ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ମକା ମାଫିଆଙ୍କୁ ଉଚ୍ଛେଦ ଦାବିରେ ନବରଙ୍ଗପୁର ପୋଲିସ ପ୍ରଶାସନ ଦ୍ୱାରସ୍ଥ ବନ ସୁରକ୍ଷା ମହାସଂଘ

କୋକସରା,୨୭/୬ //କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିନରେ ଥିବା ଧର୍ମଗଡ ରେଞ୍ଜ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ବିଗତ କିଛି ବର୍ଷ ହେବ ମକା ମାଫିଆଙ୍କ ପାଇଁ ଚରାଭୁଇଁ ପାଲଟିଛି । ୧୨ ହଜାର ୭ ଶହରୁ ଉର୍ଦ୍ଧ ହେକ୍ଟର ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଥିବା ସାହାଜଖୋଲ ଜଙ୍ଗଲରେ ବିଗତ କିଛିବର୍ଷ ହେବ ପଡୋଶୀ ଜିଲ୍ଲାର ମକା ମାଫିଆ ମାନେ ଅନାଧିକୃତ ଭାବେ ଏହି ଜଙ୍ଗଲର ନିକଟବର୍ତ୍ତୀ ଗ୍ରାମରେ ରହୁଥିବା ଜନଜାତିଙ୍କୁ ଢାଲ କରି ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ କରି ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମକାଚାଷ କରି ଆସୁଛନ୍ତି।ଫଳରେ ବିସ୍ତୀର୍ଣ୍ଣ ଜଙ୍ଗଲ ପଦା ହୋଇ ସାରିଛି। ଏନେଇ ଜଙ୍ଗଲ ବିଭାଗ ଓ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଗତ ୨୦୨୧ ରେ ବେହେରା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଗୋତୋମୁଣ୍ଡା ବିଟ ଜଙ୍ଗଲ ସୀମାରେ ଥିବା ଡୁମେରପାଣି, ଭଟାପାଣି ଅଞ୍ଚଳରେ ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଜନଜାତି ମାନେ ଉମରକୋଟ ଅଞ୍ଚଳର କିଛି ବଙ୍ଗାଳି ଓ ବିହାରୀ ମକା ମାଫିଆଙ୍କ ସଲାସୁତୁରାରେ ଅନାଧିକୃତ ଭାବେ ସଂରକ୍ଷିତ ଜଙ୍ଗଲ ସଫା କରି ମକାଚାଷ କରୁଥିବା ବେଳେ ଜଙ୍ଗଲ ବିଭାଗ ଓ ଭିଏସଏସ କମିଟି ପକ୍ଷରୁ ବିରୋଧ କରିବା ସହ ଜଙ୍ଗଲରୁ ଜନଜାତିଙ୍କୁ ବିତାଡିତ କରା ଯାଇଥିଲା । ଏହି ଘଟଣାକୁ ନେଇ ସେହି ସମୟରେ ଅନାଧିକୃତ ଭାବେ ମକାଚାଷ କରୁଥିବା ଆଦିବାସୀ ମାନେ ଭିଏସଏସ କମିଟି ଉପରେ ଅନେକ ଅଭିଯୋଗ ଆଣିଥିଲେ। ଘଟଣାକୁ ନେଇ ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋକସରା ବ୍ଲକରେ ଗତ ତା.୬/୭/୨୧ରିଖରେ ଶାନ୍ତି କମିଟି ଗଠନ କରିବା ସହ ୬ ମାସ ମଧ୍ୟରେ କଳାହାଣ୍ଡି ସୀମା ସଂରକ୍ଷିତ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ଅନ୍ୟତ୍ର ଥଇତାନ ସହ ସ୍ଥାନାନ୍ତର କରାଯିବା ନେଇ ଚୁକ୍ତି ହୋଇଥିଲା। ତେବେ ଘଟଣାର ୨ ବର୍ଷ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ। ପୂର୍ବଭଳି କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ଆମପାଣି ଓ ବେହେରା ଫରେଷ୍ଟ ସେକ୍ସନ ଅଞ୍ଚଳରେ ପୁଣି ମକାଚାଷ ପାଇଁ ଜଙ୍ଗଲ ସଫା କରି ଜମି ପ୍ରସ୍ତୁତି ଚାଲିଥିବା ନେଇ ଜଙ୍ଗଲ ସୁରକ୍ଷା ମହାସଙ୍ଘ ଅଭିଯୋଗ ଆଣିଛନ୍ତି।ମକା ମାଫିଆଙ୍କୁ ଉଚ୍ଛେଦ କରିବା ପାଇଁ ମଙ୍ଗଳବାର ସାହାଜଖୋଲ ବନ ସୁରକ୍ଷା ମହାସଙ୍ଘ ପକ୍ଷରୁ ନେତୃବୃନ୍ଦ ପଡୋଶୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଉମରକୋଟ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ଓ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସାହାଜଖୋଲ ବନ ସୁରକ୍ଷା ମହାସଙ୍ଘ ଧର୍ମଗଡ ବନାଞ୍ଚଳ ସଭାପତି ଭୁଜବଲ ସୋରି, ଉପ ସଭାପତି କ୍ଷେତ୍ର ମାଝୀ, ସମ୍ପାଦକ ତ୍ରିଲୋଚନ ମାଝୀ, କୋଷାଧ୍ୟକ୍ଷ ନିରଞ୍ଜନ ବାଗ, ସୁଭାଷ ଖର୍ସେଲ, ଭଜମନ ନାଏକ, ପରୀକ୍ଷିତ ବେଶ୍ରା, ଜଙ୍ଗଲ ସୁରକ୍ଷା ନାରିନେତ୍ରୀ ହେମାଙ୍ଗିନି ହଂସ ଓ ଅନ୍ୟ ସଦସ୍ୟ ମାନେ ଉମରକୋଟ ଏସଡିପିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।

ମସିହା ନିୟୁଜ୍ ସର୍ଭିସ୍

Related posts

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ଅବସରରେ ଶୋଭାଯାତ୍ରା 

Sunil Chandra Nayak

ସଡ଼କ ସୁରକ୍ଷା ନେଇ ସଚେତନତା

masiha

୪୨ମୌଜା ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!