l l ବିଦାୟୀ -ବରଷ l l
ବିଦାୟ ଲଗନ ହେଲା ଉପଗତ
ଆହେ ଦୁଇ ହଜାର ବାଇଶ
ଧୀରେ ଧୀରେ ପଦ ଗଣତି ନ କରି
ପାହୁଣ୍ଡଟା ପକାଅ ସତ୍ୱର l
ଚାଲି ଗଲାଦିନ ଛାଡିଗଲ ଚି଼ହ୍ନ
ମନ ମୟୂରୀଟା ଶରାହତ
ମାର୍ମିକ ବେଦନା ଅଶ୍ରୁ ବିସର୍ଜନ
ହୋଇଯାଉ ପରାହତ l
ଅଳସୀ ଶ୍ରାବଣୀ ରୂପେ ନୃତ୍ୟରତ
ନୟନେ କୋଣେ ବରଷିଗଲ
ମୁଖମଣ୍ଡଳରୁ ଆଶା ପୋଛି ନେଇ
ବିଷାଦ କାଳିମା ଲେପିଦେଲ l
ତୃଣ ମୂଳ ଠାରୁ ବିଶ୍ୱ ବଜାରରେ
ହଇଚଇ କେତେ ରଚାଇଲ
କେତେ ଘଟଣା ଦୁର୍ଘଟଣାସାକ୍ଷୀ
ସ୍ମୃତି ର ଗନ୍ତାଘର ସାଜିଲ l
କାରୁଣ୍ୟର ପ୍ରତିଲିପି ରହିଗଲ
ଲେଖିଦେଇ ଅଭୁଲା ଗଳପ
ସମୟ ବାଲୁକା ଶଯ୍ୟାରେ ଆଙ୍କିଲ
କଳଙ୍କିତ ବେନି ପାଦଛାପ l
ନବ ବରଷ ଆଗମନେ ସକଳେ
ସ୍ୱାଗତମେ ପ୍ରସ୍ତୁତି ପରବ
ଆଶା ଭରସା ବିଶ୍ଵାସ କୁ ହୃଦୟେ
ଆଗାମୀର ସପନେ ମଗନ l
ଜଗତ କରତା ହେ ବିଶ୍ୱ ନିୟନ୍ତା
କରୁଣା ଟିକେ କର ସିଞ୍ଚନ
ଆତ୍ମପ୍ରତ୍ୟୟ ର ସାଜି ବାର୍ତ୍ତାବହ
ନବ ବର୍ଷ କରୁ ଆଗମନ l
ନର୍ମଦା ନାୟକ
ରାଉରକେଲା