ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଗହରା ବଳରାମ ଯୋଜନା , 82 ଗୋଷ୍ଠୀ ରୁ କାହାକୁ ମିଳୁନି ଚାଷ ଋଣ

ଚନ୍ଦାହାଣ୍ଡି – (ମ ନି ସ ) ଭୂମିହୀନ ଚାଷୀ ମାନଙ୍କୁ ଚାଷ କାର୍ଯ୍ୟ କରିବାକୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର 2021-22 ଆର୍ଥିକ ବର୍ଷ ରେ ବଳରାମ ଯୋଜନା ଆରମ୍ଭ କରିଥିଲେ l ଉଦେଶ୍ୟ ଥିଲା ଯେଉଁ ଚାଷୀ ମାନଙ୍କ ଜମିପଟ୍ଟା ଓ ଅନୁସାଙ୍ଗିକ କାଗଜ ପତ୍ର ନ ଥିବ ଏବଂ ଅନ୍ୟ ଚାଷୀଙ୍କ ଜମିକୁ ଭାଗଚାଷ କରୁଥିବେ ସେମାନେ ପାଞ୍ଚ ଜଣିଆ ଗୋଷ୍ଠୀ ଗଠନ କରି କୃଷି ବିଭାଗ ସହଯୋଗରେ ବ୍ୟାଙ୍କ ଠାରୁ କମ ସୁଧରେ ଏବଂ ଅତି ସହଜରେ କୃଷି ଋଣ ନେଇ ପାରିବେ l ହେଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୃଷି ବିଭାଗ ତରଫରୁ ଭୂମି ହୀନ ଚାଷୀ ମାନଙ୍କୁ ନେଇ ଗୋଷ୍ଠୀ ଗଠନ କରି ଚାଷୀ ଙ୍କୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କ କୁ ଗୋଷ୍ଠୀ ମାନଙ୍କ ର ଆବଶକୀୟ କାଗଜ ପତ୍ର ସହ ତାଲିକା ଦୀର୍ଘ ମାସ ଧରି ପଠାଇ ଥିଲେ ମଧ୍ୟ ଭାଗଚାଷୀଙ୍କୁ ଚାଷ ଋଣ ଦେବାକୁ ବ୍ୟାଙ୍କ ମାନେ ଅମଙ୍ଗ ହେଉଛନ୍ତି l ବ୍ଲକର 82 ଟି ଗୋଷ୍ଠୀ ମଧ୍ୟରୁ ଗୋଟିଏ ମଧ୍ୟ ଗୋଷ୍ଠୀ କୁ ଏ ପର୍ଯ୍ୟନ୍ତ ଋଣ ମିଳିନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି l ନାବାର୍ଡ ସହାୟତାରେ ଆରମ୍ଭ ହୋଇଥିବା ଏହି ଯୋଜନାର ମୂଳଲକ୍ଷ ଥିଲା ଗୋଷ୍ଠୀ ମାଧ୍ୟମରେ ଚାଷ ଋଣ ପ୍ରଦାନ କରି ଭୂମି ହୀନ ଚାଷୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା l କାରଣ ଅନେକ ଭୂମି ହୀନ ଚାଷୀ ନିଜର ଚାଷ ଜମି ନ ଥାଇ ଅନ୍ୟ ଚାଷୀ ଙ୍କ ଜମିକୁ ଭାଗ ଚାଷ କରି ସେମାନଙ୍କ ଜୀବିକା ନିର୍ବାହ କରୁଛନ୍ତି l ଏହି ବଳରାମ ଯୋଜନାରେ ଗୋଟିଏ ଗୋଷ୍ଠୀ କୁ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ଓ ସର୍ବନିମ୍ନ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ମିଳିପାରିବ l ହେଲେ ବଡ ଦୁର୍ଭାଗ୍ୟ ର କଥା ବଳରାମ ଯୋଜନା କାର୍ଯକାରୀ ହେବା ଦିନଠାରୁ ଚନ୍ଦାହାଣ୍ଡି ବ୍ଲକ ର 14 ଟି ପଂଚାୟତ ର ଗୋଟିଏ ମଧ୍ୟ ଗୋଷ୍ଠୀ କୁ ଋଣ ମିଳିପାରି ନାହିଁ l ଏହି ଯୋଜନାରେ ଚାଷ ଋଣ ନ ମିଳିବା ବଳରାମ ଯୋଜନାର ସଫଳତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l ବ୍ଲକର 410 ଚାଷୀଙ୍କୁ ନେଇ 82 ଟି ଗ୍ରୁପ ଗଠନ କରି ବ୍ଲକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା, ବ୍ୟାଙ୍କ ଅଫ ବରୋଦା ଶାଖା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା, ଲ୍ୟାମ୍ପ ଶାଖା କୁ ଚାଷୀଙ୍କ କାଗଜପତ୍ର ପଠାଇ ଥିବା ବ୍ଲକ ସହକାରୀ କୃଷି ଅଧିକାରୀ ଗଜାନନ ସାହୁ ପ୍ରକାଶ କରିଛନ୍ତି l ଏ ସମ୍ପର୍କରେ ବ୍ୟାଙ୍କ ଶାଖା ମ୍ୟାନେଜର ମାନଙ୍କୁ ପଚାରିବାରୁ ଚାଷୀଙ୍କ କାଗଜ ପତ୍ର ଯାଞ୍ଚ ଚାଲିଥିବା, ସିଭିଲ ଖରାପ ଥିବା, ତାଙ୍କ ସମ୍ପର୍କୀୟ ମାନଙ୍କ ନାମରେ ଋଣ ଥିବା ଆଳ ଦେଖାଇ ଋଣ ପ୍ରଦାନ କରୁ ନ ଥିବା ଜଣା ପଡିଛି l ବର୍ତ୍ତମାନ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ଚନ୍ଦାହାଣ୍ଡି ବ୍ଲକ ରେ ବଳରାମ ଯୋଜନାରେ ଅଧିକରୁ ଅଧିକ ଚାଷୀ ଋଣ ନେଇ ଚାଷ କାର୍ଯ୍ୟ କରିପାରିବେ ସେ ନେଇ ଜିଲ୍ଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହୋଇଛି l

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଥୁଆମୁଳ ରାମପୁର; ବିକାଶ ନାଁରେ ମାଳମାଳ ଯୋଜନା ବିକାଶ ବାଟବଣା, ସମସ୍ୟା ଅନେକ ଏହାର ସମାଧାନ ଶୂନ ଅଞ୍ଚଳବାସୀ ହନ୍ତସନ୍ତ

Sunil Chandra Nayak

ଏମ୍ ଏସ୍ ଶେଖରଙ୍କୁ ଜ୍ୟୋତିଷ ମହର୍ଷି ପରାଶର ସମ୍ମାନ

Sunil Chandra Nayak

ନବରଙ୍ଗପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ 

Sunil Chandra Nayak

Leave a Comment

error: Content is protected !!