ଆଚାର୍ଯ୍ୟା ଓ ସୁ-ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀଙ୍କ ଡକ୍ଟରେଟ ଲାଭ, ଦିଲ୍ଲୀ ଫରିଦାବାଦରେ ମିଳିଲା ସମ୍ମାନ
ବାଲେଶ୍ଵର,୧୭/୧୧/୨୩- କଳା, ସଂସ୍କୃତି ଓ ସାହିତ୍ୟର ମାଟି ବାଲେଶ୍ଵର ଜିଲ୍ଲା । ଏ ହେଉଛି ଫକୀରମୋହନଙ୍କ ମାଟି । ଏ ମାଟିରେ ଯିଏ ଜନ୍ମ ନେଇଛି କିମ୍ବା ଏ ମାଟିର ପାଣିପବନ ସହିତ ନିଜକୁ ଖାପଖୁଆଇ ଆଗକୁ ବଢିବାର ଆପ୍ରାଣ ଉଦ୍ୟମ କରିଛି, ଏ ମାଟି କେବେ ତାଙ୍କୁ କରିନି ଅବହେଳା, ଦେଇଛି ଦେଶ ବିଦେଶରେ ସମ୍ମାନ ଓ ସ୍ଥାନ । ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା – ଯାହାଙ୍କର ଲେଖନୀରୁ ସଦାବେଳେ ଅମୃତ ଝରଣା ସୃଷ୍ଟି ହୁଏ, ଯାହାଙ୍କର ସଂଯୋଜନା ପ୍ରତି ହୃଦୟକୁ ବିମୁଗ୍ଧ କରେ, ଯାହାଙ୍କର ଆଚରଣ ଓ ଉଚ୍ଚାରଣରେ ସରଳତା ଓ ନିରୀହପଣ ଥାଏ, ସେ ନିଜକୁ ଜଣେ ସେବାବ୍ରତୀ ଉତ୍ସର୍ଗ କରି ସହ ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ କରିବାରେ ସେ ଆତ୍ମସନ୍ତୋଷ ପାଆନ୍ତି, ସେ ହେଉଛନ୍ତି ସରସ୍ୱତୀ ବିଦ୍ଯା ମନ୍ଦିର ଆଚାର୍ଯ୍ୟା, ବାଲିଆ, ବାଲେଶ୍ଵରର ଜଣେ ଆଦର୍ଶ ଆଚାର୍ଯ୍ୟା ଓ ସୁ-ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀ । ଭାଷା ସାହିତ୍ୟକୁ ପ୍ରାଣ ଓ ଶିକ୍ଷାକୁ ସ୍ପନ୍ଦନ ମଣିଥିବା ଶ୍ରୀମତୀ ପାଣିଗ୍ରାହୀ ଦିଲ୍ଲୀର ଫରିଦାବାଦରେ ଏମ୍. ବି.ଆର ବିଶ୍ବବିଦ୍ୟାଳୟ ଅଧିନରେ ନିଜର ଶିକ୍ଷାଗତ ଯୋଗ୍ଯତା ସହ ଭାଷା ସାହିତ୍ୟରେ ଲେଖା ପ୍ରକଳ୍ପ ଜାରି ରଖି ଡକ୍ଟରେଟ ପାଇଁ ମନୋନୀତ ହୋଇଥିଲେ । ଫରିଦାବାଦ ସ୍ଥିତ ବି କ୍ଯାସଲ ଅଫ୍ ଆର୍ଟ ଥିଏଟର ଦଶମିକ ପ୍ଲାଜା ଠାରେ ଅନୁଷ୍ଠିତ ସମ୍ମାନ ସମ୍ବର୍ଦ୍ଧନା ଉତ୍ସବରେ ଏହି ଉପାଧି ସମ୍ବଳିତ ସମ୍ମାନ ପତ୍ର ଗ୍ରହଣ କରିଛନ୍ତି । ପିତା ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ମାତା ଧର୍ମପ୍ରାଣା ହରିପ୍ରିୟା ପାଣିଗ୍ରାହୀଙ୍କ ପ୍ରଥମ କନ୍ୟା ସନ୍ତାନ ଭାବେ ଜନ୍ମ ନେଇଥିଲେ ସେ ଭୁବନେଶ୍ୱରରେ । ମୟୂରଭଞ୍ଜରେ ହାଇସ୍କୁଲ, +୨ ଓ +୩ ଶିକ୍ଷା ଗ୍ରହଣ ପରେ ତାଙ୍କୁ ବୈବାହିକ ଜୀବନରେ ପାଦ ଥାପିବାକୁ ପଡିଥିଲା । ସ୍ବାମୀ ଆଡଭୋକେଟ ଶିବବ୍ରତ ମହାପାତ୍ରଙ୍କ ପ୍ରେରଣା ଓ ସହଯୋଗରେ ହିନ୍ଦୀରେ କୋବିଦ, ରତ୍ନ, ବି.ଏଡ, ଓଡିଆରେ ଏମ.ଏ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରି ଚଣ୍ଡୀଗଡ ୟୁନିଭାରସିଟିରୁ ସଙ୍ଗୀତ ବିଶାରଦ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ । ଛାତ୍ରୀ ଜୀବନରୁ ଶିକ୍ଷା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଗଭୀର ଆକୃଷ୍ଟ ହୋଇଥିଲେ । ଅଧ୍ଯୟନ ଜୀବନରୁ ଏଯାବତ୍ ତାଙ୍କର ଲେଖା ସମାଜ, ସମ୍ବାଦ, ପ୍ରଜାତନ୍ତ୍ର, ଅଭିନନ୍ଦନ, ଅପରାହ୍ନ ଓ ସକାଳ ଇତ୍ୟାଦି ବିଭିନ୍ନ ସମ୍ବାଦପତ୍ର ତଥା ମୀନାବଜାର ଠାରୁ ଆରମ୍ଭ କରି ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇ ଉଚ୍ଚ ପ୍ରଶଂସିତ । ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ସମେତ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ଓ ସାହିତ୍ୟ ଅନୁଷ୍ଠାନରୁ ନିଜର ପ୍ରତିଭା ପାଇଁ ଅନେକ ମର୍ଯ୍ୟାଦାପୂର୍ଣ୍ଣ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ସେ । ଫରିଦାବାଦ ଦିଲ୍ଲୀରେ ଏହି ଡକ୍ଟରେଟ ଉପାଧି ସମ୍ମାନ ପ୍ରାପ୍ତ ହେବା ପରେ ତାଙ୍କୁ ନିଜର ବିଦ୍ୟାଳୟ, ଆତ୍ମୀୟସ୍ବଜନ, ଓଡିଶାର ବିଭିନ୍ନ ଜିଲ୍ଲା ଓ ଓଡ଼ିଶା ବାହାରେ ବସବାସ କରୁଥିବା ଶ୍ରୀମତୀ ପାଣିଗ୍ରାହୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।।