ରାଉରକେଲା / ଆରଏସପିର ପ୍ରାକ୍ତନ ଅଧିକାରୀ, ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଜଣେ ଅନୁଗାମୀ ତଥା ବହୁ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ସ୍ଥାନୀୟ ଜଣାଶୁଣା ବ୍ୟକ୍ତିତ୍ୱ ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି l ୧୯୫୬ ମସିହାରେ ଵି.କମ ଓ ଶ୍ରମ ଆଇନ ଏବଂ କାର୍ମିକ ପରିଚାଳନାରେ କଲକାତା ବିଶ୍ୱବିଦ୍ୟାଳୟରୁ ସେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ l ଆରଏସପିରେ ଚାକିରି ଆରମ୍ଭ କରି ସେ କାର୍ମିକ ବିଭାଗର ମୁଖ୍ୟ ପରିଚାଳକ ଭାବେ ଅବସର ନେଇଥିଲେ l ଆରଏସପିର ଶ୍ରେଷ୍ଠ କର୍ମଚାରୀ ସମ୍ମାନ ସହ ସେ ବହୁ ପୁରସ୍କାର ଲାଭ କରିଥିଲେ l ବହୁ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଜଡ଼ିତ ରହି ସେ ୧୯୬୦ ରେ ରାଉରକେଲାରେ ଗଙ୍ଗାଧର ମେହେର ଜୟନ୍ତୀ ଆୟୋଜନ ଆରମ୍ଭ କରାଇଥିଲେ l ବହୁ ଲୋକଙ୍କ ଆରଏସପି ଚାକିରି କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ l ସମ୍ବଲପୁରର ରୋଟାରୀ ଶିଶୁ ଡାକ୍ତରଖାନାର ସେ ଟ୍ରଷ୍ଟି ରହିବା ସହ ଲକ୍ଷେ ଟଙ୍କା ଦାନ କରିଥିଲେ l ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ସହ ସେ ଜଡ଼ିତ ରହିଥିଲେ l ସେକ୍ଟର-୫ ଯୋଗ ମନ୍ଦିର ଏବଂ ଶ୍ରୀ ଅରବିନ୍ଦ ବିଦ୍ୟାଳୟର ସେ ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଶୋକପାଳନ ଅବସରରେ ଏହି ବିୟୋଗ ମନ୍ଦିରର ସଂଗଠକ ଓ ସମଗ୍ର ସମାଜ ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି ଅବହିତ କରାଯାଇଛି l ସ୍ବର୍ଗତ ପାଣିଗ୍ରାହୀଙ୍କ ଅନ୍ତେ ପତ୍ନୀ ସନ୍ତୋଷିନୀ, ସୁପୁତ୍ର ସ୍ୱରୂପ (ପ୍ରାକ୍ତନ ଆରଏସପି ସିଜିଏମ), ଦୁଇ ଝିଅ ଅନିତା ଓ ରଞ୍ଜିତା ଏବଂ ନାତିନାତୁଣୀ ମାନେ ରହିଛନ୍ତି l ସେ ପ୍ରାକ୍ତନ ମନ୍ତ୍ରୀ ତଥା ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀ, ପ୍ରାକ୍ତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ବରିଷ୍ଠ ସାମ୍ବାଦିକ ସୁଭାଷ ପାଣିଗ୍ରାହୀଙ୍କ ନିଜ ବଡ଼ ଭାଇ ଥିଲେ l ୮୭ ବର୍ଷ ବୟସରେ ଇସ୍ପାତ ଜେନେରାଲ ହାସପାତାଳରେ ତାଙ୍କ ବିୟୋଗ ଖବର ପାଇ ରାଉରକେଲା ଓ ଅନ୍ୟାନ୍ୟ ଅଞ୍ଚଳରୁ ଜଣାଶୁଣା ବ୍ୟକ୍ତି ଏବଂ ଶୁଭେଛୁ ମାନେ ପହଞ୍ଚିଥିଲେ l ସୋମବାର ପୂର୍ବାହ୍ନରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଅନ୍ତିମ ସଂସ୍କାର ବେଦବ୍ୟାସ ଠାରେ କରାଯିବ ବୋଲି ଜଣାପଡିଛି l
previous post