ବଲାଙ୍ଗୀର,୧୪/୦୧ ସହର ସବୁ ଜଳାଶୟ ର ହେବ ପୁନରୁଦ୍ଧାର । ପ୍ରାକୃତିକ ଉପାୟରେ ଜଳାଶୟର ସୌନ୍ଦର୍ଯ୍ୟକରଣ କରି ପାନୀୟ ଜଳ ଯୋଗ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଚାଳିଶ ବର୍ଷ ପୂର୍ବେ ଏହି ସବୁ ଜଳାଶୟ ଉପରେ ଲୋକ ନିର୍ଭର କରି ଆସୁଥିଲେ ଏବଂ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ । ହେଲେ ସମୟାନୁକ୍ରମେ ଏବେ ଏହି ଜଳାଶୟ ସବୁ ବ୍ୟବହାର ଯୋଗ୍ୟ ନଥିବାବେଳେ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର ହେବା ନେଇ କୁହାଯାଇଛି ।ଏହି ପରିପ୍ରେକ୍ଷୀରେ ଭାରତର ଲେକ ମ୍ୟାନ କୁହାଯାଉଥିବା ଆନନ୍ଦ ମାଳିଗୁଡ଼ିଆ ଆସି ବଲାଙ୍ଗୀରରେ ପହଞ୍ଚିଛନ୍ତି । ବେଙ୍ଗାଲୁରୁର ଆନନ୍ଦ ମାଳିଗୁଡ଼ିଆ ଯିଏ କି ଦେଶର ବିଭିନ୍ନ ସ୍ଥାନରେ ଜଳାଶୟ ଗୁଡିକ ଉପରେ କାମ କରି ସେସବୁର ପୁନରୁଦ୍ଧାର କରି ଆସୁଛନ୍ତି । ଏଥିପାଇଁ ସାରା ଦେଶରେ ତାଙ୍କୁ ଲୋକେ ଲେକ ମ୍ୟାନ ଭାବରେ ଜାଣନ୍ତି । ତେବେ ବଲାଙ୍ଗୀର ପୌରପରିଷଦର ନିମନ୍ତ୍ରଣରେ ସେ ଆସି ପହଞ୍ଚିଛନ୍ତି । ସେହିପରି ଓଡିଶା ନଗର ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ କବି ଦାସ, ଜଳାଶୟ ପୁନରୁଦ୍ଧାର ୟୁନିଟ ଓଡିଶା ଉପଦେଷ୍ଟା ଦେବ ସୁନ୍ଦର ମହାପାତ୍ର ପ୍ରମୁଖ ଆସିଥିଲେ । ପୌର ପରିଷଦ କାଉନସିଲର ଓ ଅଧ୍ୟକ୍ଷା ମିଳିତ ଭାବେ ସହରର ବିଭିନ୍ନ ଜଳାଶୟ ବୁଲି ଦେଖିଥିଲେ । ଜଳାଶୟ ଗୁଡିକର ସୌନ୍ଦର୍ଯ୍ୟକରଣ କଲେ ପାଣିର ଗୁଣ ବଦଳିବ ନାହିଁ । ତେଣୁ ପ୍ରାକୃତିକ ଭାବରେ ପାଣିକୁ ବ୍ୟବହାର ଯୋଗ୍ୟ କରାଯିବ ବୋଲି ଆନନ୍ଦ ମାଳିଗୁଡ଼ିଆ କହିଛନ୍ତି ।ଯେଉଁଥିରେ ବଲାଙ୍ଗୀରର ସର୍ବ ପୁରାତନ ମହାରାଣୀ ସାଗର ମଧ୍ୟ ସମ୍ପୃକ୍ତ ଅଟେ । ତେବେ ଏହାର ପ୍ରଥମେ ପୁନରୁଦ୍ଧାର ହେବ । ମହାରାଣୀ ସାଗରର ପାଣିକୁ ଶୁଖାଇ ଏହାର ପଙ୍କ ଉଦ୍ଧାର କରାଯିବ । ଜଳାଶୟ ମଧ୍ୟରେ ତଥା ଚାରିପଟରୁ ଯେମିତି ଆବର୍ଜନା ନ ମିଶିବ ସେଥି ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ତେବେ ଏହାର କାମ ଖୁବ ଶୀଘ୍ର ଆରମ୍ଭ ହୋଇ ଜୁନ ସୁଦ୍ଧା ପାଣି ସମ୍ପୂର୍ଣ୍ଣ ବ୍ୟବହାର ଯୋଗ୍ୟ ହେବ ବୋଲି ଆନନ୍ଦ ମାଳିଗୁଡ଼ିଆ କହିଛନ୍ତି । ଏଥିରେ ଅନ୍ୟ ଜଳାଶୟମାନଙ୍କୁ ମଧ୍ୟ ଯୋଡ଼ା ଯିବ ଯାହା ସାରା ଓଡ଼ିଶାରେ ପ୍ରଥମ । ଏଥି ପାଇଁ ସରକାର ଟଙ୍କା ଅନୁଦାନ କରିସାରିଥିବା ଓଡିଶା ନଗର ଉନ୍ନୟନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଭକ୍ତ କବି ଦାସ କହିଛନ୍ତି।
previous post