ଡାବୁଗାଁ କେଲିଆ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ
ଡାବୁଗାଁ, ୨୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ କେଲିଆ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ସୋମବାର ଧୂମଧାମରେ ପାଳିତ ହୋଇଯାଇଛି | ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରଦ୍ଧାଳୁ ମାନେ ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିବା ନିମନ୍ତେ ରାତି ୪ ଘ. ସମୟରୁ ଲମ୍ବା ଧାଡିରେ ଛିଡା ହୋଇଥିଲେ | ଏହି କେଲିଆ ଶୈବ ପୀଠକୁ ଡାବୁଗାଁ ବ୍ଲକ ସମେତ ଜିଲାର ବିଭିନ୍ନ ବ୍ଲକ ଓ ପଡୋଶୀ ଜିଲା କୋରାପୁଟ, କଳାହାଣ୍ଡି ଏବଂ ପଡୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସି ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିଥିଲେ | ଏଥିରେ ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ଚଚରାଗୁଡା ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ସୁରେନ୍ଦ୍ର କୁମାର ମିଶ୍ର, ଜି. ସାଇ ରାଜୁ, ଦେବରାଜ ପାତ୍ର, ଓ କମିଟି କର୍ମକର୍ତା, ସ୍ଵଚ୍ଛାସେବୀ ମାନେ ପରିଚାଳନା କରିଥିଲେ | ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଉପସ୍ଥିତ ରହିବା ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ଭକ୍ତ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ | ଏଠାରେ ୪୦ ହଜାର ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା | ଏଠାରେ ପ୍ରାୟ ୧୨ ହଜାର ଭକ୍ତଙ୍କ ପାଇଁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା | ଡାବୁଗାଁରୁ କେଲିଆ ପର୍ଯ୍ୟନ୍ତ ୧୩ କି.ମି ଗ୍ରାମ୍ୟ ଉନ୍ନୟନ ରାସ୍ତା ର ଅବସ୍ଥା ଶୋଚନୀୟ ଥିବାରୁ ମନ୍ଦିର କମିଟି ପକ୍ଷରୁ ଡାବୁଗାଁ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କୁ ରାସ୍ତାରେ ଥିବା ଖାଲଖମା ଗୁଡିକ ମରାମତି ପାଇଁ ଅନୁରୋଧ କରାଯାଇଥିଲା କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା | ଯାହାଦ୍ୱାରା ମନ୍ଦିରକୁ ଆସୁଥିବା ଭକ୍ତ ମାନେ ରାସ୍ତା ଯୋଗୁଁ ଯାତାୟାତରେ ସମସ୍ୟା ହୋଇଥିଲା ଓ ଛୋଟ ଛୋଟ ଦୁର୍ଘଟଣା ମାନ ଘଟିଥିବା ଦେଖିବାକୁ ମିଳିଥିଲା | ଏହା ସହ ଡାବୁଗାଁ ଶିବ ମନ୍ଦିର ,ବାଘବେଡା, ଜୁନାପାଣି, ବଡଓଲମା ଓ ବିରିଶୋଲା ଶିବ ମନ୍ଦିର ରେ ମଧ୍ୟ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା |