ରାଉରକେଲା/ ବେଦବ୍ୟାସ କୁ ତୀର୍ଥକ୍ଷେତ୍ରରେ ପରିଣତ କରିବା ତଥା ବେଦବ୍ୟାସଙ୍କ ଜୀବନ ଦର୍ଶନ ତଥା ତାଙ୍କ ସୃଷ୍ଟି ସମ୍ଭାରର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅଗ୍ନିମୀଳେ ପୁରୋହିତମ୍ ଶୀର୍ଷକ ଉପରେ ଆଲୋଚନାଚକ୍ର ବାସନ୍ତୀ କଲୋନୀ ସ୍ଥିତ ବାସନ୍ତୀ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି l
ଏହି ଅବସରରେ ସଂଗଠନର ଆବାହକ ବଦ୍ରୀ ନାରାୟଣ ପାଢ଼ୀଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବାସନ୍ତୀ ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୂଦତ୍ତ ବେହେରା ବେଦବ୍ୟାସ ପୀଠ ବିକାଶ ମଞ୍ଚର କାର୍ଯ୍ୟକର୍ତ୍ତାଙ୍କର ଭୁୟସୀ ପ୍ରଶଂସା କରିଥିଲେ l ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ବେଦ ଅଧୟନ ମାଧ୍ୟମରେ ମନୁଷ୍ୟ ଜୀବନରେ ପରିପୂର୍ଣ୍ଣତା ଲାଭ କରିପାରିବ ବୋଲି କହିଥିଲେ l
ବେଦବ୍ୟାସ ପୀଠରେ ଭାରତର ବିଭିନ୍ନ ସ୍ଥାନରୁ ସାଧୁସନ୍ଥଙ୍କ ଆଗମନ ହେଲେ ବ୍ୟାସକ୍ଷେତ୍ରର ମହନୀୟତା ପରିବ୍ୟାପ୍ତ ହେବ, ତେଣୁ ଏଭଳି ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ପ୍ରଫେସର ତ୍ରିପାଠୀ ମତ ରଖିଥିଲେ । ମୁଖ୍ୟବକ୍ତା ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ଃ ସନାତନ ପ୍ରଧାନ ଆଲୋଚ୍ୟ ପ୍ରସଙ୍ଗକୁ ବ୍ୟାଖ୍ୟା କରି କହିଥିଲେ ଅଗ୍ନି ହେଉଛନ୍ତି ଗତିର ପ୍ରତୀକ ।
ସେ ହେଉଛନ୍ତି ବ୍ରହ୍ମ, ପୁରୋହିତ, ରିତ୍ବଜ ତଥା ଯଜମାନ ଏବଂ ଯଜ୍ଞ କାର୍ଯ୍ୟର ମୂଖ୍ୟ । ସମସ୍ତ ପାର୍ଥିବ, ସାମାଜିକ ଓ ଆଧ୍ୟାତ୍ମିକ ଐଶ୍ୱର୍ଯ୍ୟ ପ୍ରଦାତା ଅଗ୍ରପୂଜ୍ଯ । ତେଣୁ ବେଦରେ ପ୍ରଥମେ ପ୍ରାର୍ଥନା କରାଯାଇଛି । ବେଦର ବିଭାଗୀ କରଣ, ଅଷ୍ଟାଦଶ ପୁରାଣ ଓ ବ୍ରହ୍ମସୂତ୍ରର ରଚୟିତା କୃଷ୍ଣ ଦୈପାୟନ ବା ଭଗବାନ ବ୍ଯାସ ସମଗ୍ର ମାନବ ଜାତିର ପୂଜ୍ଯ ଗୁରୁ । କର୍ମ, ଜ୍ଞନ ଓ ଭକ୍ତି ଦ୍ବାରା ମାନବ ଜୀବନକୁ ଶୃଙ୍ଖଳିତ କରିବା ସହିତ ପରମାନନ୍ଦ ପ୍ରାପ୍ତିର ଅମୂଲ୍ୟ ମାର୍ଗଦର୍ଶୀକା ହେଉଛି ବ୍ଯାସ କୃତ ଶ୍ରୀମଦ୍ ଭଗବତ ଗୀତା । ଭୌଗୋଳିକ ସ୍ଥିତି ଓ କିମ୍ବଦନ୍ତୀ ଦ୍ବାରା ପୁଷ୍ଟ ଶଂଖ, କୋଇଲି ଓ ସରସ୍ବତୀଙ୍କ ସଂଗମ ତଥା ବ୍ରାହ୍ମଣୀର ଉତ୍ପତ୍ତି ସ୍ଥଳ ବେଦବ୍ୟାସ ତାଙ୍କ ଜନ୍ମ ସ୍ଥାନ ଭାବେ ପୂଜିତ । ଉକ୍ତ ମହାନ ପୀଠକୁ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାର ପ୍ରାଣ କେନ୍ଦ୍ର ରୁପରେ ସର୍ବାଙ୍ଗୀନ ବିକାଶ ନିମିତ୍ତ ସମସ୍ତ ଯତ୍ନବାନ ହେବା ଉଚିତ ।
ବେଦବ୍ୟାସ ପୀଠ ବିକାଶ ମଞ୍ଚର ଯୁଗ୍ମ ଆବାହକ ବିଭୂତି ଭୂଷଣ ଦାସ ମଞ୍ଚ ପରିଚାଳନା କରିବା ସହିତ ଭିତ୍ତି ଉପସ୍ଥାପନ ମାଧ୍ୟ୍ୟମରେ ଭାରତବର୍ଷର ପର୍ଯ୍ୟଟନ ମାନଚିତ୍ରରେ ଏହି ପୀଠ ରାଷ୍ଟ୍ରୀୟସ୍ତରର ମାନ୍ୟତା ପାଇବାକୁ ହେଲେ ଭିତ୍ତିଭୂମିର ବିକାଶ ସହ ଝୁଲାପୋଲର ଆବଶ୍ୟକତା , ପଥର ବନ୍ଧ କରାଯାଇ ଜଳଭଣ୍ଡାର କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ସଂଗଠନର ଉପଦେଷ୍ଟା ହୃଷିକେଶ ବଳିୟାରସିଂହ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସହରର ବହୁ ଜ୍ଞାନୀଗୁଣି, ବୁଦ୍ଧିଜିବୀ ଯୋଗଦେଇଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ


