ଆପତ୍ତି, ଅଭିଯୋଗ ଶୁଣି ସମାଧାନ ପନ୍ଥା ବାହାର କରିବା ଜନନୀ ସମ୍ପର୍କ ଅଭିଯାନର ମୂଳ ଲକ୍ଷ୍ୟ – ପ୍ରଶାନ୍ତ ସେଠୀ
ରାଉରକେଲା/ଜନନୀ ସମ୍ପର୍କ ଅଭିଯାନରେ ଆସି ଆଜି ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଟାଙ୍ଗରପଲ୍ଲୀ ବସ୍ତି ଅଂଚଳରେ ପହଂଚି ଥିଲେ । ସ୍ଥାନୀୟ ଚିରୁଗଡ଼ ଏବଂ ବାଗନ ବସ୍ତିକୁ ଆସି ସେଠାକାର ସାମାଜିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଉପସ୍ଥିତ ମହିଳାଙ୍କ ସହ ଆଲୋଚନା କରିଥିଲେ ।ଏହି ଅବସରରେ ରାଜ୍ୟ ସରକାରଙ୍କ ପ୍ରଚଳିତ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେନେଇ ପଚାରି ବୁଝିଥିଲେ । ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଭତ୍ତା ଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି ନା ନାହିଁ ସେ ବାବଦରେ ମଧ୍ୟ ଅବଗତ ହୋଇଥିଲେ ।ବସ୍ତି ଅଂଚଳର ସର୍ବାଙ୍ଗୀନ ବିକାଶ ନେଇ ସରକାର ବହୁବିଧ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି, କେହି ହିତାଧିକାରୀ ଏଥିରୁ ବଞ୍ଚିତ ଯେମିତି ନ ହୁଅନ୍ତି ସେ ଦିଗରେ ଆମେ ଚେଷ୍ଟା ଜାରି ରଖିଛୁ ବୋଲି ପ୍ରଶାନ୍ତ କହିଥିଲେ l ଏଠାରେ ଉପସ୍ଥିତ ମହିଳାମାନେ ବସ୍ତି ସମସ୍ୟା ସହ କିଛି ବ୍ୟକ୍ତିଗତ ଅଭାବ ଅସୁବିଧା ନେଇ ପ୍ରଶାନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଉତ୍ତରରେ ପ୍ରଶାନ୍ତ କହିଥିଲେ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣି ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ସହଯୋଗରେ ଏହାର ସମାଧାନ କରିବା ଅଭିଯାନର ମୂଳ ଲକ୍ଷ୍ୟ l ସାମଗ୍ରିକ ପ୍ରଚେଷ୍ଟା ଓ ମିଳିତ ଉଦ୍ୟମ ବଳରେ ସମସ୍ୟାର ସମାଧାନ ସମ୍ଭବ ହୋଇ ପାରୁଛି l ପ୍ରଶାସନ ସହାୟତାରେ ରାସନ କାର୍ଡ, ଡାକ୍ତରୀ ଚିକିତ୍ସା ଏବଂ ଭତ୍ତା ଆଦି ଅତ୍ୟାବଶ୍ୟକ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିଛି l ଗରିବ ବସ୍ତି ବାସିନ୍ଦା ନିଜ ହକ ପାନ୍ତୁ ବୋଲି ସରକାରଙ୍କ ସଦିଛା ରହିଛି l ଏନେଇ ଆପଣମାନଙ୍କ ସହଯୋଗ ରହିଲେ ଉଦ୍ୟମ ସଫଳ ହେବ ବୋଲି ପ୍ରଶାନ୍ତ ମତ ପ୍ରକାଶ କରିଥିଲେ l ଏହି ଅବସରରେ ଉପସ୍ଥିତ ମହିଳାଙ୍କୁ ସରକାରଙ୍କ ସଫଳ ଯୋଜନା ନେଇ ବୁଝା ଯାଇଥିଲା l ପ୍ରତ୍ୟକ ପରିସ୍ଥିତିରେ ଆମେ ସହାୟତା ପାଇଁ ପ୍ରସ୍ତୁତ ଥିବା କହି ପ୍ରଶାନ୍ତ ଉପସ୍ଥିତ ମହିଳା ଏବଂ ବସ୍ତି ବାସିନ୍ଦାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l