ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ଓ ରମାଦେବୀ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ 

ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡିଜିପି ସୁନୀଲ ବଂଶଲ, ମୁଖ୍ୟ ଶାସନ ସଚିବ ପ୍ରମୁଖ ମହାମହିମଙ୍କୁ ସ୍ବାଗତ କରିଛନ୍ତି । ବିମାନ ବନ୍ଦରରେ ତାଙ୍କର ସ୍ବାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା ।ତେବେ ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ଦ୍ବିତୀୟ ଥର ଓଡି଼ଶା ଗସ୍ତ ।

ଭୁବନେଶ୍ବର ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ପରେ ସ୍ଵତନ୍ତ୍ର କାରକେଡ ଯୋଗେ ସେ ସିଧାସଳଖ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେବାକୁ ପହଞ୍ଚିଥିଲେ । 

ମାତୃ କରୁଣା ଓ ମାତୃ ପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ ବୋଲି ଉତ୍କଳ ମଣ୍ଡପରେ ଆୟୋଜିତ ‘ଜ୍ଞାନପ୍ରଭା ମିଶନ’ର ପ୍ରତିଷ୍ଠା ଦିବସରେ ଯୋଗଦେଇ ବକ୍ତବ୍ୟ ଦେଇଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

ସେ କହିଛନ୍ତି ଯେ ‘’ଛତ୍ରପତି ଶିବାଜୀଙ୍କ ବୀରତ୍ୱ ଓ ସ୍ୱାଭିମାନ ପଛରେ ମାଆ ଜିଜାବାଈଙ୍କ ବିଶେଷ ଅବଦାନ ଥିଲା। ମାଆ ପୁତଲିବାଇଙ୍କ ପ୍ରେରଣାରେ ମାହାତ୍ମା ଗାନ୍ଧୀ ସାରା ଜୀବନ ସତ୍ୟ ଓ ଅହିଂସାର ମାର୍ଗରେ ଯାତ୍ରା କରିଥିଲେ। ସେହିପରି ମାଆ ପଦ୍ମାବତୀଙ୍କ ଦ୍ୱାରା ପ୍ରେରିତ ହୋଇ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ବୋଲି କିମ୍ବଦନ୍ତୀ କହେ। ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦଙ୍କ ଯୋଗ ଜୀବନରେ ମାତା ଜ୍ଞାନପ୍ରଭାଙ୍କ ଆଶୀର୍ବାଦ ଥିଲା ବୋଲି ସେ ତାଙ୍କ ଅଭିଭାଷଣରେ ବଖାଣଛନ୍ତି।

ଏଥିରେ ମଧ୍ୟ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।  ସେ ତାଙ୍କ ଉଦବୋଧନରେ କହିଛନ୍ତି ‘’ଆଧ୍ୟାତ୍ମିକତା ସହ ମାତୃଶକ୍ତିର ପ୍ରାସଙ୍ଗିକତାକୁ ଯୋଡ଼ା ନଗଲେ ସମାଜର ଉତ୍ଥାନ ଓ ଅଗ୍ରଗତି ଅସମ୍ଭବ। ସମସ୍ତ ବୈଜ୍ଞାନିକ ପ୍ରୟୋଗର ମୂଳ ପ୍ରୟୋଗଶାଳା ହେଉଛି ମାତୃଶକ୍ତି। ଜ୍ଞାନପ୍ରଭା ମିଶନର ମାତୃଶକ୍ତି ମାଧ୍ୟମରେ ସମାଜର ଉତ୍ଥାନ ଲକ୍ଷ୍ୟକୁ ଆମେ ସମସ୍ତେ ଓଡ଼ିଶାର ଗୋଟିଏ ମଡେଲ ଭାବେ ତିଆରି କରି ବିଶ୍ୱକୁ ପ୍ରଭାବିତ କରିବାର ଦାୟିତ୍ୱ ନେବା ଉଚିତ୍’’।  

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତ ବିଶ୍ୱରେ ସବୁଠୁ ବଡ ଗଣତନ୍ତ୍ରର ଜନନୀ ଏବଂ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ପ୍ରଜାତନ୍ତ୍ରର ଦାୟିତ୍ୱ ନେଇଛନ୍ତି।  ନିକଟରେ ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ଅଭିଭାଷଣରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ‘ନାରୀଶକ୍ତି’ କବିତାର ପଙ୍କକ୍ତି “ବସୁନ୍ଧରା ତଳେ ଭାରତରମଣୀ, ନୁହେଁ ହୀନ ନୁହେଁ ଦିନ, ଅମର କୀରତି କୋଟି ଯୁଗେ, କେଭେଁ ଜଗତୁଁ ନୋହିବ ଲୀନ” ଉଲ୍ଲେଖ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଏହା ଆମ ସମାଜର ପୃଷ୍ଠଭୂମିରେ ଅଛି। ରାଷ୍ଟ୍ରପତି ଭାବେ ଶପଥ ନେବା ବେଳେ ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି, “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଉଦୃତ କରିବା ଗୌରବର ବିଷୟ ବୋଲି କହିଥିଲେ ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ, ସମାଜ ଯେ ପର୍ଯ୍ୟନ୍ତ ନିଜ ଦାୟିତ୍ୱ ନେବ ନାହିଁ, ସେ ପର୍ଯ୍ୟନ୍ତ ସମାଜରେ ଜାଗୃତି ଆଣିବା ଅସମ୍ଭବ। ଜ୍ଞାନପ୍ରଭା ମିଶନ ସେଭଳି ସମାଜ ଜାଗୃତିର ଅନନ୍ୟ ଜନଆନ୍ଦୋଳନ ରୂପ ନେଇଛି।

ରମାଦେବୀ ସମାବର୍ତ୍ତନ ଉତ୍ସବରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି: କହିଲେ, ମୋ ଜୀବନରେ ‘ରମାଦେବୀ’ ପ୍ରେରଣାର ଉତ୍ସ । ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ପୁରୁଣା ଦିନ ମନେପକାଇଲେ ରାଷ୍ଟ୍ରପତି । ଏହି ଅବସରରେ ମହାମହିମ କହିଛନ୍ତି, ରମାଦେବୀର କାନ୍ଥ ମୂକସାଖୀ ହୋଇ ମୋତେ ଆହ୍ୱାନ କରୁଛି । ପୁରୁଣା ଦିନର ସ୍ମୃତି ମୋର ସବୁ ମନେପଡୁଛି । ମା ରମାଦେବୀଙ୍କ ପ୍ରତି ସାଦର ସମ୍ମାନ ଜ୍ଞାପନ କରୁଛି । ସେତେବେଳେ ବି ରମାଦେବୀ ଥିଲା ଅନ୍ୟତମ ଶିକ୍ଷାନୁଷ୍ଠାନ । ପାଚେରୀ ବାହାର ଠେଲାଗାଡିରେ ବିକ୍ରି ଲେମ୍ବୁପାଣି ବି ମନେଅଛି । ମୋ ଜୀବନର ଗତିପଥରେ ଏହି ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ।

ସେ ଆହୁରି ମଧ୍ୟ କହିଥିଲେ କି, ସ୍ୱାଧୀନତା ସଂଗ୍ରାମରେ ଭାରତର ଅଗଣିତ ନାରୀ ଅଗ୍ରଣୀ ଥିଲେ । ନାରୀ ସଶକ୍ତିକରଣ ଆଉ ସ୍ଲୋଗାନ ହୋଇ ରହିନି । ବିଭିନ୍ନ କ୍ଷେତ୍ରରେ ଆମ ଝିଅମାନଙ୍କ ଦକ୍ଷତା ପ୍ରମାଣିତ ହୋଇଛି । ମଙ୍ଗଳ ମିଶନରେ ନାରୀ ବୈଜ୍ଞାନିକମାନଙ୍କ ଟିମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କ୍ରୀଡା କ୍ଷେତ୍ରରେ ମଧ୍ୟ ଝିଅମାନେ ବହୁତ ଆଗକୁ ଗଲେଣି । ଭାରତ ପୃଥିବୀର ସର୍ବବୃହତ ଗଣତନ୍ତ୍ର, ପ୍ରତିନିଧିତ୍ୱ ଏହାର ଆଧାର । ଭାରତକୁ ବିଶ୍ୱଗୁରୁରେ ପରିଣତ କରିବା ଆମର ଲକ୍ଷ୍ୟ । ଏଥିପାଇଁ ନାରୀଶକ୍ତିକୁ ଆହୁରି ସଶକ୍ତ ହେବାକୁ ପଡିବ । ନାରୀ ଶକ୍ତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ହେଲେ ସବୁ କ୍ଷେତ୍ରରେ ସରକାରଙ୍କ ଉପରେ ଛାଡିଦେଲେ ହେବନି । ନିଜ ଉପରେ ଆସ୍ଥା ରଖିଲେ ହିଁ ଜୀବନ ଯାତ୍ରାରେ ସଫଳ ହେବ ।

ରମାଦେବୀ ନାରୀ ଜାତିର ନେତୃତ୍ୱ । ସୁପ୍ରସିଦ୍ଧ ଶିକ୍ଷା ଅନୁଷ୍ଠାନରେ ପାଦଦେବା କ୍ଷଣି ଅତୀତ ମନସ୍କ ହୋଇ ପଡୁଛି । ସେତେବେଳେ ମଧ୍ୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଥିଲା । ମନେ ପଡୁଛି ମୋ ଛାତ୍ର ଜୀବନର କଥା । ସେ ପୁରୁଣା କ୍ୟାଣ୍ଟିନ ଏବେ ଅଛିକି ନାହିଁ ଜାଣିନି । ପାଚିରୀ ପାଖରେ ଠିଆ ହୋଇଥିବା ଠେଲା ଗାଡି ପାଖରେ ମୁଁ ଖାଉଥିଲି । ଭୁବନେଶ୍ୱର ଠାରୁ ଅନତି ଦୂରରେ ମୋର ଜନ୍ମ । ଚାରିବର୍ଷ ମୁଁ ଏଠାରେ ପଢିଛି । ମୋ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଭଲ ପାଇବା ଆଶୀର୍ବାଦ ମୋତେ ବଡ଼ କରିଛି । ନିଜର ପ୍ରାକ୍ତନ ଅଧ୍ୟାପିକାଙ୍କ ସ୍ମୃତି ଚାରଣ କଲେ ମହାମହିମ ।

ବିଣାପାଣି ମହାନ୍ତି , ସକୁନ୍ତଳା ମ୍ୟାଡାମଙ୍କ କଥାକୁ ମନେ ପକାଇଛନ୍ତି । ଯେତେବେଳେ ଏହି ରାସ୍ତା ଦେଇ ଯାଇଛି ପିଲା ମାନଙ୍କୁ ମୋ କଲେଜ ବିଷୟରେ କହିଛି । ଯେତେବେଳେ କହିବାକୁ ଭୁଲି ଯାଇଛି, ମୋ ପିଲାମାନେ ମନେ ପକାଇ ଦିଅନ୍ତି।ସାହିତ୍ୟ, ସଂସ୍କୃତି ଠାରୁ ଇତିହାସ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ନେତୃତ୍ୱ ରହିଛି । ଭାରତର ବିଭିନ୍ନ ପ୍ରାନ୍ତରେ ନାରୀ ମାନେ ଶାସିକା ହୋଇଛନ୍ତି । କସ୍ତୁରିବା , ସରୋଜାନି ନାଇଡୁଙ୍କ ଠାରୁ ରମାଦେବୀଙ୍କ ପର୍ଯ୍ୟନ୍ତ । ନେତାଜୀଙ୍କ ଆଜଦ ହିନ୍ଦୀ ଫୌଜରେ ମଧ୍ୟ ନାରୀ ମାନଙ୍କ ନେତୃତ୍ୱ ରହିଥିଲେ । ଓଡିଶାର ସ୍ୱାଧନତା ସଭାରେ ମାଳତୀ ଦେବୀଙ୍କ ନେତୃତ୍ୱରେ ୧୫ ଜଣ ମହିଳା ସଦସ୍ୟ ରହିଥିଲେ ।

ସଂଗୀତ, ଶିକ୍ଷା, ସମାଜସେବା, ବିଜ୍ଞାନ, ଅଭିନୟ, କଳା, ସାହିତ୍ୟ, ସଂସ୍କୃତି ପ୍ରତିଟି ଦିଗରେ ଉଦାହାରଣ ସାଜିଥିବା ମହିଳାଙ୍କ ସ୍ମୃତି ଚାରଣ କରିଛନ୍ତି ମହାମହିମ ରାଷ୍ଟ୍ରପତି । ବର୍ତ୍ତମାନ ଝିଅ ମାନେ ପୁଅ ମାନଙ୍କ ସାଥିରେ ପାଦରେ ପାଦ ଦେଇ ବାଟ ଚାଲୁଛନ୍ତି । ବିମାନ ଉଡାଇବା ଠାରୁ ପ୍ରଶାସକ ପର୍ଯ୍ୟନ୍ତ । କେଳ କୁଦରେ ଭାରତର ମହିଳା ବିଶ୍ୱରେ ବିଜୟ ବାନା ଉଢାଉଛନ୍ତି । ମିଶାଇଲ ମ୍ୟାନ କେସି ଟୋମାସଙ୍କ ପାଇଁ ମଙ୍ଗଳଯାନ ଚର୍ଚ୍ଚାର ବିଷୟ । ଏହା ପଛରେ ନାରୀ ବୈଜ୍ଞାନିକଙ୍କ ଭୂମିକା ରହିଛି । ଟୋକିଓ ଅଲିମ୍ପିକ ଠାରୁ ପାରା ଅଲିମ୍ପିକ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମହିଳା ଦେଖାଇଛନ୍ତି ପାରଦର୍ଶିକତା ।

ଶ୍ରାବଣୀ ନନ୍ଦଙ୍କୁ ପ୍ରଶଂସା କରିଛନ୍ତି, କ୍ୟାପଟେନ ଜୋସ୍ନା ମିଶ୍ର, ଦମୟନ୍ତିଙ୍କୁ ମଧ୍ୟ ବୁରି ଭୁରି ପ୍ରଂଶସା କରିଛନ୍ତି । ଭାରତର ଅନେକ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛି । ସବୁଠି ଝିଅ ମାନେ ଡିଗ୍ରୀ ଅଦିକ ପାଇଛନ୍ତି । ପ୍ରଶାସନିକ ଅଧିକାରୀ ଠାରୁ ପୋଲିସ ଚାକିରୀରେ ମଧ୍ୟ ଝିଅ ମାନଙ୍କ ସାହାସ ଓ ଦମ୍ଭ ଦେଖି ଖୁସି ହୋଇଥିବା କହିଛନ୍ତି ମହାମହିମ ରାଷ୍ଟ୍ରପତି । ସଂସଦର ଉଭୟ ଗୃହରେ ମହିଳା ସାଂସଦଙ୍କ ସଂଖ୍ୟା ୧୧୫ରେ ପହଁଚିଛି । ସମଗ୍ର ବିଶ୍ୱରେ ବାରତୀୟ ନାରୀ ଜାତି ପ୍ରେରଣା ସାଜିଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତିଙ୍କ ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ବରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨ ଶହ ପୋଲିସ ଅଫିସରଙ୍କ ନଜରରେ ରହିଛି ପୁରା ସହର । ୧୪ ଏଡିସିପି ରାଙ୍କ୍ ଅଫିସର, ୩୫ ଏସିପି ରାଙ୍କ୍ ଅଫିସର, ୪୭ ଇନସ୍ପେକ୍ଟର ୧୮୮ ସବ ଇନସ୍ପେକ୍ଟର ଓ ୫୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି । କାର୍କେଡର ଇନଚାର୍ଜରେ ଜଣେ ଏସପି ରାଙ୍କ୍‌ ଅଫିସର ସହିତ କାର୍କେଡ୍ ମୁଭମେଣ୍ଟର ତଦାରଖ ଦାୟିତ୍ବରେ ଥିଲେ। ରାଷ୍ଟ୍ରପତିଙ୍କ ପାଇଁ ୩୦ଟି କାର କାର୍କେଡ଼ରେ ସାମିଲ ହୋଇଛନ୍ତି। 

ଗସ୍ତର ଦ୍ବିତୀୟ ଦିନରେ ଅର୍ଥାତ ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ମୁର୍ମୁ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ କଟକରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଭାରତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ । ସେଠାରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ପୁଣି ଦିଲ୍ଲୀ ଫେରିଯିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବେ ରାଜ୍ୟ ସରକାର, ସାଇକେଲ୍‌ ପାଇଁ ମିଳିବ ୩୫୦୦ ଟଙ୍କା

Sunil Chandra Nayak

ମେ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ! 

୨୨୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଉଚ୍ଚଶିକ୍ଷା ବିଭାଗ

Leave a Comment

error: Content is protected !!