ରାଉରକେଲା/ଗତ ଏପ୍ରିଲ ୨୮ ତାରିଖ ରେ ଇ ଏସ ଆଇ କର୍ପୋରେସନ ର ଉପ ଚିକିତ୍ସକ ଆୟୁକ୍ତ ଡଃ ରେଶମା ଶର୍ମା ଏକ ସର୍କୁଲାର ଜାରି କରି ପ୍ରାୟ ୨୪ ଲକ୍ଷରୁ ଉର୍ଦ୍ଧ୍ବ ଇ ଏସ ଆଇ ବୀମାଧାରୀ ଶ୍ରମିକ, କର୍ମଚାରୀ ଓ ସେମାନଙ୍କ ପରିବାର କୁ ଇ ଏସ ଆଇ ପକ୍ଷରୁ ଆଗକୁ ସେକେଣ୍ଡାରୀ ଓ ସୁପର ସ୍ପେସାଲିଟି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ନାହିଁ ବୋଲି ବୋର୍ଡ ର ନିଷ୍ପତ୍ତି ହୋଇଥିବା କଥା ଏହି ପତ୍ର ଜରିଆରେ ଜଣାଇଥିଲେ। କାରଣ ଏଥିପାଇଁ ଇ ଏସ ଆଇ କର୍ପୋରେସନ ବିପୁଳ ଖର୍ଚ୍ଚାନ୍ତ ହେଉନଥିବାରୁ ସେ ଏହି ସୁବିଧା ପ୍ରତ୍ୟାହାର କରିଥିବା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ କେବଳ ଏମ୍ସ କିମ୍ବା ପି ଜି ଏ ହସ୍ପିଟାଲ କୁ ରେଫର କରିବାକୁ ଏହି ଶ୍ରମିକ ବିରୋଧୀ ତଥା ଇ ଏସ ଆଇ ବୀମାଧାରୀ ଙ୍କ ବିରୋଧୀ ସର୍କୁଲାର ରେ ନିର୍ଦ୍ଦେଶ ଦିଆଯାଇଛି।
ଇ ଏସ ଆଇ ସି ର ଏହି ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଜି ସି ଆଇ ଟି ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ଆହ୍ୱାନରେ ସ୍ଥାନୀୟ ଇ ଏସ ଆଇ ମଡେଲ ହସ୍ପିଟାଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ହସ୍ପିଟାଲ ସୁପରିଟେଣ୍ଡଣ୍ଟ ଙ୍କ ଜରିଆରେ କେନ୍ଦ୍ର ଶ୍ରମ ଓ ଇ ଏସ ଆଇ ସି ବିଭାଗ ର ମନ୍ତ୍ରୀ ଓ ଇ ଏସ ଆଇ ସି ବୋର୍ଡ କୁ ପ୍ରଦାନ କରାଯିବା ସହ ତୁରନ୍ତ ଏହି ଶ୍ରମିକ ବିରୋଧୀ ସର୍କୁଲାର କୁ ପ୍ରତ୍ୟାହାର କରିନେବା କୁ ଦାବି କରାଯାଇଛି। ବିକ୍ଷୋଭ ରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ବସନ୍ତ ନାୟକ, ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା, ତାଜମୁନ୍ ନେହାର,ବି ପି ମହାପାତ୍ର, ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ,ଅଜୟ ଶର୍ମା, ଅଜିତ ଏକ୍କା, ଅକ୍ଷୟ ମହାନ୍ତ,ଅରୁ ଦାସ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ବିନୟ ବେଉରିଆ , ଦିବାକର ମହାରଣା ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ ଓଡ଼ିଶାରେ ଇ ଏସ ଆଇ ବୀମାଧାରୀ ପ୍ରାୟ ୮ ଲକ୍ଷ ରୁ ଉର୍ଦ୍ଧ୍ବ ଥିଲାବେଳେ ଏଠାରେ ଏ ପର୍ଯ୍ୟନ୍ତ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ନାହିଁ। କେବଳ ରାଉରକେଲା ରେ ଏକ ଶହ ଶଯ୍ୟା ବିଶିଷ୍ଟ ଏକ ମଡେଲ ହସ୍ପିଟାଲ ରହିଛି। ଯାହା ଉପରେ ପଶ୍ଚିମ ଓଡ଼ିଶାର ପ୍ରାୟ ଲକ୍ଷାଧିକ ବୀମାଧାରୀ ଓ ତାଙ୍କ ପରିବାର ସଦସ୍ୟ ନିର୍ଭର କରିଥାନ୍ତି। ଅନ୍ୟାନ୍ୟ କେତେକ ସ୍ଥାନରେ ଡିସପେନସାରୀ ରହିଛି। ଇ ଏସ ଆଇ ସି ଗତ ବର୍ଷ ମାର୍ଚ୍ଚ ୧୬ ତାରିଖ ରେ ରାଉରକେଲା ଠାରେ ୨ଶହ ଶଯ୍ୟା ବିଶିଷ୍ଟ ସୁପର ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ। ଇ ଏସ ଆଇ ସି ପକ୍ଷରୁ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରାଯାଉନାହିଁ। କେନ୍ଦ୍ର ସରକାରଙ୍କ ଶ୍ରମିକ ମାନଙ୍କ ପ୍ରତି ଥିବା ବୈମାତୃକ ମନୋଭାବ ଯୋଗୁଁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଓ ଇ ଏସ ଆଇ ସି ଏପରି ଶ୍ରମିକ ବିରୋଧୀ ସର୍କୁଲାର ଜାରି କରିଛି। ବୀମାଧାରୀ ଶ୍ରମିକ ଙ୍କ ଝାଳ ବୁହା ଟଙ୍କାରେ ଇ ଏସ ଆଇ ସି ଗଠିତ ହୋଇଥିଲା ବେଳେ ସେହି ଶ୍ରମିକ ଓ ତାର ପରିବାର ସଦସ୍ୟ ଙ୍କୁ ସେକେଣ୍ଡାରୀ ଓ ସୁପର ସ୍ପେସାଲିଟି ଚିକିତ୍ସା ଯୋଗାଇ ଦେବାକୁ ଇ ଏସ ଆଇ ଖର୍ଚ୍ଚାନ୍ତ ହେଉଥିବା କଥା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଏଠାରେ କେବଳ କେତେକ ଧଳା ହାତୀ ଙ୍କୁ ପୋଷା ଯାଉଥିବା କୁ ତୀବ୍ର ବିରୋଧ କରାଯାଇଛି। ଇ ଏସ ଆଇ ବୀମାଧାରୀ ଶ୍ରମିକ ମାନେ ଯେଉଁମାନେ ବିଭିନ୍ନ ଦୁର୍ଘଟଣା ଠାରୁ ଆରମ୍ଭ କରି ହୃଦରୋଗ, କର୍କଟ, ମଧୁମେହ, ସ୍ନାୟୁ, କିଡନୀ,ବ୍ରେନଷ୍ଟ୍ରୋକ,ଲିଭର ଟ୍ରାନ୍ସପ୍ଳାଣ୍ଟ ସମେତ ଅନ୍ୟାନ୍ୟ ଦୁରାରୋଗ ପାଇଁ ଇ ଏସ ଆଇ ହସ୍ପିଟାଲ ରେ ଭର୍ତ୍ତି ହୁଅନ୍ତି ସେମାନଙ୍କୁ ଭଲ ଚିକିତ୍ସା ବ୍ୟବସ୍ଥା ସେଠାରେ ଉପଲବ୍ଧ ନ ଥିବାରୁ ବୀମାଧାରୀ ଙ୍କ ଉତ୍ତମ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ସୁପର ସ୍ପେସାଲିଟି ହସ୍ପିଟାଲ କୁ ରେଫର କରାଯାଇଥାଏ କିନ୍ତୁ ଖର୍ଚ୍ଚାନ୍ତ ହେଉଥିବା ର ବାହାନା କରି ଏହାକୁ ଚକ୍ରାନ୍ତ ମୂଳକ ଭାବେ ବନ୍ଦ କରିବା ପାଇଁ ଇ ଏସ ଆଇ ସି ଯେଉଁ ପଦକ୍ଷେପ ଗ୍ରହଣ କରୁଛି ତାକୁ ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବା କୁ ବକ୍ତାମାନେ ତାଙ୍କ ବକ୍ତବ୍ୟରେ ଚେତାବନୀ ଦେଇଥିଲେ। ଏହି ବିକ୍ଷୋଭ ରେ ଅନ୍ୟମାନଙ୍କ ମଧ୍ୟରେ ସି ଆଇ ଟି ୟୁ ନେତା ଏନ୍ ଏନ୍ ପାଣିଗ୍ରାହୀ, ରଞ୍ଜନ ବେହେରା, ସୁଧାଂଶୁ ଜେନା,ବଛିରାମ ବେହେରା, କବି ପ୍ରଧାନ, କ୍ଷିରୋଦ ବେହେରା, ସାଗର ଛୋଟରାୟ, ପ୍ରସନ୍ନ ମହାପାତ୍ର,ସି ଦିବାକର ରାଓ,ଡି ପି ଦାସ, ସମ୍ୱିତ ପରିଡ଼ା, ଭବାନୀ ସାହୁ, ରାଜେନ୍ଦ୍ର ଦାସ, ଏନ୍ କେ ରାଉତରାୟ, ଉପେନ୍ଦ୍ର ତ୍ରିପାଠୀ, କିଶୋର ଏକ୍କା,ଅନାଦି ସାହୁ, ଉମାକାନ୍ତ ରାୟ, ଅମରେଶ ରାୟ, ଜଗବନ୍ଧୁ ରାଉତ, ଶତୃଘ୍ନ ବେହେରା, ପ୍ରମୋଦ ପରିଡ଼ା ସମେତ ବହୁ ଶ୍ରମିକ ସାମିଲ ହୋଇଥିଲେ।