ପାଣି ପମ୍ପ ଚୋରୀ ଅଭିଯୋଗରେ ୨ ଗିରଫ
ଡାବୁଗାଁ, ୨୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ପାଣି ପମ୍ପ ଚୋରୀ ଅଭିଯୋଗରେ ଗୁରୁବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରି ଫାଣ୍ଡି ଅଧୀନ ପରିଆ ଗ୍ରାମର ଗୟନ୍ଧୁ ଭତ୍ରା ଦୀପାବଳି ପରଦିନ ଗ୍ରାମ ପାଖ ଭାସ୍କେଲ ନଦୀ କୂଳରେ ଥିବା ନିଜ ଜମିକୁ ଯାଇଥିଲା | ସେଠାରେ ଯାଇ ଦେଖିଥିଲା ଯେ ଚାଷ ପାଇଁ ଥିବା ପାଣି ପମ୍ପ ଟି ଚୋରୀ ହୋଇଯାଇଛି | ଗୟନ୍ଧୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲା | ପରେ ପାଣି ପମ୍ପ ଚୋରୀ ହୋଇଥିବା ନେଇ ଗ୍ରାମବାସୀଙ୍କୁ ଜଣାଇଥିଲା | ପରେ ଜାଣିବାକୁ ପାଇଥିଲା ସେ ତାଙ୍କ ଗ୍ରାମ ପରିଆ, ପାଖ ଗ୍ରାମ ତୁରୁଞ୍ଜି ଓ ମାଝିଆ ଗ୍ରାମର ମଧ୍ୟ କିଛି ଲୋକ ଙ୍କ ପାଣି ପମ୍ପ ଚୋରୀ ହୋଇଛି | ଏନେଇ ଗୟନ୍ଧୁ ୮. ୧୨. ୨୦୨୩ ଦିନ ଡାବୁଗାଁ ଥାନାରେ ଏତଲା ଦେଇଥିଲା | ଉକ୍ତ ଏତଲାକୁ ଭିତ୍ତି କରି ଶିଂସାରି ଫାଣ୍ଡି ଅଧିକାରୀ ଶିଶିରକାନ୍ତ ଘୋଷ ଘଟଣାର ତଦନ୍ତ ଆରମ୍ଭ କରିଥିଲେ | ତଦନ୍ତ କରି ବୁଧବାର ରାତିରେ ନନ୍ଦପୁରା ଗ୍ରାମର ଗୋପୀ ପୂଜାରୀ ଓ ବଳିରାମ ବିନ୍ଧାଣି ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୭ଟି ପାଣି ପମ୍ପ ଜବତ କରାଯାଇଛି | ଗୁରୁବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୨୨୧/୨୩ ରେ ଏକ ମାମଲା ରୁଜୁ କରାଯାଇଛି |