ନର୍ଲା (ମସିହା) କଳାହାଣ୍ଡିର ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ, ସାହିତ୍ୟିକ ତଥା ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ରାଜ୍ୟସ୍ତରୀୟ କଳାରୁଦ୍ର ଲୋକ ମହୋତ୍ସବରେ ମର୍ଯ୍ୟାଦାଜନକ କଳାହାଣ୍ଡି ଗବେଷକ ସମ୍ମାନ-୨୦୨୩ ରେ ସମ୍ମାନିତ ହୋଇଛନ୍ତି। ସେ ତରୁଣ ବୟସରୁ ସାହିତ୍ୟ ସାଧନାରେ ନିମଜ୍ଜିତ ରହି ବହୁ କବିତା, ଗଳ୍ପ ଓ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦିତ କରିଛନ୍ତି। ଆଦିବାସୀଙ୍କ ଲୁପ୍ତପ୍ରାୟ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରି ଲୋକଲୋଚନକୁ ଆଣିବାରେ ଡକ୍ଟର ବେହେରାଙ୍କ ଅବଦାନ ଅତୁଳନୀୟ। ସେ ସମ୍ୱଲପୁର ବିଶ୍ଵବିଦ୍ୟାଳୟରେ ‘କଳାହାଣ୍ଡିର ଲୋକଦେବତା’ ରେ ପି.ଏଚ୍.ଡି. ଓ ‘କନ୍ଧ ସଂସ୍କୃତି’ ଊପରେ ଡି.ଲିଟ୍ ଡିଗ୍ରୀ ସହିତ ଭାରତ ସରକାରଙ୍କ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରୁ ଜୁନିଅର ଫେଲୋସିପ ପାଇ ସୁନାମ ଅର୍ଜନ କରିଛନ୍ତି। ଏଯାବତ୍ ତାଙ୍କର କବିତା ସଙ୍କଳନ ତୁମେ ଓ କଳାହାଣ୍ଡିର ଲୋକବିଶ୍ୱାସ ଗବେଷଣାମୂଳକ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ କନ୍ଧ ଲୋକଧାରା ଓ କନ୍ଧାନ ଭାଷା ଓ ସାହିତ୍ୟ ପ୍ରକାଶ ଅପେକ୍ଷାରେ ରହିଛି। ଡକ୍ଟର ବେହେରା ସଂପ୍ରତି କଶୃପଡା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ଲୋକ ମହୋତ୍ସବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି, ବିଶିଷ୍ଟ ଓକିଲ ତଥା ସମାଜସେବୀ ସତ୍ୟ ନାରାୟଣ ସାହୁ ମୁଖ୍ୟବକ୍ତା ଓ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସନତ କୁମାର ସାହୁ ଓ ତ୍ରିଲୋଚନ ସାହୁ ମଞ୍ଚ ପରିଚାଳନା କରିଥିଲେ।
ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ