ଡାବୁଗାଁ, ୧୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗରେ ଡାବୁଗାଁ ଥାନା ଅଧୀନ ବୋରିପଦର ଗ୍ରାମର ବିରଞ୍ଚି ଡଙ୍ଗରୀ (୨୫) କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ୫.୨.୨୩ ଦିନ ରାତ୍ରିରେ ଡାବୁଗାଁ ଥାନା ଅଧୀନ ବୋରିପଦର ଗ୍ରାମରେ ନାଟ (ଆଦିବାସୀ ନାଟକ) ହେଉଥିଲା | ରାତ୍ର ପ୍ରାୟ ୧୧ ଘ. ସମୟରେ ଡାବୁଗାଁ ର ରତନ ଗୌଡ (୪୫) ଓ ସେହି ଗ୍ରାମର ବିରଞ୍ଚି ଡଙ୍ଗରୀ ଓ ତା ସାଙ୍ଗ ଅଭି କର୍କରା ଙ୍କ ସହ କଥାବାର୍ତ୍ତା ହେବା ବେଳେ ବଚସା ହୋଇଥିଲା | ବଚସା ପରେ ସେଠାରୁ ୨ ସାଙ୍ଗ ମଦ୍ୟପାନ କରିବା ପାଇଁ ଅନ୍ୟତ୍ର ଚାଲିଯାଇଥିଲେ | ମଦ ପିଇ ଫେରିବା ବେଳେ ଦେଖିଥିଲେ ରତନ ଗଉଡ ସାହି ରେ ଥିବା ନଳକୂପ ପାଖରେ ଛିଡାହୋଇଛି | ରତନ ଗୌଡ ସହ ୨ ସାଙ୍ଗ ପୁଣି ଝଗଡା କରିବା ପରେ ୨ ଜଣ ମିଶି ମାଡ ମାରିଥିଲେ | ମାଡ ମାରିବା ଦ୍ଵାରା ରତନ ତଳେ ପଡି ବେହୋସ ହୋଇ ଯାଇଥିଲେ | ମାଡ ମାରୁଥିବା ୨ ସାଙ୍ଗ ରତନ ମରିଯାଇଥିବା ଭାବି ଟାଣି ନେଇ ଗ୍ରାମ ପାଖ ଜଙ୍ଗଲ ରେ ଫୋପାଡି ଦେଇଥିଲେ | ଏହା ସହ ତା ଲୁଗାପଟା ଓ ମୋଟରସାଇକେଲ କୁ ଗାଁ ପାଖ ପୋଖୋରୀ ଭିତରେ ଫୋପାଡି ଦେଇଥିଲେ | ପରଦିନ ୬.୨. ୨୩ ତାରିଖ ଦିନ ଅପରାହ୍ନ ରେ ଜଙ୍ଗଲ ମଧ୍ୟରେ ଯାଉଥିବା କିଛି ଲୋକେ ରତନକୁ ଆହତ ଅବସ୍ଥାରେ ଦେଖି ଡାବୁଗାଁ ପୋଲିସ କୁ ଖବର ଦେଇଥିଲେ | ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ରତନକୁ ଉଦ୍ଧାର କରି ବେହୋସ ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ପରେ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟନମରେ ଥିବା ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୩.୨.୨୩ ତାରିଖ ଦିନ ରତନ ଙ୍କ ମୃତ୍ୟୁ ଘଟିଥିଲା | ୧୩ ତାରିଖ ଦିନ ସନ୍ଧ୍ୟାରେ ମୃତକଙ୍କ ଝିଅ ପ୍ରିୟଙ୍କା ଗୌଡ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତିକରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ସଙ୍ଗେ ସଙ୍ଗେ ବିଶାଖାପାଟନମ ମେଡିକାଲ ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ | ୧୪ ତାରିଖ ପୋଲିସ ତଦନ୍ତ କରି ବୋରିପଦର ଗ୍ରାମର ବିରଞ୍ଚି ଡଙ୍ଗରୀ ଙ୍କୁ ଅଟକ ରଖି ପଚରାଉଚରା କରିଥିଲା | ପଚରାଉଚରା ପରେ ବିରଞ୍ଚି ପୋଲିସ ଆଗରେ ସବୁ ସତକଥା ମାନି ଯାଇଥିଲା | ପରେ ବିରଞ୍ଚି କୁ ଘଟଣାସ୍ଥଳକୁ ନେଇ ପୋଖରୀ ରୁ ମୃତକ ରତନ ର ମୋଟରସାଇକେଲ ଓ ଲୁଗାପଟା ଜବତ କରିଥିଲା | ପୋଲିସ ଶୁକ୍ରବାର ଅଭିଯୁକ୍ତ ବିରଞ୍ଚି ଡଙ୍ଗରୀ ଙ୍କୁ କୋର୍ଟ ଚାଲାଣ କରିଛି | ଏନେଇ ଥାନା କେସ ନଂ ୩୦/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଅନ୍ୟ ଅଭିଯୁକ୍ତ ଅଭି କର୍କରା ଫେରାର ଥିବା ବେଳେ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ