ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଣିଲାଣି କ୍ଷୁଦ୍ର ଜଳସେଚନ ବିଭାଗ, ନିଜସ୍ଵ ଉଦ୍ୟମରେ ଭଙ୍ଗା କେନାଲକୁ ମରାମତି କରି ଜଳସେଚନ କରୁଛନ୍ତି ଚାଷି

କୋକସରା,୨/୦୮ // ଜଳସେଚନର ସୁବ୍ୟବସ୍ଥା ଓ ଚାଷିଙ୍କ ଚାଷଜମିକୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ପକ୍ଷରୁ ଚେକ ଡ୍ୟାମ ନିର୍ମାଣ କରାଯାଇଛି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଚେକ ଡ୍ୟାମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ଡ୍ୟାମରୁ ଜଳସେଚନ ସୁଚାରୁ ରୁପେ ହେଉ ନଥିବା ବେଳେ ଅନେକ ସ୍ଥାନରେ କେନାଲ ଭାଙ୍ଗି ଯାଇଥିବାରୁ ଚାଷିଙ୍କ ଜମିକୁ ପାଣି ମାଡୁନାହିଁ। ବ୍ଲକର ଗୋତୋମୁଣ୍ଡା ପଞ୍ଚାୟତ ଅଠରନାଲା ଚେକ ଡ୍ୟାମରୁ ପାଖାପାଖି ୩ ଶହ ଏକର ଚାଷଜମି ଜଳସେଚିତ ହେଉଥିବା ବେଳେ କେନାଲ ଅନେକ ସ୍ଥାନରେ ଭାଙ୍ଗି ପଡିଥିବା କାରଣରୁ ଚାଷି ଜଳସେଚନ ସୁବିଧାରୁ ବଞ୍ଚିତ ରହୁଛନ୍ତି। କେନାଲ ମରାମତି ପାଇଁ ଗୋତୋମୁଣ୍ଡା ପଞ୍ଚାୟତ ବାଞ୍ଜିକୋଟ, ଚୋରନିଦ୍ୱାର ଭଇଁସାଳପଡା ଅଞ୍ଚଳର ଚାଷୀମାନେ ବିଗତ ୨/୩ ବର୍ଷ ଧରି ଅନେକ ସମୟରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ ବୋଳି ଅଭିଯୋଗ କରିଛନ୍ତି। ଗତ କିଛିଦିନ ଧରି ଲଘୁଚାପ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ କେନାଲ ଗୁଡିକ ଭାଙ୍ଗି ପଡିଥିବାରୁ ଚାଷୀ ମାନେ ନିଜସ୍ଵ ଉଦ୍ୟମରେ ଭଙ୍ଗା କେନାଲ କାନ୍ଥରେ ଗଛ ଭାର ଦେଇ ତାରପୋଲିଂ, ବାଲିବସ୍ତା, ମାଟି ପକାଇ ଚାଷ ଜମିକୁ ପାଣି ମଡାଉଥିବା ଦେଖିବାକୁ ମିଳିଛି। ତେବେ ଆଗକୁ କେନାଲ ମରାମତି ନକଲେ ଅଞ୍ଚଳ ଚାଷି ମାନେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଳି ଚାଷି ତ୍ରିନାଥ ଯାନୀ, ଯୁଗେଶ୍ୱର ମାଝୀ, ଦ୍ରୋଣ ପୁଝାରି, ଉପେନ୍ଦ୍ର ବାଗ, ସତ୍ୟ ନାଗ, ଗଣେଶ ପୁଝାରି, ସୁନିଲ ପୁଝାରି, ପ୍ରକାଶ ମାଝୀ ପ୍ରମୁଖ ଚାଷି କହିଛନ୍ତି। ଏନେଇ କୋକସରା କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ଦାସଙ୍କ ପ୍ରତିକ୍ରିୟା ନେବାରୁ ଅଠର ନାଲା ଚେକ ଡ୍ୟାମ ଓ କେନାଲ ନିର୍ମାଣ ପାଇଁ ଇଷ୍ଟିମେଟ ଦିଆଯାଇଛି, ଅନୁଦାନ ଆସିଲେ କାର୍ଯ୍ୟ ହେବ ବୋଳି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଉକ୍ତଳଗୌରବ ମଧୁବାବୁଙ୍କ ଜୟନ୍ତୀପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

ଦେବଗଡରେ ପ୍ରାୟ ୨୦୫ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

masiha

ସକାଳ ର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ୍ସ ଦିବସ ପାଳନ

masiha

Leave a Comment

error: Content is protected !!