ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଣୀ ଚିକିତ୍ସାଳୟରେ ୪ଟି ପଦବୀ ଖାଲି, ବିନା ନାମ ଫଳକରେ ଚାଲିଛି କେନ୍ଦ୍ର

ବାଲେଶ୍ଵର,୩୦/୬/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ପ୍ରାଣୀ ସମ୍ପଦ ବିଭାଗ ସରକାରଙ୍କ ପକ୍ଷରୁ ମୋଟ ୪ଟି ପ୍ରାଣୀ ଚିକିତ୍ସକ ପଦବୀ ମଞ୍ଜୁରୀ ପ୍ରାପ୍ତ ହେଲା ଯଥା- ଜଣେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମେତ ସହକାରୀ ପ୍ରାଣୀ ଚିକିତ୍ସକ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ । କୌଣସି ପଦବୀ ପୂରଣ ନହୋଇ ବର୍ଷ ବର୍ଷ ଧରି ଖାଲି ପଡିଥିବା ଦେଖିବାକୁ ମିଳିଛି । ଏହି ପ୍ରାଣୀ ଚିକିତ୍ସାଳୟରୁ ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ସୁବାଶିଷ ମହାପାତ୍ର ଗତ ତା ୦୭.୦୧.୨୦୨୨ ମସିହା ଠାରୁ ପଦୋନ୍ନତୀ ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଗଲା ପରେ ସେହି ପ୍ରାଣୀ ଚିକିତ୍ସାଳୟରୁ ଆସିଥିବା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡାକ୍ତର ସବିତା ବେହେରା ବାହାର ରାଜ୍ୟକୁ ଉଚ୍ଚ ଶିକ୍ଷା ( ପି,ଏଚ,ଡି) କରିବା ପାଇଁ ତା୨୯,୦୪,୨୦୨୨ ମସିହା ଠାରୁ ଚାଲିଯାଇଛନ୍ତି । ଏକମାତ୍ର ଡାକ୍ତର ପଦବୀରେ ଥିଲେ ବ୍ଲକ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ । ଡାକ୍ତର ରଘୁନାଥ ସିଂ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ତା ୦୮.୦୧.୨୦୨୩ରିଖ ଠାରୁ ଭୁବନେଶ୍ଵରକୁ ଉଚ୍ଚ ଶିକ୍ଷା (ପିଜି) ପାଇଁ ଗଲା ପରେ ବର୍ତ୍ତମାନ କେହି ନାହାନ୍ତି । ସରକାରଙ୍କ ପକ୍ଷରୁ ବହୁ ଦିନରୁ ଏକ ପ୍ରାଣୀ ଚିକିତ୍ସକ ପଦବୀ ମଞ୍ଜୁର ପ୍ରାପ୍ତ ହେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉକ୍ତ ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଏହି ବ୍ଲକକର ଦ୍ବିତୀୟ ପ୍ରାଣୀ ଚିକିତ୍ସାଳୟ ନାହିଁ । ବ୍ଲକର ୩୭ଟି ପଞ୍ଚାୟତର ଗୋପାଳକ ଚାଷୀମାନେ ଖଇରା ପ୍ରାଣୀ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି । ଏହି ପ୍ରାଣୀ ଚିକିତ୍ସାଳୟ ଅଧିନରେ ସ୍ଥାୟୀ ୧୦ଟି ପ୍ରାଣୀ ସହାୟକ ଯଥା ଅନ୍ତରା, ପତିରାଜପୁର, ବର୍ତ୍ତନା, ହରିପୁର, କୁପାରୀ, ଗଣ୍ଡିବେଡ, ତୁଡିଗଢିଆ, ମିର୍ଜାପୁର, ମାଖନପୁର, ଡଗରପଡା ଥିଲା ବେଳେ ଅସ୍ଥାୟୀ ଭାବେ ଉପ- ସହାୟକ କେନ୍ଦ୍ର ସାନ ଜୟପୁର ଓ ମାଣିତ୍ରୀ ଠାରେ ଖୋଲା ଯାଇଅଛି । ଏହି ୧୨ଟି ପ୍ରାଣୀ ସହାୟକ କେନ୍ଦ୍ର ମଧ୍ୟରେ ୩ଟି ପ୍ରାଣୀ ସହାୟକ ନିରୀକ୍ଷକ ପଦବୀ ଖାଲି ପଡ଼ିଛି । ଖଇରା ପ୍ରାଣୀ ଚିକିତ୍ସାଳୟରେ କେହି ପ୍ରାଣୀ ଚିକିତ୍ସକ ନଥିବାରୁ ସରକାର ପକ୍ଷରୁ ରେମୁଣା ବିଭିଓଙ୍କୁ ଭାରପ୍ରାପ୍ତ ଭାବେ ସପ୍ତାହରେ ଦୁଇ ଦିନ ରବିବାର ଓ ସୋମବାର ୨ ଦିନ ଆସି ଡାକ୍ତରଖାନାରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ରେମୁଣା ବିଭିଓ ଡାକ୍ତର ମହେଶ୍ୱର ପରିଡା ଗତ ରବିବାର ଓ ସୋମବାର ଆସି ନଥିଲେ । କାରଣ ଖଇରା ଠାରୁ ରେମୁଣା ଦୂରତା ଯିବା ଆସିବା ୧୨୦ କିଲୋମିଟର ଅଟେ । ବିଭିଓ ଆସି ସପ୍ତାହରେ ଦୁଇ ଦିନ କାର୍ଯ୍ୟ କରିବା ସମ୍ଭବ ନୁହେଁ । ସେହି ଭଳି ଖନ୍ତାପଡା ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ବିଶ୍ବଜିତ ମହାନ୍ତି ଖଇରାରେ ଭାରପ୍ରାପ୍ତ ଅତିରିକ୍ତ ସହକାରୀ ପ୍ରାଣୀ ଚିକିତ୍ସକ ଓ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟ ତୁଲାଇବା ପାଇଁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ସେ ଆସି କୌଣସି କାର୍ଯ୍ୟ କରୁନାହାନ୍ତି ବୋଲି ବିଭିନ୍ନ ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି । ଆହୁରି ମଧ୍ୟ ଦେଖିବାକୁ ମିଳିଛି ଗତ ତା ୧୮.୦୬.୨୩ ରିଖ ଠାରୁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି ବନ୍ଦ ହୋଇଛି ବୋଲି ଭାରପ୍ରାପ୍ତ ଡାକ୍ତର ବିଶ୍ବଜିତ ମହାନ୍ତି କହିଛନ୍ତି । ଭ୍ରାମ୍ୟମାଣ ଗାଡ଼ିରେ ଥିବା ଗାଡ଼ି ଚାଳକ ଛାଡି ଚାଲିଯିବା ଯୋଗୁଁ ଗାଡ଼ି ବନ୍ଦ ହୋଇଛି । ଏବିଷୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇ ଥିଲେ ମଧ୍ୟ ବର୍ତ୍ତମାନ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ କିମ୍ବା କେହି ଅଭିଜ୍ଞତା ଥିବା କର୍ମଚାରୀ ଗାଡ଼ିରେ ଯାଉନାହାନ୍ତି । ଜଣେ ଅସ୍ଥାୟୀ ଠିକା ଅଣପ୍ରାପ୍ତ ଓ ଅନଭିଜ୍ଞ କର୍ମଚାରୀଙ୍କୁ ଗାଁକୁ ପଠାଯାଇ ପ୍ରତ୍ୟେକ ଦିନ ଗୋସେବା ଓ ଗୋ ଚିକିତ୍ସା କରାଯାଉଛି । ଆବଶ୍ୟକ ସ୍ଥଳେ ସେହି ଅନଭିଜ୍ଞ କର୍ମଚାରୀ ଗୋପାଳକ ଚାଷୀ ମାନଙ୍କୁ ଔଷଧ କିଣିବା ପାଇଁ ଲେଖା ଦେଉଛନ୍ତି । ହେଲେ ଭାରପ୍ରାପ୍ତ ଡାକ୍ତର ମାନେ ରେମୁଣା ଓ ଖନ୍ତାପଡା ଡାକ୍ତରଖାନାରେ ରହୁଛନ୍ତି । ଅଜଣା ଲୋକମାନେ ନିଜର ଗୃହପାଳିତ ପଶୁ ମାନଙ୍କୁ ଖଇରା ଡାକ୍ତରଖାନାକୁ ନେଇ ଆସୁଛନ୍ତି, ହେଲେ ଡାକ୍ତରଖାନା କେଉଁଠି ଜାଣିପାରୁ ନାହାନ୍ତି । କାରଣ ଖଇରା ପ୍ରାଣୀ ଚିକିତ୍ସାଳୟ( ପଶୁ ଡାକ୍ତରଖାନା) ନାମ ଫଳକ ଡାକ୍ତରଖାନା ଫାଟକ କିମ୍ବା ଡ଼ାକ୍ତରଖାନା କାର୍ଯ୍ୟାଳୟ ସମ୍ମୁଖରେ ଲେଖା ଯାଇନାହିଁ । କେତେ ବେଳେ ଅନ୍ୟ କାର୍ଯ୍ୟାଳୟକୁ ଯାଇ ପଚାରୁଛନ୍ତି ପଶୁ ଡାକ୍ତରଖାନା କେଉଁଠି ? ପ୍ରତ୍ୟେକ ଦିନ ଉପରବେଳାକୁ ଛାଡି ସକାଳ ସମୟରେ ଏଲ, ଆଇ, (ପ୍ରାଣୀ ସହାୟକ ନିରୀକ୍ଷକ) ମାନେ ନିଜର ପ୍ରାଣୀ ସହାୟକ କେନ୍ଦ୍ର ବନ୍ଦ କରି ପାଳିକରି ଖଇରା ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ସହାୟକ କେନ୍ଦ୍ର ଗୁଡିକ ମାସର ରବିବାର ଓ ଅନୁପସ୍ଥିତି ଥିବା ଦିନକୁ ମିଶାଇଲେ ୮ରୁ ୧୦ଦିନ ବନ୍ଦ ହେଉଛି । କେନ୍ଦ୍ର ଗୁଡ଼ିକ ବନ୍ଦ ହେବା ଯୋଗୁଁ ଗରିବ ଗୋପାଳକ ଚାଷୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏବଂ ବିନା ତାଲିମ ପ୍ରାପ୍ତ କର୍ମଚାରୀ ମାନେ ଚିକିତ୍ସା କରୁଥିବା ଯୋଗୁଁ ଲୋକମାନେ ଭୟଭୀତ ହେଉଛନ୍ତି । ଅଭିଜ୍ଞ ଡାକ୍ତର ନଥିବାରୁ ବହୁ ସମୟରେ ବହୁ ପ୍ରାଣୀ ମୃତ୍ୟୁମୁଖରେ ପଡୁଛନ୍ତି । ଏବେ ବର୍ଷାଋତୁ ଚାଲିଛି, ଆଗକୁ ବନ୍ୟା ସମୟ ଆସିଯିବ, ସ୍ଥାନୀୟ ଅଞ୍ଚଳର ଗୋରୁ ଓ ଗୃହପାଳିତ ପଶୁପକ୍ଷୀ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି, ଏବିଷୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବନମାଳୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଖଇରାରେ ଡାକ୍ତର ନିଯୁକ୍ତି ତାଙ୍କ ହାତରେ ନାହିଁ । ଏଣୁ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ନିମନ୍ତେ ତାଙ୍କ କାର୍ଯ୍ୟାଳୟ ତରଫରୁ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଖାଲି ଥିବା ପଦବୀ ପୂରଣ ନିମନ୍ତେ ଲିଖିତ ଭାବେ ଜଣାଇ ଥିବା କହିଛନ୍ତି । ଗୋ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଗତ ତା ୨୨.୦୬.୨୩ ରିଖ ଦିନ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର କୁପାରୀ ହେଲିପ୍ଯାଡ୍ ପଡ଼ିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫-ଟି ସଚିବ ଭି, କେ,ପାଣ୍ଡିଆନଙ୍କୁ ଖଇରା ବ୍ଲକର ଜନଜାଗରଣ ମଞ୍ଚ ଓ ବରିଷ୍ଠ ନାଗରିକ ମଞ୍ଚ ମିଳିତ ଭାବେ ଡାକ୍ତର ପଦବୀ ଖାଲି ପଡ଼ିଥିବା ପୂରଣ, ସେହି ଭଳି ୨୦୧୭-୧୮ମସିହାଠାରୁ ଖଇରା ପ୍ରାଣୀ ଚିକିତ୍ସାଳୟ ପରିସରରେ ଏକ ନୂତନ ଭାବେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ନୂତନ ପ୍ରାଣୀ ଚିକିତ୍ସାଳୟ କୋଠାଘର ଆଜି ପର୍ଯ୍ୟନ୍ତ କେଉଁ କାରଣରୁ ଗ୍ରାମ୍ୟ ଉନ୍ନୟନ ବିଭାଗ, ତରଫରୁ ସମ୍ପୂର୍ଣ୍ଣ କାର୍ଯ୍ୟ ପାଞ୍ଚ ବର୍ଷ ଧରି ସାରିଥିଲା ବେଳେ ପ୍ରାଣୀ ଚିକିତ୍ସା ବିଭାଗକୁ ହସ୍ତାନ୍ତର ହେଉନାହିଁ, ସେହି ପ୍ରାଣୀ ଚିକିତ୍ସାଳୟ ପରିସର ଥିବା ବିଭିଓ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବାସଗୃହ ମରାମତି ହେଉନଥିବାରୁ କର୍ମଚାରୀ ମାନେ ବହୁ ଅସୁବିଧାରେ ବାହାରେ ଘର ଭଡ଼ା ନେଇ ରହୁଥିବା ବିଷୟରେ ଏକ ଲିଖିତ ଅଭିଯୋଗ ଦେବା ପରେ ତୁରନ୍ତ ସାତ ଦିନ ମଧ୍ୟରେ ପଦକ୍ଷେପ ନେବାକୁ ୫-ଟି ସଚିବ ଭି, କେ, ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ ହେଲେ ଏପର୍ଯ୍ୟନ୍ତ ଫଳ ଶୂନ । ଯଦି ୫-ଟିଙ୍କ ପ୍ରତିଶ୍ରୁତି ପାଣିରଗାର ହୁଏ, ଆଗାମୀ ଦିନରେ ଏଠାରେ ଜନ ଆନ୍ଦୋଳନ ସୃଷ୍ଟି ହେବା ସ୍ବଭାବିକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ  

masiha

ମାଟିଘର ସାହିତ୍ୟ ଚର୍ଚ୍ଚା

ଧର୍ମଗଡ ରେ ନୂତନ ତହସିଲଦାର ଙ୍କ ଯୋଗଦାନ  ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!