ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନର୍ଲା ଶିବ ମନ୍ଦିରର ଶିଳାଲେଖର ପାଠୋଦ୍ଧାର, କଳାହାଣ୍ଡି ଇତିହାସକୁ ନୂତନ ଆଲୋକ ପ୍ରଦାନ

ନର୍ଲା ୧୯/୧(ମନିସ)କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଶୈବପୀଠ ଏକ ଐତିହାସିକ ପୁରାତନ କୀର୍ତ୍ତିରାଜିର ପ୍ରମୁଖ ସ୍ଥାନ ଅଟେ। ଏଠାରେ ଆବିଷ୍କୃତ ପୁରାତନ ଶିଳାଲେଖ କଳାହାଣ୍ଡି ଇତିହାସର ଏକ ନୂତନ ଦିଗକୁ ଆବିଷ୍କାର କରେ। ଗତ ୨୦୨୨ ଅପ୍ରେଲ ୨୬ ତାରିଖ ଦିନ ପ୍ରଚଣ୍ଡ ରୌଦ୍ରତାପରେ ସମ୍ବଲପୁରରୁ ପ୍ରାୟ ଦୁଇ ଶହ କିଲୋମିଟର ଯାତ୍ରା କରି ନର୍ଲାରେ ପହଞ୍ଚିଥିଲେ ବିଶିଷ୍ଟ କବି, ଐତିହାସିକ ତଥା ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ବୈଷୟିକ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶଶାଙ୍କ ଶେଖର ପଣ୍ଡା। ନର୍ଲାସ୍ଥିତ ପ୍ରାଚୀନ ଶିବ ମନ୍ଦିର ବାହାର କାନ୍ଥରେ ଆବହମାନ କାଳରୁ ରହିଥିବା ପ୍ରସ୍ତର ଶିଳାଲେଖର ପାଠୋଦ୍ଧାର କରିବା ପାଇଁ ବିଶିଷ୍ଟ ଐତିହାସିକ ମ.ରାମପୁରର ମିହିରେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ସ୍ଥାନୀୟ ସାମ୍ବାଦିକ ପ୍ରଦୀପ କୁମାର ଗଉଡ, ଶୁଶାନ୍ତ ଚାନ୍ଦଙ୍କର ସହାୟତା କ୍ରମେ ତଥା ଶିବମନ୍ଦିର ପରିଚାଳନା କମିଟିର ସହଯୋଗରେ ଏହି ପ୍ରସ୍ତର ଶିଳାଲେଖରେ ସମୟକ୍ରମେ ଲାଗିଥିବା ଚୁନର ବହଳ ପ୍ରଲେପ ପରିସ୍କାର କରି ଓଡ଼ିଶାର ବିଶିଷ୍ଟ ଲିପିତତ୍ବବିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟଙ୍କ ନିକଟକୁ ଶିଳାଲେଖର ଫଟୋ ଚିତ୍ରମାନ ପାଠୋଦ୍ଧାର ପାଇଁ ପ୍ରେରଣ କରିଥିଲେ। ଏହି ଶିଳାଲେଖଟି ଦ୍ଵାଦଶ ଶତାବ୍ଦୀରେ କମଳମଣ୍ଡଳ ଶାସନ କରୁଥିବା ରାଜା ମଦନ ମହାଦେବଙ୍କର ବୋଲି ପୂର୍ବରୁ ଐତିହାସିକ ମାନଙ୍କର ଧାରଣା ରହିଥିଲା। କେବଳ ବିଶ୍ଵବିଖ୍ୟାତ ଲିପିତତ୍ବବିତ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ ୧୯୪୮ ମସିହାରେ ନର୍ଲା ଶିବ ମନ୍ଦିରର ଏହି ଶିଳାଲେଖ ସଂପର୍କରେ ସେ ବଲାଙ୍ଗୀରରୁ ପ୍ରକାଶ ପାଉଥିବା କଳିଙ୍ଗ ହିଷ୍ଟୋରିକାଲ ସୋସାଇଟି ଜଣ୍ଣାଲରେ ପ୍ରକାଶିତ ତାଙ୍କର ଗ୍ରସ୍ତ ବିବରଣୀରେ ତିନିଧାଡିର ରିପୋର୍ଟରେ ଏହି ଶିଳାଲେଖ ଜଣେ ରାଣୀ ଜମିଦାନ କରିଥିବା ସୂଚନା ପ୍ରଦାନ କରିଥିଲେ। ରାଜଗୁରୁଙ୍କ ସମ୍ୟକ ଧାରଣା ଏବେ ଏହି ଶିଳାଲେଖର ପାଠୋଦ୍ଧାର ପରେ ସତ୍ୟ ପ୍ରମାଣିତ ହୋଇଛି। ନର୍ଲା ଶିଳାଲେଖର ପାଠୋଦ୍ଧାରରୁ ଜଣାପଡିଛି ଯେ ରାଜଜନନୀ ଶ୍ରାବକ ମହାଦେବୀ ମହାମାଣ୍ଡଳିକ ଶାଂକିଲ୍ୟଙ୍କର ରାଜତ୍ୱର ଷଷ୍ଠ ବର୍ଷରେ ଏହି ଭୂମିଦାନ କରିଥିଲେ। ଶିଳାଲେଖରେ ଶାଂକିଲ୍ୟଙ୍କୁ ସ୍ତମ୍ଭେଶ୍ଵରୀ ବରଲବଧ ପ୍ରସାଦ ରାଷ୍ଟ୍ରକୁଟ ତିଲକ ଭାବରେ ଉଲ୍ଲେଖ କରାଯାଇଛି। ଏହି ଶିଳାଲେଖଟି ନବମ ଶତାବ୍ଦୀର ଦେବନାଗରୀ ଲିପିରେ ଲିଖିତା ସୋମବଂଶୀ ଶାସନର ପ୍ରତିଷ୍ଠାତା ମହାରାଜାଧିରାଜ ଶ୍ରୀ ଜନ୍ମେଜୟଙ୍କର ରାଜତ୍ୱର ତେଇଶ ବର୍ଷରେ କୋଲ୍ଲେଡ ମଣ୍ଡଳରୁ ଶାସନ କରୁଥିବା ସାମନ୍ତ ରାଷ୍ଟ୍ରକୁଟ ବଂଶୀୟ ଦେବପ୍ୟଙ୍କର ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ସଂରକ୍ଷିତ ତ୍ରିଫଳୀ ତାମ୍ର ଶାସନରେ ସେ ନିଜକୁ ରାଷ୍ଟ୍ରକୁଟ ତିଳକ ରାଣକ ଶ୍ରୀ ଶାଂକିଲ୍ୟଙ୍କ ପୁତ୍ର ଭାବରେ ଅଭିହିତ କରିଛନ୍ତି। ଶ୍ରୀ ଶାଂକିଲ୍ୟଙ୍କୁ ସେ ମହାରାଜାଧିରାଜ ମହାମଣ୍ଡଳେଶ୍ଵର ଭାବରେ ଉଲ୍ଲେଖ କରିଥିବାରୁ ଶ୍ରୀ ଶାଂକିଲ୍ୟ ଯେ ସୋମବଂଶୀ ମହାରାଜା ଜନ୍ମେଜୟ ୮୫୦ ସାଲ ଆଡ଼କୁ ପଶ୍ଚିମ ଓଡ଼ିଶାରେ ସୋମବଂଶୀ ଶାସନର ପ୍ରତିଷ୍ଠା କରିବା ବେଳକୁ ରାଷ୍ଟ୍ରକୁଟ ବଂଶୀୟ ଶାଂକିଲ୍ୟ ତେଲନଦୀ ଉପତ୍ୟକାର ନର୍ଲା ଆଦି ଅଞ୍ଚଳକୁ ଜଣେ ସାର୍ବଭୌମ ରାଜା ଭାବରେ ଶାସନ କରୁଥିଲେ ଏ କଥା ନିଶ୍ଚିତ ଭାବରେ କୁହାଯାଇ ପାରେ। ଏହି ରାଷ୍ଟ୍ରକୁଟମାନେ କର୍ଣ୍ଣାଟକର ମୟୁରଖଣ୍ଡିରୁ ଶାସନ କରୁଥିବା ରାଷ୍ଟ୍ରକୁଟ ସମ୍ରାଟ ଗୋବିନ୍ଦ ତୃତୀୟଙ୍କର ୮୧୨ ସାଲରେ ଉତ୍ତର ଭାରତ ସାମରିକ ଅଭିଯାନ ସମୟରେ ପାଣ୍ଡୁ ବଂଶୀ ସାମ୍ରାଜ୍ୟର ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଦଖଲ କରି ଭବାନୀପାଟଣାରୁ ସୋନପୁର ମଧ୍ୟରେ ତାଙ୍କ ବଂଶର ଶକ୍ତିଶାଳୀ ବୀର ରାଷ୍ଟ୍ରକୁଟ ଯୋଦ୍ଧା ମାନଙ୍କୁ ମଣ୍ଡଳ ଗଠନ କରି ମହାମାଣ୍ଡଳିକ ଭାବରେ ଶାସନ କରିବା ପାଇଁ ଅବସ୍ଥାପିତ କରିଥିଲେ। ତେଣୁ କରି ରାଷ୍ଟ୍ରକୁଟ ମାଙ୍ଗଳିକ ମାନଙ୍କର ଗ୍ରାମଦାନ ତ୍ରିଫଳୀ ତାମ୍ର ଫଳକ ଗୁଚ୍ଛମାନ ମାଟିତଳୁ କଳାହାଣ୍ଡି ଜିଲ୍ଲାର ତେରେସିଂଘା,ରିଷିଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ତରଭା ,ଦେଓଗାଁ,କମଳପୁର ଓ ସମ୍ବଲପୁର ସହର ନିକଟରୁ ଆବିଷ୍କୃତ ହୋଇଛି। ନର୍ଲା ଶିବ ମନ୍ଦିର ପ୍ରସ୍ତର ଲେଖା ରାଷ୍ଟ୍ରକୁଟ ମାନଙ୍କର ପ୍ରଥମ ଶିଳାଲେଖ ଅଟେ। ଏହି ଶିଳାଲେଖର ପାଠୋଦ୍ଧାରରୁ ଜଣାପଡେ ଯେ କଳାହାଣ୍ଡି ମଧ୍ୟ ପାଣ୍ଡୁବଂଶୀ ମାନଙ୍କର ସାମ୍ରାଜ୍ୟର ଅଂଶ ବିଶେଷ ଥିଲା। ଯେଉଁ ମାନଙ୍କ ସମୟରେ ସମ୍ଭବତଃ ଶେଷ ଶକ୍ତିଶାଳୀ ରାଜା ଶିବଗୁପ୍ତ ବାଲାର୍ଜୁନଙ୍କର କୈାଣସି ଦୁର୍ବଳ ଉତ୍ତରାଧିକାରୀଙ୍କ ଶାସନ କାଳରେ କୋଶଳର ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ରାଷ୍ଟ୍ରକୁଟ ସମ୍ରାଟ ଗୋବିନ୍ଦ ତୃତୀୟ ତାଙ୍କର ଉତ୍ତର ଭାରତ ସାମରିକ ଅଭିଯାନ କାଳରେ ଅଧିକାର କରି ନେଇଥିଲେ।

ସୂଚନା ଓ ତଥ୍ୟ: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ବୈଷୟିକ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ (ଶଶାଙ୍କ ଶେଖର ପଣ୍ଡା)
ନର୍ଲା ମସୀହା ପ୍ରତିନିଧି ପ୍ରଦୀପ କୁମାର ଗଉଡ

Related posts

ପାଳିତ ହୋଇଛି ପ୍ରସିଦ୍ଧ ଐତିହାସିକ ପର୍ଜ୍ୟଟନ ସ୍ଥଳିର ପୋଡାଗଡ଼ ମଣ୍ଡେଇ

Sunil Chandra Nayak

ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ମହାସମାରୋହରେ ସମ୍ପନ୍ନ ହେଲା ବେତାଳୀ ଭୈରବ, ପାଟଖଣ୍ଡାଙ୍କ ଝାମୁଯାତ୍ରା

Sunil Chandra Nayak

SNANA YATRA AND RATH YATRA OF LORD JAGANNATH: RITUAL, THEOLOGY AND CULTURAL SIGNIFICANCE IN THE JAGANNATH TRADITION OF ODISHA.

Leave a Comment

error: Content is protected !!