ଧର୍ମପରାୟଣା ମହିଳାଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ
ବାଲେଶ୍ଵର,୦୩/୧୧/୨୩- ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବରି ଗ୍ରାମରେ ସ୍ବର୍ଗତା ପ୍ରମିଳା ସାହୁଙ୍କ ଜନ୍ମ । ଶ୍ବଶୁର ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣୀଗାଁ ହେଲେ ବି ନବରଙ୍ଗପୁର ଜିଲ୍ଲା ଥିଲା ବ୍ଯବସାୟୀକ ବାସସ୍ଥାନ । ସ୍ବାମୀ ଅର୍ଜୁନ ସାହୁଙ୍କ ସହିତ ନବରଙ୍ଗପୁରର ସୁନାରୀସାହିରେ ବସବାସ କରୁଥିଲେ । ସେଠାରେ ଶିଳ୍ପ ପ୍ରତିଷ୍ଠା କରି ଅନେକ ଗରିବଙ୍କ ମୁହଁରେ ଫୁଟାଇ ଥିଲେ ହସ । ସେ ସବୁବେଳେ ଧର୍ମ ମାର୍ଗରେ ଚାଲୁଥିଲେ । ଲୋକଙ୍କୁ ସୁଉପଦେଶ ଦେବା, ରୋଜଗାରର ପନ୍ଥା ଦେଖାଇବା, ଧର୍ମ ମାର୍ଗରେ ଚାଲିବା ପାଇଁ ଉପଦେଶ ଦେବା, ଦୀନଦୁଃଖୀ, ଗରିବ, ଅସହାୟ ମାନଙ୍କୁ ସହାୟ ହେବା ତାଙ୍କର ଦୈନନ୍ଦିନର କାର୍ଯ୍ୟସାରଣୀ ଥିଲା । ସମ୍ପୃକ୍ତ ଅଞ୍ଚଳ ଲୋକ ମାନଙ୍କର ଅଭାବ ଅସୁବିଧା ସମୟରେ ଉପସ୍ଥିତ ହୋଇ ସହାୟ ହେଉଥିଲେ । ହେଲେ ହଠାତ୍ ସେ ହୃଦ୍ ରୋଗରେ ଆକ୍ରାନ୍ତ ହେଲେ । ଭୁବନେଶ୍ୱର ଆପୋଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ । ପରିବାର ଲୋକେ ଆପ୍ରାଣ ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ ବଞ୍ଚାଇ । ଶେଷରେ ତା ୨୯/୧୦/୨୩ ରିଖ ରାତି ୧୦ ଘଟିକା ସମୟରେ ତାଙ୍କର ପ୍ରାଣବାୟୁ ଉଡିଗଲା । ମୃତ୍ୟୁ ବେଳକୁ ତାଙ୍କର ବୟସ ୫୪ ବର୍ଷ ହୋଇଥିଲା । ଏ ଖବର ନବରଙ୍ଗପୁର ବାସଭବନ ଅଞ୍ଚଳରେ ବିଜୁଳି ବେଗରେ ଖେଳିଗଲା ପରେ ସମ୍ପୃକ୍ତ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡିଥିଲେ । ପରେ ତାଙ୍କର ମର ଶରୀରକୁ ବାସଭବନ ନବରଙ୍ଗପୁରର ସୁନାରୀସାହି ଓ ଟିଲିଆମ୍ବାଗୁଡାରେ ପରିଭ୍ରମଣ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଶେଷ ଦର୍ଶନ ପରେ ଶବ ସତ୍କାର ପାଇଁ ପୁରୀ ସ୍ବର୍ଗଦ୍ବାର ନିଆଯାଇଥିଲା । ତାଙ୍କର ଏକମାତ୍ର ଝିଅ ମୁଖାଗ୍ନି ଦେଇଥିବା ବେଳେ ସ୍ବାମୀ, ଜ୍ବାଇଁ, ଭାଇ, ଭଉଣୀ, ପୁତୁରା, ଝିଆରୀ ଏବଂ ବନ୍ଧୁପରିଜନ ଉପସ୍ଥିତ ରହି ତାଙ୍କ ଅମରଆତ୍ମାର ସଦଗତି କାମନା କରି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।।