମୁଁ ମହାଶୟା ଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି |

ସ୍ୱଳ୍ପ ସମୟ ପଢିବା ର ସୁଯୋପାଇଥିଲେ ମଧ୍ୟ ଯେତିକି ପଢ଼ିଛି ଯେତିକି ବୁଝିଛି କବିତା ଗୁଡିକ ସୁଖପାଠ୍ୟ ବୋଲି ଅନୁଭବ କରିଛି |କବିତା ହେଉଛି କବି ର ନିଜସ୍ୱ ଅନୁଭବ ଅନୁଭୂତି ର କଥା | ଯେଉଁଠି ଥାଏ କିଛି ବ୍ୟଥା କିଛି ସମାଧାନ ର ପନ୍ଥା |ସୁନ୍ଦର ଶବ୍ଦ ସଂଯୋଜନା ଉପଯୁକ୍ତ ଭାବ ରେ ଲାଳିତ୍ୟ ମୟ ଢଙ୍ଗ ରେ ଭାବ ପ୍ରକାଶ ହିଁ କବିତା |ନିଜ ଚାରିପଟେ ଘଟିଯାଉଥିବା ଘଟଣା ପ୍ରବାହ ଯାହା କବିର ହୃଦୟ କୁ ଛୁଇଁଯାଏ ତାହାକୁ ସଂଗୀତ ମୟ ଶୈଳୀ ରେ ସମାଜ ରେ ବାଣ୍ଟିବା ହିଁ କବିତା |

କବୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକ ଙ୍କ ପ୍ରାୟ ପ୍ରତ୍ୟେକ କବିତା ରେ ଭରିରହିଛି ବିକଳ ବେଦନା ସହ ସମାଜ କୁ ଦିଗଦର୍ଶନ ର ବୀଜ ମନ୍ତ୍ର ସମୂହ |ଜୀବନ ଦର୍ଶନ ରେ ଭରପୁର କବିତା ଗୁଡିକ ବେଶ ଚିତାକର୍ଷକ ଢଙ୍ଗ ରେ ପ୍ରକାଶ କରିଛନ୍ତି କବୟିତ୍ରୀ ମହାଶୟା |

ଉକ୍ତ ପୁସ୍ତକ ରେ ସ୍ଥାନ ପାଇଥିବା କବିତା “ଶବ୍ଦଶିଳ୍ପୀ” ଏକ ଅନନ୍ୟ ସର୍ଜନା | କବୀ ଲେଖିଛନ୍ତି

କବିଟିଏ ଶବ୍ଦ ମାନଙ୍କୁ ରଙ୍ଗ ତୁଳୀ ଦେଇ
ଅକ୍ଷର ରେ ଶକ୍ତି ଭରିଦିଏ
ସମାଜ କୁ ବଦଳେଇ ଦେବାର ଭୂମିକା ଗ୍ରହଣ କରେ |

“ଦୁର୍ନୀତି ରାସ୍ତା” ଆଉ ଏକ କବିତା ଯାହା ବେଶ କିଛି ଶିକ୍ଷା ଦିଏ ସମାଜ କୁ ଯେଉଁଠି କବୀ ଲେଖନ୍ତି

ଆହେ ଭ୍ରଷ୍ଟାଚାରୀ ଷଡଯନ୍ତ୍ର କାରୀ
ଭଦ୍ର ମୁଖା ପିନ୍ଧା ଲୁଟେରା ମାନେ
ଜିଅନ୍ତା ଶବ ଟେ ହୋଇଯିବ ଦିନେ
ନଥିବେ ରେ କେହି ସାଥିରେ ଜଣେ |

ବହୁତ ଅନ୍ୟାୟ ଅନୀତି ଦେଖି କବୀ ଯେତେବେଳେ ଭୀଷଣ ବିଦ୍ରୋହୀ ହୋଇ ଉଠନ୍ତି ସେ ସେତେବେଳେ ଲେଖନ୍ତି କବିତା “ଭାବ ର ବହ୍ନି” |ସେଇଠି ଲେଖନ୍ତି

ମନରେ ଆସଇ ବିଦ୍ରୋହ ର ସ୍ୱର
କିଛି ନଲେଖି ମୁଁ ରହି ନପାରେ
ଅପ୍ରିୟ ସତ୍ୟ କୁ ଲେଖି ଦେଇଯାଏ
ଯାହା କିଛି ଘଟେ ଚାରି ପାଖରେ |

ତେବେ ଅନ୍ୟାୟ ଅନୀତି ଭ୍ରଷ୍ଟାଚାର ଦେଖି ଭାଙ୍ଗି ପଡ଼ି ନାହାନ୍ତି କବୟିତ୍ରୀ ମହୋଦୟା |

ଆଶା ଆଉ ବିଶ୍ୱାସ କୁ ବଳବତ୍ତର ରଖି ନିଜର” ଆଗାମୀଦୁନିଆଁ ର ସ୍ବପ୍ନ “କବିତା ରେ କବୀ ଲେଖନ୍ତି

ଗଲାଣିତ ଯାହା ଚାଲିଯାଇଛି

ଶୋଚନା କରିବା ଆଉ କାହିଁକି

ବୀର ଭୋଗ୍ୟା ଏଇ ଭାରତ ମାତାର

ସୁନ୍ଦର ଛବିଟେ ଦେବାରେ ଆଙ୍କି

ପୁଣି ଆଶା ସଂଚାର କରି ଜନତା ଙ୍କୁ କୁହନ୍ତି

ଭୟ ଭୋକ ଭ୍ରଷ୍ଟାଚାର ଛଳନାକୁ

ସମ୍ପୂର୍ଣ୍ଣ ନିଃଶେଷ କରି ଯେ ଦେବା

ଏକ ସ୍ୱଚ୍ଛ ସୁସ୍ଥ ସଜାଗ ସମୃଦ୍ଧ

ସ୍ୱପ୍ନ ର ସମାଜ ଗଢି ତୋଳିବା |

ସୁନ୍ଦର ସାମାଜିକ ବାର୍ତ୍ତା ଦେଲାବେଳେ କବୟିତ୍ରୀ ଶ୍ରୀମତୀ ପଟ୍ଟନାୟକ ଗଙ୍ଗାଧର ମେହେର ଙ୍କ ପ୍ରଣୟବଲ୍ଳରୀ କାବ୍ୟ ଅନୁସରି ସଦ୍ୟ ଶାଶୂଘର ଯାଉଥିବା ଝିଅ କୁ ନୀତିଶିକ୍ଷା ଦେଇ ସମଗ୍ର ନାରୀ ଜାତିପାଇଁ ଏକ ଆଦର୍ଶ ବାଣ୍ଟି କବିତା” ଝିଅ ବିଦାୟ ବେଳାରେ “ସୃଜିବା ଏକ ଅଭିନବ ପ୍ରୟାସ |ଭାଇ ଭଉଣୀ ର ସ୍ନେହ କୁ କବିତା “ରାକ୍ଷୀ ବନ୍ଧନର ସୁତାଟିଏ “ଭେଟିଦେଇଛନ୍ତି ପାଠକ ମହଲ ରେ |ପ୍ରକୃତି କୁ ଭଲପାଇବା, ଈଶ୍ୱର ବିଶ୍ୱାସୀ ସତ୍ତା କୁ ବାନ୍ଧି ରଖିଛନ୍ତି କବୀ ଅନେକ କବିତା ରେ |

କବୟିତ୍ରୀ ଆହ୍ୱାନ କରନ୍ତି ଯୁବସମାଜ କୁ ତାଙ୍କ କବିତା “ହେ ଯୁବକ ଆଗାମୀ ଯୁଗର ତୁମେ ଶୁଭସ୍ତମ୍ଭ” ରେ ଯେଉଁଠି ଲେଖନ୍ତି

ଯୁବକର ଏକ ହୁଙ୍କାର ରେ
ସମାଜକୁ ଦୋହଲାଇ ଦେବ
ସଂଘର୍ଷର ଅଗ୍ନିରେ ଉତ୍ତପ୍ତ ହୋଇ ଦିନେ
ପ୍ରକୃତ ସ୍ୱାଧୀନତା ର ଖୁସି ପାଇ ଯେ ପାରିବ
ଜାଗରଣ କରିଦିଅ ଆରମ୍ଭ
ଆଗାମୀ ଯୁଗର ତୁମେ ଶୁଭସ୍ତମ୍ଭ |

ଆଜିର ଏ ମହଙ୍ଗା ଯୁଗରେ କବିତା ପୁସ୍ତକ ଟିଏ ଛାପି ତାକୁ ଓଡିଶା ବାଣୀ ଭଣ୍ଡାର କୁ ପ୍ରଦାନ କରିବା ଏକ କମ କଥା ନୁହେଁ |କବୟିତ୍ରୀଙ୍କର ପ୍ରୟାସ ନିଶ୍ଚୟ ଅଭିନନ୍ଦନୀୟ |

ମୋର ବିଶ୍ୱାସ ଏହି “କଳ୍ପିତସ୍ବପ୍ନ” ପୁସ୍ତକ ର ସମସ୍ତ କବିତା ବେଶ ପାଠକୀୟ ଆଦୃତ୍ତି ଲାଭ କରିବ |ଆପଣ ମାନେ ପଢିବେ ମତାମତ ରଖିବେ |

ଆଜିକାଲି ପୁସ୍ତକ କ୍ରୟ ଏକ ପ୍ରକାର ମାନସିକ ପ୍ରତିରୋଧ ଭିତର ଦେଇ ଗତି କରିଛି |ତଥାପି ଆପଣ ମାନେ ବହି ଟିକୁ ପଢି ଯେଉଁ କବିତା ଆପଣଙ୍କୁ ଭଲ ଲାଗିଲା ସେ ବିଷୟ ରେ କବୟିତ୍ରୀ ଙ୍କୁ ସିଧା ସଳଖ କଥା ହେଲେ ତାଙ୍କୁ ଖୁସି ଲାଗିବ ଏବଂ ଏହା ଜଣେ କବୀ ଲେଖକ ଙ୍କୁ ଉପଯୁକ୍ତ ସମ୍ମାନ ହେବ ଏବଂ ପୁସ୍ତକ ଟିର ମୂଲ୍ୟାୟନ ମଧ୍ୟ ହେବ |

                            ପ୍ରକାଶ ଚନ୍ଦ୍ର ରାଉତ

                          ସମ୍ପାଦକ, ଢେଙ୍କାନାଳ ଥିଙ୍କର୍ସ ଫୋରମ

Related posts

ବିଜୟ କୁମାର ଜେନା ଙ୍କ କବିତା // ସକାଳର ଜଣାଣ // କାମନା ବାସନା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା “ଗାଆଁ ଦୁହିତା, ଉଦାରି ସୀତା”

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା // ସମୟ

Sunil Chandra Nayak

Leave a Comment

error: Content is protected !!