ନବରଙ୍ଗପୁର-(ମସିହା )ଗାଁ କୁ ପକ୍କା ରାସ୍ତା ନ ଥିବାରୁ ଆଜି ଜଣେ ଗର୍ଭବତୀ ଙ୍କୁ କାଦୁଅ ପଚ ପଚ ରାସ୍ତାରେ ପରିବାର ଲୋକେ ଦୁଇ ଶହ ମିଟର ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଛନ୍ତି l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ମେଦନା ପଞ୍ଚାୟତ ଅଧୀନରେ ଥିବା ସାନ ବରାଯୋଡି ଗ୍ରାମରେ l ସୂଚନା ଅନୁଯାୟୀ ସାନ ବରା ଯୋଡି ଗ୍ରାମର ଅରୁଣ ସାନ୍ତା ଙ୍କ ପତ୍ନୀ ଚନ୍ଦ୍ରିକା ସାନ୍ତା ଙ୍କୁ ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା l ପ୍ରଥମ ଗର୍ଭ ହୋଇଥିବାରୁ ପରିବାର ଲୋକେ ଜନନୀ ଏକ୍ସପ୍ରେସ କୁ ଫୋନ କରିଥିଲେ l ଜନନୀ ଏକ୍ସପ୍ରେସ ବି ଠିକ୍ ସମୟରେ ପହଞ୍ଚି ଥିଲା l କିନ୍ତୁ ଗ୍ରାମଠାରୁ ୨୦୦ ମିଟର ଦୂରରେ ଅଟକି ରହିଗଲା l କାରଣ ୨୦୦ ମିଟର ରାସ୍ତା କାଦୁଅ ପଚ ପଚ ଥିବାରୁ ଗ୍ରାମ ଭିତରକୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା l ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀ ମହିଳା କୁ କାଦୁଅ ରାସ୍ତାରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ l ପରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ସେଠାରେ ପ୍ରସୂତି କରାଇ ପୁତ୍ର ସନ୍ତାନ ଟିଏ ଜନ୍ମ କରାଇଥିଲେ l ଶିଶୁ ଓ ମା ସୁସ୍ଥ ଅଛନ୍ତି l ସାନ ବରାଯୋଡି ଗ୍ରାମକୁ ଯିବାକୁ ହେଲେ ମେଦନା ପଞ୍ଚାୟତର ଚାଟିଗୁଡା ଓ ବାଉଁଶ ବେଡା ଗ୍ରାମ ଦେଇ ଯିବାକୁ ପଡିଥାଏ l ତେବେ ସ୍ଵାଧୀନତା ର ୭ ଦଶନ୍ଧି ପରେ ମଧ୍ଯ ଉକ୍ତ ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇ ପାରିନାହିଁ l ଚାଟି ଗୁଡା ଠାରୁ ସାନ ବରାଯୋଡି ଗ୍ରାମ ମାତ୍ର ତିନି କିମି ପାଦ ଚଲା ଜଙ୍ଗଲ ରାସ୍ତା ରହିଛି l ଉକ୍ତ ରାସ୍ତା ଦେଇ ପ୍ରତିଦିନ ଗ୍ରାମବାସୀ ଯାତାୟତ କରୁଛନ୍ତି l ବାଉଁଶ ବେଡା ଗ୍ରାମଠାରୁ ଏକ କିମି ଦୂରରେ ସାନ ବରାଯୋଡି ଗ୍ରାମ ଥିଲେ ସୁଦ୍ଧା ସେହି ରାସ୍ତା ମଧ୍ଯ ପକ୍କା ରାସ୍ତା ହୋଇ ନାହିଁ l ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଆସିଥିବା ବେଳେ ଗ୍ରାମ ଠାରୁ ୨୦୦ ମିଟର ଦୂରରେ କାଦୁଅ ରାସ୍ତା ପାଇଁ ଅଟକି ଯାଇଥିଲା l ଯଥାଶୀଘ୍ର ଉକ୍ତ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବୀ କରିଛନ୍ତି l
previous post