ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଓଡ଼ିଶାର ରେଳ ବିକାଶ ପାଇଁ ୧୦ ହଜାର କୋଟି ବ୍ୟୟବରାଦ

ରାଜ୍ୟସରକାର ମାଗିଥିଲେ ୮,୪୦୦ କୋଟି, ମିଳିଲା ୧୦ ହଜାର ୧୨ କୋଟି

୨୦୨୨-୨୩ ଆର୍ଥିକ ବର୍ଷରେ ମିଳିଥିଲା ୯୭୩୪ କୋଟି
ଖୋର୍ଦ୍ଧା-ବଲାଙ୍ଗୀରକୁ ୧୬୦୦ କୋଟି, ୫୭ ଷ୍ଟେସନ୍‌ ଉନ୍ନତି ହେବ
ଲିଙ୍ଗରାଜ ରୋଡ୍‌ ଷ୍ଟେସନରୁ ପୁରୀକୁ ଚାଲିବ ବନ୍ଦେ ମେଟ୍ରୋ ଟ୍ରେନ୍‌…..

 କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର କୋଟିରୁ ବି ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ରେଳ ଅନୁଦାନ ବାବଦରେ ରାଜ୍ୟ ସରକାର ୮୪୦୦ କୋଟି ଟଙ୍କା ମାଗିଥିଲେ । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶା ମାଗିଥିବା ପରିମାଣଠୁ ପ୍ରାୟ ୧୬୧୨ କୋଟି ଟଙ୍କା ଅଧିକ ଆବଣ୍ଟନ କରିଛନ୍ତି । କେନ୍ଦ୍ର ସରକାର ବଜେଟ୍‌ରେ ରାଜ୍ୟରେ ରେଳ ବିକାଶ ପାଇଁ ୧୦ ହଜାର ୧୨ କୋଟି ଟଙ୍କା ଦେଇଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ କହିଛନ୍ତି । ୨୦୨୨-୨୩ରେ ରେଳର ବିକାଶ ପାଇଁ ୯୭୩୪ କୋଟି ଟଙ୍କା ମିଳିଥିଲା । ହେଲେ ଚଳିତବର୍ଷ ଗତବର୍ଷ ତୁଳନାରେ ମଧ୍ୟ ଅଧିକ ମିଳିଛି । ପୂର୍ବରୁ ୨୦୦୯ରୁ ୨୦୧୪ ମଧ୍ୟରେ ରେଳର ବିକାଶ ପାଇଁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିଲା । ମାତ୍ର ଚଳିତବର୍ଷ ଏହି ଅନୁଦାନ ପାଖାପାଖି ୧୦୯୫% ବୃଦ୍ଧି ପାଇଛି ବୋଲି ରେଳ ବିଭାଗ ଦାବି କରିଛି ।

ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବଜେଟରେ ୧୬ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଜୟନଗରମ ଓ ସମ୍ବଲପୁର ତୃତୀୟ ରେଳ ଲାଇନ୍‌ ପାଇଁ ୯୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ଓଡ଼ିଶାରେ ୫୭ଟି ରେଳ ଷ୍ଟେସନର ଉନ୍ନତିକରଣ କରାଯିବ । ସେଥି ମଧ୍ୟରୁ ପୁରୀରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ବୈଜ୍ଞାନିକ ଜ୍ଞାନ କୌଶଳରେ କାମ କରାଯାଉଛି । ରାଜଧାନୀ ଭୁବନେଶ୍ୱର ଷ୍ଟେସନରେ ମଧ୍ୟ ଉନ୍ନତିକରଣ କାମ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ସରି ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ସେହିପରି ଲିଙ୍ଗରାଜ ରୋଡ୍‌ ଷ୍ଟେସନର ମଧ୍ୟ ବିକାଶ କରାଯିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଲିଙ୍ଗରାଜ ରୋଡ୍‌ ଷ୍ଟେସନ୍‌କୁ ବ୍ୟାଟେରି ଓ ହାଇଡ୍ରୋଜେନ୍‌ ଗାଡି ଚାଲିବ । ଅନୁଗୁଳ, ବାଦାମପାହାଡ, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡବିଲ୍‌, ବରଗଡ଼ ରୋଡ୍‌, ବାରିପଦା, ବରପାଲି, ବେଲପାହାଡ଼, ବେତନଟି, ଭଦ୍ରକ, ଭବାନିପାଟଣା, ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଦାମନଯୋଡି, ଗୁଣୁପୁର, ହରିଶଙ୍କର ରୋଡ୍‌, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍‌, ଜଳେଶ୍ୱର, ଜରୋଲି, ଜୟପୁର, ଝାରସୁଗୁଡ଼ା, ଝାରସୁଗୁଡ଼ା ରୋଡ୍‌, କଣ୍ଟାବାଞ୍ଜି, କେନ୍ଦୁଝରଗଡ଼, କୋରାପୁଟ, କେସିଙ୍ଗା, ଖରିଆର ରୋଡ୍‌, ଖୋର୍ଦ୍ଧା ରୋଡ୍‌, ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍‌ ପ୍ରମୁଖ ଷ୍ଟେସନଗୁଡିକର ଉନ୍ନତିକରଣ କାର୍ଯ୍ୟ କରାଯିବ । ତେବେ ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌ର ଗୋଟିଏ ପାର୍ଶ୍ଵର କାମ ସରିଥିବା ବେଳେ ଶୀଘ୍ର ଦ୍ୱିତୀୟ ପାର୍ଶ୍ଵର କାମ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ କହିଛନ୍ତି ।

ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିମାନବନ୍ଦରରୁ ଲିଙ୍ଗରାଜ ରୋଡ୍‌ ଷ୍ଟେସନ୍‌କୁ ବ୍ୟାଟେରି କିମ୍ବା ହାଇଡ୍ରୋଜେନ୍‌ ଗାଡ଼ି ଚଳାଇବା ବ୍ୟବସ୍ଥା କରାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସାରା ବିଶ୍ୱରୁ ଆସୁଥିବା ଲୋକ ଉପକୃତ ହୋଇପାରିବେ । ସୁନ୍ଦର ବିଶ୍ୱସ୍ତରୀୟ ଟ୍ରେନ୍‌ରେ ବସି ପୁରୀ ଯିବେ ଭକ୍ତ । ମଞ୍ଚେଶ୍ୱର, ମେରାମୁଣ୍ଡଳୀ, ମୁନିଗୁଡ଼ା, ନ୍ୟୁ ଭୁବନେଶ୍ୱର, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ରଘୁନାଥପୁର, ରେଢାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ୍‌ ଓ ଟିଟିଲାଗଡ଼ ଷ୍ଟେସନର ଉନ୍ନତିକରଣ କରାଯିବ ।

ରାଜ୍ୟରେ ୪.୫ କୋଟି ଓଡ଼ିଆଙ୍କ ସେବା କରିବା ପାଇଁ ସମସ୍ତେ ରାଜନୀତିରୁ ଉଦ୍ଧ୍ୱର୍ରେ ରହି କାର୍ଯ୍ୟ କରିବା ଦରକାର । ବିକାଶ ସହ ରାଜନୀତିକୁ ଯୋଡିବା ଠିକ୍‌ ନୁହେଁ । ତେବେ ଓଡ଼ିଶାରେ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ କେତେକ ରେଳପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି । ତେଣୁ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ବାଧା ଦୂର କରିବା ଆବଶ୍ୟକ ବୋଲି ରେଳମନ୍ତ୍ରୀ କହିଥିଲେ । ବନ୍ଦେ ଭାରତ ଟ୍ରେନ୍‌ ଭଳି ବନ୍ଦେ ଭାରତ ମେଟ୍ରା ୩୫-୫୦ କିମି ଥିବା ଷ୍ଟେସନ ଭିତରେ ଚାଲିବ । ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ମେଟ୍ରା ଲିଙ୍ଗରାଜ ରୋଡ୍‌-ପୁରୀ ଭିତରେ ଚାଲିବା ଯୋଜନା ହୋଇଛି ।

ରାଜ୍ୟରେ ୨୮୦ କିମି ନୂଆ ରେଳଲାଇନ ନିର୍ମାଣ ଲାଗି ଚଳିତବର୍ଷ ୨୫୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଦ୍ୱିତୀୟ ରେଳ ଲାଇନ୍‌ ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବହୁ ପ୍ରତୀକ୍ଷିତ ରାଉରକେଲା-ଝାରସୁଗୁଡ଼ା ୧୦୧ କିମି ତୃତୀୟ ଲାଇନ ନିର୍ମାଣ ପାଇଁ ୧୨୬ କୋଟି ଟଙ୍କା, ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ ନିର୍ମାଣ ପାଇଁ ୩୯ କୋଟି, ଭଦ୍ରକ-ଖଡ଼ଗପୁର ପାଇଁ ୩୭ କୋଟି, ନାରାୟଣଗଡ଼-ଭଦ୍ରକ ୧୫୫ କିମି ତୃତୀୟ ଲାଇନ୍‌ ଇପାଇଁ ୫୦୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ସୂଚନା ଦେଇଛନ୍ତି । ପୂର୍ବତଟ ରେଳପଥ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମହାପ୍ରବନ୍ଧକ ଶରତ କୁମାର ଶ୍ରୀବାସ୍ତବ, ପ୍ରମୁଖ ଯନ୍ତ୍ରୀ ଏନ୍‌ ଏସ୍‌ ଉଇକି, ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ବିଶ୍ୱଜିତ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭାରତରେ ରିଭର କ୍ରୁଜ୍‌ର ନୂଆଯୁଗ

Sunil Chandra Nayak

ଟଙ୍କା ଫେରିପାଇବେ ସାହାରା ଚିଟଫଣ୍ଡ ଜମାକାରୀ.. ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା

Sunil Chandra Nayak

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା

Sunil Chandra Nayak

Leave a Comment

error: Content is protected !!