ଡାବୁଗାଁ, ୩୧/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଆଦିବାସୀ ଅଧ୍ୟୁଷିତ ଡାବୁଗାଁ ବ୍ଲକର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ଏହି ବ୍ଲକର ଆଦିବାସୀ ସଂପ୍ରଦାୟର ଲୋକେ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ପର୍ବ ସହ ଆଞ୍ଚଳିକ ପର୍ବପର୍ବାଣୀ ଏବଂ ଯାନୀଯାତରା ସବୁ ପାଳନ କରିଥାନ୍ତି । ଏଥି ମଧ୍ୟରୁ ଦିଆଲି ପର୍ବ ଅନ୍ୟତମ | ଦିଆଲି ପର୍ବ ଚାଷ ସହ ଜଡିତ ପର୍ବ | ଜମିରୁ ଫସଲ ଅମଳ ହେବା ପରେ ଏହି କୃଷିଭିତ୍ତିକ ପର୍ବ ପାଳନ କରାଯାଏ । ବ୍ଲକର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଏହି ପର୍ବ ପାଳନ କରାଯାଏ । ଜମିର ଫସଲ ସମ୍ପୂର୍ଣ୍ଣ ଅମଳ ହେବା ପରେ ଗ୍ରାମର ମୁଖିଆ ଏବଂ ଗ୍ରାମବାସୀମାନଙ୍କୁ ନେଇ ଏକ ବୈଠକ ହୋଇଥାଏ । ଏହି ନିଦ୍ଦିଷ୍ଟ ଗ୍ରାମରେ କେବେ ଦିଆଲି ପର୍ବ ପାଳନ ହେବ ସେନେଇ ବୈଠକରେ ଦିନ ଧାର୍ଯ୍ୟ ହୋଇଥାଏ। ପରେ ଚଲାଣ ଦ୍ୱାରା ଏ ସଂପର୍କରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଏ | ବିଶେଷ କରି ଏହି ପର୍ବ ପ୍ରତିବର୍ଷ ଜମିରୁ ଫସଲ ଅମଳ ହେବା ପରେ ମାର୍ଗଶିର ମାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇ ପ୍ରାୟ ପୌଷ ମାସ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇଥାଏ। ଦିଆଲି ପର୍ବ ପୂର୍ବରୁ ଏଠାକାର ଆଦିବାସୀ ମହିଳାମାନେ ଘରର କାନ୍ଥକୁ ସୁନ୍ଦର ଭାବେ ବିଭିନ୍ନ ରଙ୍ଗଦେଇ ସଜେଇଥାନ୍ତି ।
ବିଶେଷ କରି ଘରକୁ ସୁନ୍ଦର କରିବା ପାଇଁ ରଙ୍ଗ ମାଟି ସହ ଧଳା ଓ ହଳଦିଆ ମାଟିର ଚାହିଦା ଅଧିକ ଥାଏ।ଆଜି ବ୍ଳକର କିଛି ଗ୍ରାମରେ ଘରକୁ ବିଭିନ୍ନ ରଙ୍ଗରେ ରଙ୍ଗ ଦେଇ ଦିଆଲି ପର୍ବ ପାଳନ ହେଉଥିବା ଦେଖିବାକୁ ମିଳିଛି । ଦିଆଳି ପର୍ବର କିଛି ଦିନ ପୂର୍ବରୁ ଗ୍ରାମବାସୀ ମାନେ ବହଲାଣି ଯାତ୍ରା କରିଥାନ୍ତି । ଏହି ଯାତ୍ରାରେ ଗ୍ରାମର ଶେଷ ମୁଣ୍ଡରେ ଡାଳ ପତ୍ରରେ ସାତଟି ନୂତନ ଘର ତିଆରି କରାଯାଇ ଥାଏ ଏବଂ ଏହି ଘରେ ଗ୍ରାମର ଦେବାଦେବୀ ମାନଙ୍କ ପୂଜା କରାଯାଇଥାଏ । ଏହି ପୂଜା କରିବା ଦ୍ୱାରା ଗ୍ରାମରେ ଥିବା ଗ୍ରାମବାସୀଙ୍କ ସମେତ ଗୃହପାଳିତ ପଶୁପକ୍ଷୀ ମାନେ ରୋଗ ମୁକ୍ତ ହୋଇଥାଆନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି । ଏହି ଅବସରରେ ଗ୍ରାମର ସମସ୍ତ ଦେବାଦେବୀଙ୍କ ପ୍ରତୀକ ଏବଂ ପୂଜକ ମାନେ ବିଭିନ୍ନ ବେଶ ପୋଷାକ ପରିଧାନ କରି ଗ୍ରାମ ପରିକ୍ରମା କରନ୍ତି । ଗ୍ରାମ ପରିକ୍ରମା ବେଳେ ବିଭିନ୍ନ ଦେବା ଦେବୀ ପୂଜକ ମାନଙ୍କ ଦେହରେ ପ୍ରସନ୍ନ ହୋଇଥାନ୍ତି । ଗ୍ରାମବାସୀଙ୍କ ଘରେ ଘରେ ବୁଲି ଗ୍ରାମ ଦେବାଦେବୀ ପୂଜା ପାଆନ୍ତି । ବଉଲାଣୀ ଯାତ୍ରା ଶେଷ ହେବାର କିଛି ଦିନ ପରେ ଦିଆଳି ପର୍ବ ପାଳନ ହୋଇଥାଏ | ସେହିପରି ଗ୍ରାମର ଗୌଡ଼ ସମ୍ପ୍ରଦାୟର ଲୋକ ମାନେ ବର୍ଷ ତମାମ ଗାଇ ଚରାଇଥାନ୍ତି । ସେହିପରି ଦିଆଲି ପର୍ବର ପୂର୍ଵଦିନ ଗାଇ ଚରାଳି ମାନେ ମାଲିକ ମାନଙ୍କୁ ଡାକି ଏକ ବୈଠକ କରିବା ସହ ବୈଠକ ସ୍ଥାନ ରେ ନଡ଼ିଆ ଭାଙ୍ଗି ପୂଜା କରନ୍ତି ଓ ନଡ଼ିଆ, ଗୁଡ଼, ଚୁଡା, ମୁଡି କୁ ଏକତ୍ର କରି ପ୍ରସାଦ ସ୍ୱରୂପ ଉପସ୍ଥିତ ଲୋକଙ୍କୁ ବାଣ୍ଟିଥାନ୍ତି | ଯେଉଁ ଦିନ ଦିଆଲି ପର୍ବ ହୁଏ ସେହିଦିନ ଘରେ ଘରେ ବୁଲି ଗୋରୁଗାଇ ମାଲିକ ମାନଙ୍କୁ ମାଛ, ମାଂସ, ପନିର ଇତ୍ୟାଦି ପ୍ରଦାନ କରିଥାନ୍ତି ଓ ବର୍ଷସାରା ଗାଇଗୋରୁ ଚରେଇଥିବା ର ପାଉଣା ସ୍ୱରୂପ ଧାନ ସଂଗ୍ରହ କରି ଆଣିଥାନ୍ତି । ଠିକ ସେହିପରି ଅଂଚଳ ର ମହୁରୀଆ ଓ ବଜନିଆ ମାନେ ମଧ୍ୟ ବର୍ଷ ତମାମ ର ପାଉଣା ସ୍ୱରୂପ ବାଜା ମହୁରୀ ସହ ଘରକୁ ଘର ବୁଲି ଧାନ ଚାଉଳ ସବୁ ସଂଗ୍ରହ କରିଥାନ୍ତି | ଶୁକ୍ରବାର ଓ ଶନିବାର ବ୍ଲକ ର କିଛି ଅଂଚଳ ରେ ଦିଆଲି ପର୍ବ ପାଳିତ ହୋଇଛି | ଗ୍ରାମବାସୀ ମାନେ ଅତି ଆନନ୍ଦ ରେ ଏହି ପର୍ବ କୁ ପାଳୁଥିବା ଦେଖିବାକୁ ମିଳିଛି | ଗ୍ରାମ ର ଝିଅବୋହୁ ମାନେ ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ କରିବା ସହ ଗାଇଗୁହାଳ ମାନଙ୍କ ରେ ଚାଉଳ ଚୁନା ରେ ସୁନ୍ଦର ସୁନ୍ଦର ଝୋଟି ସବୁ ଆଙ୍କିଥିବା ଦେଖିବାକୁ ମିଳିଛି | ଦିଆଲି ପର୍ବ ଦିନ ଜମିରୁ ଅମଳ ହୋଇଥିବା ନୂଆ ଧାନର ଚାଉଳରେ ପ୍ରଥମେ ଖିରି ତିଆରି କରିଥିଲେ । ସେହିପରି ବିଭିନ୍ନ ରକମର ପିଠା ତିଆରି ହୋଇଥିଲା। ଉକ୍ତ ଖିରି ଓ ବିଭିନ୍ନ ପିଠାକୁ ପ୍ରଥମେ ଘରର ଇଷ୍ଟ ଦେବାଦେବୀଙ୍କ ନିକଟରେ ଭୋଗ ଲାଗି କରିବା ପରେ ପରିବାର ଲୋକ ଏହାକୁ ପ୍ରସାଦ ଭାବେ ଗ୍ରହଣ କରିଥିଲେ। ସେହିପରି ନୁଆଁ ଧାନ ର ଚାଉଳ, ମୁଗ, ବିରି, କୋଳଥ ଓ ବିଭିନ୍ନ ପ୍ରକାର କନ୍ଦମୂଳ ରେ ଖେଚୁଡ଼ି ତିଆରି କରି ସେଥିରେ ବିଭିନ୍ନ ପ୍ରକାର ପିଠା ପକାଇ ଗାଈଗୋରୁଙ୍କୁ ଖାଇବା ପାଇଁ ଦିଆଯାଇଥିଲା ଏବଂ ପରିବାର ଲୋକ ଆନନ୍ଦରେ ଖାଇଥିଲେ। ଦିଆଲି ପର୍ବ ପାଳନ ଶେଷ ହେବା ପରେ ଗାଈଗୋ ରୁଙ୍କୁ ଗୁହାଳରେ ନବାନ୍ଧି ମୁକ୍ତ କରି ଦିଆଯାଇଥିଲା । ସେହିପରି ଦିଆଲି ପର୍ବ ଦିନ ନିଜ ସମ୍ପର୍କୀୟମାନଙ୍କୁ ଘରକୁ ନିମନ୍ତ୍ରଣ କରାଯାଇଥିଲା । ସେହିପରି ବ୍ଲକର କିଛି ଗ୍ରାମରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଦେଶିଆ ନାଟକ ଓ ଗ୍ରାମର ଯୁବକଯୁବତୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଦିଆଲି ପର୍ବକୁ ଲୋକେ ଆଡ଼ମ୍ବର ସହକାରେ ପାଳନ କରିଥିଲେ।
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ


