ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ କବିତା//ନୂଆ ବର୍ଷକୁ ପଦେ

   ନୂଆ ବର୍ଷକୁ ପଦେ

ତୁମେ ପରିବ୍ୟାପ୍ତ ସମୟ ସାଗରର ଊର୍ମିଟିଏ ମାତ୍ର
ବିସ୍ତୀର୍ଣ୍ଣ ମରୁପ୍ରାନ୍ତରର ସିକତା ରାଶିରେ ରେଣୁଟିଏ
ତୁମକୁ ସ୍ବାଗତ ସମ୍ବର୍ଦ୍ଧନା
କରିବ କେ କିପରି?
ବନ୍ଧୁ ପ୍ରିୟଜନ ହରାଇ
ବେଦନା ବ୍ବିଧୁରିତ ପ୍ରାଣ
ବ୍ୟଥିତ ହୃଦୟ
ଏକା ଏକା କି ସ୍ବାଗତ !
କି ଉତ୍ସବ?
ଏମିତି ବର୍ଷ ସବୁ ଆସିଥିଲେ 
ମହା ଆଡମ୍ବରେ
ଦୁଃଖ ଯାତନା ଯାହା ଦେଲେ
କହିଲେ ନସରେ
ଏ ଶୀତୁଆ ରାତିର
ନିଝୁମ୍ ପହରେ
ତୁମ ନାଲି ଗୁଲୁଗୁଲୁ 
ପାଦ କାହିଁକି ଉଛନ୍ନ?
ସମୟ ମାତୃଗର୍ଭକୁ ଧକ୍କା
ମାରେ ବାରମ୍ବାର
ତୁମେ କ’ଣ ବଦଳେଇପାରିବ
ସମୟ ରୀତିକୁ?
ତୁମ ସମୟରେ କ’ଣ
ମହାବଳର ଆଖି ଦପ୍ ଦପ୍
ହେବନାହିଁ ଜାନ୍ତବ କ୍ଷୁଧାରେ?
ତୁମେ କ’ଣ ଛିଣ୍ଡାଇପାରିବ
ରାମମୁଖାପିନ୍ଧା ରାବଣର ମୁଖା?
ତୁମେ କ’ଣ ଭାଙ୍ଗିପାରିବ
ନିଜ ଢୋଲ ନିଜେ ପିଟୁଥିବା ମଣିଷଙ୍କ ଢୋଲ?
ତୂମେ କ’ଣ ଫମ୍ପା ଆୱାଜ୍ କୁ ନିସ୍ତବ୍ଧ କରିଦେବ?
ତୁମେ କ’ଣ ଧୁଆଁବାଣକୁ
ନିଷ୍ପ୍ରଭ କରିଦେବ
ସର୍ବୋପରି ତୁମେ କ’ଣ
ନୈତିକ ବୁଭୂକ୍ଷୁ ଜଗତ ଜନତାଙ୍କ ହୃଦେ
ନୈତିକତାର ଦିହୁଡି 
ଜାଳିପାରିବ?
ଯଦି ହଁ——-
ତେବେ ଆସ
ସୁସ୍ବାଗତ
ଯଦି ନା——-
ତେବେବି ତୁମେ ଆସିବ
କାଳର କରାଳ ଗତିକୁ
 କିଏ ବା ରୋକିବ?
କିନ୍ତୁ,
କ୍ରମେ କ୍ରମେ ତୁମ ଆଗମନୀବି ନିଷ୍ପ୍ରଭ ହୋଇଯିବ
ସମୟର ହିସାବ ରଖିବାକୁ 
କେହି ଜଣେ ବି ନଥିବ।

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ 

ଗ୍ରନ୍ଥାଗାର ଅଧିକ୍ଷକା 
ଡେରାବିସ ମହା ବିଦ୍ୟାଳୟ

Related posts

ପ୍ରେମଲତା ଙ୍କ କବିତା // ଭାବନାରେ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଉତ୍କଳ ଦିବସ

masiha

ଚନ୍ଦ୍ରକଳା ଦେବୀ ଙ୍କ କବିତା// ସୁସ୍ୱାଗତମ ନବ ବରଷ

Sunil Chandra Nayak

Leave a Comment

error: Content is protected !!