ରାୟଗଡ,ତା ୯-୩-୨୦୨୩ । ମହିଳାମାନେ ପୁରୁଷମାନଙ୍କ ଠାରୁ କେଉଁ ଗୁଣରେ କମ ନୁହନ୍ତି । ଏକ ଦୃଢ ଓ ଶସକ୍ତ ସମାଜ ଗଠନ ରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ନାରୀ ସର୍ବଂସହା,ସର୍ବଗୁଣବିଦିତା । ସମାଜ କୁ ଠିକ ଦିଗରେ ପରିଚାଳିତ ହେବାକୁ ସେ ମାର୍ଗ ଦେଖାଇଥାଏ। ସ୍ଥାନୀୟ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଗତ ୬/୦୩/୨୩ରିଖରେ ଆୟୋଜିତ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅତିଥିମାନେ ଏହା କହିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ପ୍ରଦୀପ ପ୍ରଜ୍ଵଳନ କରି ସମାରୋହ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ଅନ୍ତର୍ଜାତୀୟ ମହିଳା ଦିବସର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିବା ଅବସରରେ କହିଥିଲେ ଯେ ଆଜିର ଦିନଟି ସମଗ୍ର ନାରୀ ସମାଜ ପାଇଁ ଏକ ଗର୍ବ ଓ ଗୌରବର ଦିନ। ଆଜିର ଦିନରେ ସମଗ୍ର ବିଶ୍ବରେ ମହିଳାମାନେ ଏକତ୍ରିତ ହୋଇ ନିଜ ନିଜ ର ଅଧିକାରକୁ ସାବ୍ୟସ୍ତ କରୁଛନ୍ତି। ନାରୀ ଆଜି ପୁରୁଷ ର ସମକକ୍ଷ। ନାରୀର ଭୂମିକାକୁ ସମଗ୍ର ବିଶ୍ଵ ସ୍ଵୀକାର କରିବା ସହ ମହିଳା ଶକ୍ତି କୁ ସମ୍ମାନ କରି ସମଗ୍ର ବିଶ୍ବ ଆଜି ମହିଳା ଦିବସ ପାଳନ କରୁଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ସମାଜ ଉପରେ ବୋଝ ନୁହନ୍ତି ବରଂ ଏକ ଦୃଢ,ମୂଲ୍ୟବୋଧ ଓ ଶସକ୍ତ ସମାଜ ଗଠନ ରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ କୁ ନୀରବରେ ସହ୍ୟ ନ କରି ତାର ପ୍ରତିବାଦ କରିବାକୁ ଉପସ୍ଥିତ ମହିଳାମାନଙ୍କୁ ଉପଦେଶ ଦେଇଥିଲେ ଓ ଏ ସମ୍ପର୍କରେ ଆଇନ ରେ ଥିବା ବ୍ୟବସ୍ଥା ଗୁଡିକ ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ଓକିଲ ତଥା ରାୟଗଡ ମୁନିସିପାଲିଟିର ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ମହିଳାମାନେ ନିଜ ଅଧିକାର ନିଜେ ସାବ୍ୟସ୍ତ କରିବାପାଇଁ ମହିଳାମାନେ ସଙ୍ଘବଦ୍ଧ ହୋଇ ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ପାଇଁ ଆହ୍ଵାନ ଦେଇଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ରାୟଗଡ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରିନ୍ସିପ୍ଯାଲ ଶ୍ରୀମତୀ ଭି॰ ରତ୍ନଶ୍ରୀ,ଡ॰ ମମତା ଚୌଧୁରୀ,ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମଞ୍ଜୁଶ୍ରୀ ମୁଖାର୍ଜୀ ଙ୍କ ସମେତ ସମସ୍ତ ସି॰ଡି॰ପି॰ଓ,ଅଙ୍ଗନ୍ବାଡି କର୍ମୀ, ଅନ୍ୟୁନ ଦୁଇଶହ ମହିଳା,କିଶୋରୀ ବାଳିକା,ୱାନ ସ୍ଟପ ସେଣ୍ଟର ର କର୍ମକର୍ତା ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ମାନେ ଭାଗନେଇଥିଲେ।
ଏହି ଅବସରରେ ବାଲ୍ୟ ବିବାହ ରୋକିବା ଓ କିଶୋରୀ ଶଶକ୍ତି କାରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜିଲ୍ଲାର ଶ୍ରେଷ୍ଠ ବାଲ୍ୟ ବିବାହ ନିଷେଧାକାରୀ, ସୁପରଭାଇଜର,ଅଙ୍ଗନ୍ବାଡି କର୍ମୀ ଓ ଶ୍ରେଷ୍ଠ ସାକ୍ଷୀ ସହେଲି ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରଯାଇଥିଲା। ଉକ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବା ସହ ସୁରକ୍ଷାଧିକାରୀ ଶ୍ରୀମତୀ କାମାକ୍ଷୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ


