ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିର ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

କଳାହାଣ୍ଡିର ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

କଳାହାଣ୍ଡି: ଉଦୀୟମାନ ଯୁବ ଲେଖକ ଡିଲେଶ୍ୱର ରଣା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ଗଳ୍ପ ସଂକଳନ ‘ସେଁର୍‌ରା’ ପାଇଁ ଓଡ଼ିଆ ଭାଷାରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଏକାଡେମୀ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀରେ ବିଶିଷ୍ଟ ଲେଖକ ବିଭୁତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର ରହିଥିବା ବେଳେ ସର୍ବସମ୍ମତି କ୍ରମେ ‘ସେଁର୍‌ରା’ ପୁସ୍ତକକୁ ଚୟନ କରିଥିଲେ। ଏହାକୁ ଏକାଡେମୀ ସଭାପତି ମାଧବ କୌଶିକ ଅନୁମୋଦନ କରିଛନ୍ତି। ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ରଣାଙ୍କୁ ତାମ୍ର ଫଳକ ସହ ୫୦ହଜାର ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀ ସଚିବ ଡ. କେ ଶ୍ରୀନିବାସରାଓ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ଗଳ୍ପ ଓ କବିତା ରଚନା ସହ ଅଭିନୟ, ସାହିତ୍ୟ ସଂଗଠନ ଆଦିରେ ସକ୍ରିୟ ରହିଛନ୍ତି। ତାଙ୍କର ଟାଇମପାସ ପ୍ରକାଶିତ ଗଳ୍ପ ସଂକଳନ ‘ସେଁର୍‌ରା’ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପ୍ରକାଶିତ ଉପନ୍ୟାସ ‘ମେଳିଭୂଇଁ’ ବିପୁଳ ପାଠକୀୟତା ଲାଭ କରିଛି। ‘ସେଁର୍‌ରା’ ସଂକଳନର ଶୀର୍ଷକ ଗଳ୍ପକୁ ନେଇ ପ୍ରସ୍ତୁତ ଟେଲିଫିଲ୍ମ ଦୂରଦର୍ଶନରେ ପ୍ରକାଶିତ ହୋଇ ବେଶ୍ ଆଦୃତ ହୋଇଛି। ସାରସ୍ୱତ ସାଧନା ପାଇଁ ଡିଲେଶ୍ୱର ପିଏମ୍ ୟୁବା ମେଣ୍ଟରସିପ୍, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ, ଦେବଗିରି ଯୁବ ପୁରସ୍କାର, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବସହିତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ସଂପ୍ରତି ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୁଟେନପଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଆକାଶବାଣୀ ଭବାନୀପାଟଣାର ଉପସ୍ଥାପକ ଏବଂ ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନର ଆବାହକ ଅଛନ୍ତି। ପୁରସ୍କାର ଘୋଷଣା ପରେ ଡିଲେଶ୍ୱର ଏକାଡେମୀ, ବିଚାରକ ମଣ୍ଡଳୀ, ପ୍ରକାଶକ, ପାଠକ ଓ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, “ଏହି ପୁରସ୍କାର ମତେ ଆଗାମୀ ଦିନରେ ଆହୁରି ଭଲ ଲେଖିବା ପାଇଁ ଦୟିତ୍ୱମନସ୍କ କରିବ। ବିଚାରକମାନେ ଯେଉଁ ଆଶା ଓ ବିଶ୍ୱାସ ରଖି ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି, ତାହାକୁ ବଜାୟ ରଖିବାକୁ ଏବଂ ଓଡ଼ିଆ ସାହିତ୍ୟର ଅସ୍ମିତା ଓ ପ୍ରବହମାନ ଧାରାରେ ନିଜକୁ ସକ୍ରିୟ ରଖିବା ପାଇଁ ଚେଷ୍ଟା କରିବି”।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ

masiha

ଅପପୁଷ୍ଟି ରୋକିବା ପାଇଁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ଅଭିନବ ପ୍ରୟାସ 

masiha

ଅଗଷ୍ଟ ୧୬ ରୁ ଜିଲ୍ଲାବ୍ୟାପୀ ଡିଜିଟାଲ ଫସଲ ସର୍ବେକ୍ଷଣ  

masiha

Leave a Comment

error: Content is protected !!