ଶ୍ରମିକ
ନିଦାଘର ତାତି ଶ୍ରାବଣର ଝଡି
ବରଷା କାକର ଶୀତ
ପାରେନାହିଁ ରୋଧି ପଥକୁ ଯାହାର
ସେ ଯେ ମାଟିର ମଣିଷ l(1)
ମୁଣ୍ଡ ଝାଳ ତୁଣ୍ଡେ ମାରି ଉପୁଯାଏ
କ୍ଷେତେ ଶସ୍ୟର ସମ୍ଭାର
ଋତୁର ପର୍ଯ୍ୟାୟେ ବିବିଧ ଫସଲେ
ସକଳେ ଦେଇ ଆହାର ll(2)
ଉଷର ଭୂଇଁରେ ସବୁଜିମା ଖେଳେ
ହସ୍ତ ପରଶଲଭିଣ
ସ୍ବେଦ ବିନ୍ଦୁ ଢାଳେ ରକତ ନିଗାଡେ
ପ୍ରକୃତି ମିତ୍ର ସାଜିଣ l(3)
ବନ୍ଧ ବାଡ଼ ପୋଲ ଅଟ୍ଟାଳିକା ସୌଧ
ନିରିମାଣେ ଶ୍ରମଜିଵୀ
କଳ କାରଖାନା ଶ୍ରମବଳେ ତାର
ଦିବାରାତ୍ର ଚାଲୁଥାଇ l(4)
ଜୀର୍ଣ୍ଣ କୁଟୀରରେ ପେଟେ ଓଦାକନା
ମିଳେନା ଯେବେମଜୁରୀ
ସାହୁକାର ଋଣ ଯନ୍ତାରେ ପଡିଣ
କପାଳରେ ହସ୍ତ ମାରି l(5)
ସନ୍ତାନକୁ ଉଚ୍ଚ ଶିକ୍ଷା ଦୀକ୍ଷା ଦେବା
ରହିଯାଏ ସପନରେ
ରୋଗବେମାରୀ ରେ ଅସହାୟତାରେ
ଈଶ୍ଵରଙ୍କୁ ଡାକୁ ଥାଏ (6)
ମାଟିର ମଣିଷ ଦେଶ ମେରୁଦଣ୍ଡ
ଅବସ୍ଥାସୁଧାର ବିନା
ଦେଶର ପ୍ରଗତି ପଥ ବହୁ ଦୂର
ହୋଇଲେ ଯେତେ ଯୋଜନା l(7)
ନର୍ମଦା ନାୟକ
ଏଚ ଆଇ ଜି /ବି -97
କଳିଙ୍ଗ ବିହାର ,ଛେଣ୍ଡ ,
ରାଉରକେଲା -15 ,ସୁନ୍ଦରଗଡ଼