ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଓଡ଼ିଆଙ୍କ ଅନ୍ୟତମ ଗଣପର୍ବ ଅଗ୍ନି ଉତ୍ସବ

 ତିର୍ତ୍ତୋଲ :-05/02/23:-ଅଗ୍ନି ଉତ୍ସବ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ଶୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ । ଏଥି ନିମନ୍ତେ ଗ୍ରାମର କମାର ତାଙ୍କ ଶାଳକୁ ଲିପା ପୋଛା କରି ଏବଂ ଶାଣ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିବା ପରେ ଅଗ୍ନି ସଂଗ୍ରହ କରାଯାଏ । ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି । ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ । ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାଶ୍ୱର୍ ପ୍ରଦକ୍ଷିଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ନିକ୍ଷେପ କରିଥାଆନ୍ତି । ଲୋକମାନଙ୍କର ବିଶ୍ୱାସ ରହିଛି ଯେ; ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ । ଆଉ ମଧ୍ୟ ବିଶ୍ୱାସ ରହିଛି ଅଗ୍ନି ନିଅାଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ । ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ । କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ । ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା । ମାଘ ପୂର୍ଣ୍ଣମୀ ପରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚାଳ ଛପର କାର୍ଯ୍ୟ କରିଥାଆନ୍ତି । କଥାରେ ଅଛି-‘ଘର ପୋଡ଼ିଠାରୁ ବିପତ୍ତି ନାହିଁ ।’ ତେଣୁ ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ ।

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରାଇରଙ୍ଗପୁରରେ ଶ୍ରୀ ରଘୁନାଥ ଜୀଉଙ୍କ ଦୁର୍ଲଭ ନବଯୌବନ ଦର୍ଶନ

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା 

Sunil Chandra Nayak

ରାୟଗଡାରେ ଭାଗବତ କଥାମୃତକୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!