ନୂଆ ଓ’ କ୍ରୀଡ଼ା ମହୋତ୍ସବ ଉଦ୍ଯାପିତ
କେନ୍ଦ୍ରାପଡ଼ା, ୨୦/୧୨: ଇନ୍ଦୁପୁରସ୍ଥିତ ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିରୂପା ମହାବିଦ୍ୟାଳୟରେ “ନୂଆ ଓ-ଯୁବ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଦୁଇଦିନିଆ କ୍ରୀଡ଼ା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । କଲେଜ୍ର ଅଧ୍ୟକ୍ଷ ପ୍ରଫେସର୍ ଅଭିଜିତ ବୋଷଙ୍କ ପୌରହିତ୍ୟରେ ଆୟୋଜିତ ଏହାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସୂଚନା ଓ ଲୋକ ସଂପର୍କ ବିଭାଗର କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୂଖ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥିମାନେ ଜୀବନରେ କ୍ରୀଡ଼ାର ଆବଶ୍ୟକତା ଉପରେ ମତବ୍ୟକ୍ତ କରି କହିଥିଲେ ଏହା କେବଳ ଶରୀରର ସୁସ୍ଥତା ପାଇଁ ଦରକାରୀ ନୁହେଁ ବରଂ ଶୃଙ୍ଖଳା, ଏକତା ଓ ବନ୍ଧୁତାର ଡୋରିରେ ବାନ୍ଧି ହୋଇ ରହିବାର ଏକ ମାଧ୍ୟମ । ଏହି କାର୍ଯ୍ୟକ୍ରମକୁ ନୋଡାଲ୍ ଅଫିସର୍ ଶ୍ରୀ ଅଶୋକ କୁମାର ନାୟକ, ଡକ୍ଟର ସଂଗ୍ରାମ କେଶରୀ ରାଉତ, ଭବାନୀ ପ୍ରସାଦ ପଣ୍ଡା ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀ ନିଗମାନନ୍ଦ ନାୟକ ପରିଚାଳନା କରିଥିଲେ । ଶାରୀରିକ ପ୍ରଶିକ୍ଷକ ଶ୍ରୀ ଜ୍ୟୋତିର୍ମୟ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଆଣିଛନ୍ତି “ନୂଆ ଓ’ – ଯୁବ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକ୍ରମ । ଏଥିରେ ସାମିଲ ଅଛି କ୍ରୀଡ଼ା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ।