ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜାନକୀ ମହାନ୍ତ ଙ୍କ କବିତା // ମୋ’ ଅଧାଗଢ଼ା ଚକାଡୋଳା

 ମୋ’ ଅଧାଗଢ଼ା ଚକାଡୋଳା

   

   ଜାନକୀ ମହାନ୍ତ

ହେ ସୃଷ୍ଟିର ସ୍ରଷ୍ଟା ହେ ବିଶ୍ୱ ନିୟନ୍ତା
ବିଚିତ୍ର ତୋହରି ଲୀଳା,
ସଂସାରକୁ କରି ସୁନ୍ଦର ସମ୍ପୂର୍ଣ୍ଣ
ଅଧାଗଢ଼ା ଚକାଡୋଳା।।
ହାତ ଖଣ୍ଡିଆକୁ ଗୋଡ଼ ବି ଖଣ୍ଡିଆ
କର୍ଣ୍ଣଦ୍ୱୟ ତୁମ ନାହିଁ,
ସୁନ୍ଦର ଜଗତ ଗଢ଼ିଲୁ କାଳିଆ
ଏପରି ତୋ’ ରୂପ କାହିଁ?
 
ରାଧା ମୀରା ଲକ୍ଷ୍ମୀ ସୀତା ଦ୍ରଉପଦି
କରି ଅପୂର୍ବ ସୁନ୍ଦରୀ,
ଅହଲ୍ୟା ପାଷାଣୀ କୁବ୍ଜା ରୂପକାନ୍ତି
ଫେରାଇଲୁ ତୁ ମୁରାରୀ।।
ହେ ନନ୍ଦ ନନ୍ଦନ କାଳୀୟଦଳନ
ଆହେ ପ୍ରଭୁ ବଂଶୀଧାରୀ, 
ତୋର ନାମାମୃତ ଆହାଃ କି ମଧୁର 
ପାନକରେ ନିତି ହରି ।।
ଯଶୋଦାର ବଳା ନୟନ ପିତୁଳା
ସାଙ୍ଗ ମେଳରେ ତୁ’ ଯାଇ
ତୋତେ ନ ରୁଚଇ କ୍ଷୀର ସରପୁଳି
ଖାଉ ଲବଣୀ ଚୋରାଇ ।।
ପୁତନାର ପ୍ରାଣ କରିଲୁ ହରଣ
କଂସକୁ କରିଣ ବଦ୍ଧ,
ତ୍ରେତୟାରେ ତୁହି ନାଶିଲୁ ରାବଣ
ରାମଚନ୍ଦ୍ର ନାଁ’ ପ୍ରସିଦ୍ଧ ।।
କୁହ ଗିରିଧାରୀ ବିଳମ୍ବ ନ କରି
ଅନ୍ତରୁ ନ କରି ଅନ୍ତର?
ମୋ ମନ ମନ୍ଦିରେ ରହି ଥିବୁ ସଦା
କେବେ କରିବୁନି ପର ।।
ଧର୍ମ ଅବତାରୀ ସତ୍ୟର ନାଉରୀ
ଅଧର୍ମକୁ ପରିହାରି,
ସଚ୍ଚୋଟ ପଥେ ମୋ’ ଦୁଃଖ ଲଦି ଦିଅ
କଷ୍ଟ ଲାଗେ ମୋତେ ଭାରି ।।
କର ଅବଗତ ଆହେ ଜଗନ୍ନାଥ
ଅଟେ ତୋର ଦେବଦାସୀ, 
ତୋ’ର ଶ୍ରୀମନ୍ଦିର କଲାଣି ଆକଣ୍ଠ
ତୋ’ ଲାଗି ନାଚିବି ହସି।।
ମୋ ପାଦରେ ବାନ୍ଧି ଘୁଙ୍ଗୁର ଘାଗୁଡି
ନାଚୁଥିବି ତାଳେ ତାଳେ,  
ମୋ ପ୍ରାଣ ସ୍ରୋତକୁ ତୋ’ ପ୍ରାଣେ ଭସାଇ
ଗୀତ ଗୋବିନ୍ଦର ତାଳେ।।
ନିର୍ମଳ ହୃଦୟ ନିଷ୍କପଟ ମନ
ପ୍ରଭୁଙ୍କର ପ୍ରିୟ ଜାଣ,
ମିଥ୍ୟା ଛଳନାର କପଟ ଅନ୍ତରେ
ମିଳେନି ଶ୍ୟାମ ଦର୍ଶନ।।
ହେ କ୍ଷମା ସାଗର ଚିରଞ୍ଜିବୀ ମୋର
ଭକ୍ତିରେ ହୋଇ ବିଭୋର, 
ଅବଶିଷ୍ଟ ଦିନ ଭଜନ ଲେଖିବି
ସେବି ଶ୍ରୀଚରଣ କିଙ୍କର।।

 ରାଜ୍ୟ ଉପ-ସଭାପତି

ଓଡ଼ିଶା ସାହିତ୍ୟିକ ସଂଗଠନ
 ଭୁବନେଶ୍ୱର, ଓଡ଼ିଶା
   ବେଙ୍ଗାଲୁରୁ

Related posts

ପୁଜା ବାଦି  ଙ୍କ କବିତା — “ମୁକ୍ତି ର ରୂପଭ୍ରମ (ମୃଗମାରିଚିକା)”

Sunil Chandra Nayak

ଜଗଦୀଶ ଶତପଥୀ ଙ୍କ କବିତା__ କଳା କହ୍ନେଇ __

Sunil Chandra Nayak

ସମୀର କୁମାର ପ୍ରଧାନ ଙ୍କ କବିତା = କୃଷକ ର ପର୍ବ ଅକ୍ଷୟ ତୃତୀୟା

masiha

Leave a Comment

error: Content is protected !!