ପେଶା ଶିକ୍ଷକତା କିନ୍ତୁ ନିଶା ଗଛ ଲଗାଇବା
କଳାହାଣ୍ଡି ଜିଲ୍ଲାରେ ଏମିତି ଲୋକ ଅଛନ୍ତି ଯିଏ କି ପେଶାରେ ସରକାରୀ ଶିକ୍ଷକ କିନ୍ତୁ ନିଶା ହେଉଛି ଗଛ ଲଗାଇବା । ତାଙ୍କ ବଗିଚାରେ ଅନେକ କିଶମର ଫୁଲ ,ଫଳ, ତଥା ଔଷଧୀୟ ବୃକ୍ଷ ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ଚର୍ଚ୍ଚା ହେଲା ଜାପାନୀ ପ୍ରଜାତିର ମିଆଁଜଖି ଆମ୍ବ ଯାହାକି ଆନ୍ତର୍ଜାତିକ ବଜାରରେ ଢେର ଚାହିଦା ଥିବା ଆମ୍ବ ଫଳାଇ ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତର କାନ୍ଦୁଲଗୁଡା ଗ୍ରାମର ରକ୍ଷାକର ଭୋଇ । ସେ ନୀକଟସ୍ଥ ମିଚା ଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥାନ୍ତି । ସେ ପାଠ ପଢିବା ସମୟରେ ଗଛ ଲଗାଇବା ପ୍ରତି ଆକୃଷ୍ଟ ହୋଇଥିଲେ । ସେହିଦିନ ଠାରୁ ଗଛ ଲଗାଇବା ଆରମ୍ଭ କରିଛନ୍ତି । ରକ୍ଷାକର ସ୍କୁଲ ଗଲା ପରେ ତାଙ୍କ ସ୍ତ୍ରୀ ସୁଭଦିନି ଭୋଇ, ତାଙ୍କ ବଡ଼ଭାଇ ଚତୁର୍ଭୁଜ ଭୋଇ ସମସ୍ତେ ଗଛ ମାନଙ୍କର ଯତ୍ନ ନେଇଥାନ୍ତି । ସ୍କୁଲରୁ ଆସିଲା ପରେ ପୁଣିଥରେ ରକ୍ଷଣାବେକ୍ଷଣ କାମରେ ଲାଗି ଯାଆନ୍ତି ।
ରକ୍ଷାକରଙ୍କ ବଗିଚାରେ ୧୫ ପ୍ରକାର ଆମ୍ବ ଗଛ ସହିତ ଜାପାନ ପ୍ରଜାତିର ମିଆଁଜଖି ଆମ୍ବ, ଥାଇଲାଣ୍ଡ ବରକୋଳି, ପାଣି ସେଓ, ପାନପତ୍ର, ଡାଳଚିନି, ତେଜପତ୍ର, ନଡିଆ, ପିସ୍ତାବାଦାମ ସମେତ ଶତାଧିକ ଔଷଧୀୟ ଗଛ ମଧ୍ୟ ଲଗାଇଛନ୍ତି । ମିଆଁଜଖି ଆମ୍ବ ବିଶ୍ଵ ବଜାରରେ ବେଶ ଚାହିଦା ରହିଛି । ଏହି ଗଛକୁ ବିଗତ ୧୨ ବର୍ଷ ତଳେ ହାଇଦ୍ରାବାଦ ରୁ ଆଣିଥିଲେ । ଗଛ ବଢିବା ସହିତ ଫଳ ମଧ୍ୟ ଫଳୁଛି । କିନ୍ତୁ ଏହି ଆମ୍ବ ବିଷୟରେ କିଛି ଜାଣି ନଥିଲେ । ଏହି ଗଛ ବାବଦରେ ଇଣ୍ଟରନେଟ ମାଧ୍ୟମରେ ସର୍ଚ୍ଚ କଲା ପରେ ଏହା ଏକ ବିରଳ ପ୍ରଜାତିର ଆମ୍ବ ଗଛ ବୋଲ ଜଣା ପଡିଥିଲା । ଏହା ଜାପାନର କ୍ୟୁତ ଅଞ୍ଚଳରେ ଚାଷ ହୋଇଥାଏ । ଏହି ଆମ୍ବ ଅଣ୍ଡା ଆକୃତିର ହୋଇଥିବା ବେଳେ ଏହା ଦେଖିବାକୁ ଲାଲରଙ୍ଗ ଦେଖାଯାଏ । ଏହି ଆମ୍ବ ଦୁନିଆର ସବୁଠାରୁ ମହାଙ୍ଗା ଆମ୍ବ ଅଟେ । ସୂଚନା ଅନୁସାରେ ଗତ ୨୦୧୭ ମସିହା ଆନ୍ତର୍ଜାତିକ ବଜାରରେ ଏହି ମିଆଁଜଖି ଆମ୍ବ କେଜି ପ୍ରତି ୩୬୦୦ ଡ଼ଲାର ବା ଇଣ୍ଡିଆ କରେନ୍ସି ହିସାବରେ ପ୍ରାୟ ୨ଲକ୍ଷ ୭୦ ହଜାର ଟଙ୍କା ବିକ୍ରୀ ହୋଇଥିଲା । କିନ୍ତୁ ଓଡିଶା ବଜାରରେ ଏହାର ଅନ୍ୟ ଆମ୍ବ ସହିତ ସମାନ ଅଛି । ଏହି ଆମ୍ବର ଚାହିଦା ପ୍ରତି କାହାର ନିଘା ମଧ୍ୟ ନାହିଁ । ବିଗତ ବର୍ଷ ମାନଙ୍କରେ କଳାହାଣ୍ଡି ଜିଲ୍ଲା ଭୋକର ଭୂଗୋଳ ବୋଲି ସମଗ୍ର ବିଶ୍ୱରେ ବିଦିତ ଥିଲା । କିନ୍ତୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ର ଚାଷୀ ଡ୍ରାଗନ ଫଳ, ଧର୍ମଗଡ ବ୍ଲକ ର ଚାଷୀ ଗ୍ରୀନ ସେଓ ଓ ଏବେ ଜୁନାଗଡ଼ ବ୍ଲକ କାନ୍ଦୁଲଗୁଡା ର ଚାଷୀ ଜାପାନ ଦେଶରେ ଫଳୁଥିବା ବିରଳ ଆମ୍ବ ଚାଷ କରି କଳାହାଣ୍ଡି ଜିଲ୍ଲାର ସୁନାମ ବଢ଼ାଇ ରଖି ପାରିଛନ୍ତି ।
ଆଜି ଦେଉଛି ସେହି ଫଳର ରାଜା ଆମ୍ବ ଦିବସ । ପ୍ରତିବର୍ଷ ଜୁଲାଇ ୨୨ ତାରିଖକୁ ଜାତୀୟ ଆମ୍ବ ଦିବସ ଭାବରେ ପାଳନ କରାଯାଏ ।
ଜାପାନ ଦେଶରେ ଫଳୁଥିବା ବିରଳ ଆମ୍ବ ଚାଷ କରି କଳାହାଣ୍ଡି ଜିଲ୍ଲାର ସୁନାମ ବଢ଼ାଇ ଥିବା ଶିକ୍ଷକ ରକ୍ଷାକର ଭୋଇଙ୍କୁ ଜାତୀୟ ଆମ୍ବ ଦିବସରେ ସଲାମ….