ଖରାପ ରାସ୍ତା
ତୃପ୍ତି ରାଣୀ ପାତ୍ର
ଜୀବନର ପଥ ପ୍ରଶସ୍ତ ବିସ୍ତୃତ
ଲମ୍ବିଛି କେତେ ଯେ ଦୂର
ଦୂର ଦିଗ୍ ବଳୟରୁ ସ୍ୱପ୍ନାୟିତ
ବିବେକେ ସୁକର୍ମ କର ।
ପ୍ରଶାନ୍ତ ଚିତ୍ତରେ ଚାଲୁଥିଲେ ପଥ
ପ୍ରାଣ ଲଭଇ ସୁଶାନ୍ତ
ପ୍ରଶସ୍ତ ରାସ୍ତାର ଆସଇ ବିପଦ
ଦେହ ମନ କଣ୍ଟକିତ ।
ସଂକୀର୍ଣ୍ଣ ରାସ୍ତାରେ ଥାଏ ଖାଲଢିପ
ନଥାଏ ଯେ କିଛି ଦୁଃଖ
କଷ୍ଟେ ଚାଲୁଥିଲେ ସତ୍ପଥରେ ନିତ୍ୟ
ଆତ୍ମା ଲଭେ ସ୍ୱର୍ଗ ସୁଖ ।
ଖରାପ ରାସ୍ତାରେ ବନ୍ଧୁ ଯେ ଅନେକ
ଆହ୍ୱାନ କରନ୍ତି ଆସ
ଉତ୍ସାହ ମଧ୍ୟରେ ଘେରେ ତାମସିକ
ଲଭିବାକୁ ପ୍ରୀତି ରସ ।
ସର୍ବ ଯୁବପିଢି ଜ୍ଞାନ ଆହରଣେ
ଦିଶୁଥାନ୍ତି ଶାନ୍ତଶିଷ୍ଟ
ନିଶାଦ୍ରବ୍ୟେ ହଜି କାମାନଳେ ଯେହ୍ନେ
ହେଉଛନ୍ତି ପଥଭ୍ରଷ୍ଟ ।
ଖରାପ ରାସ୍ତାରେ ଅଗ୍ରସର ହେଲେ
ଫେରିବାକୁ ଲାଗେ କଷ୍ଟ
ଦୂର୍ଜନ ସଙ୍ଗତେ ଅନ୍ତରଙ୍ଗ କଲେ
ଜୀବନ ଦୁଃଖେ ପୂରିତ ।
ବିଭୁଙ୍କୁ ସୁମରି ସୁସଙ୍ଗ ଆଦରି
ପିତାମାତା ଆଜ୍ଞା ମାନି
ଚାଲୁଥିଲେ ପଥ ସୁଯଶ ସୁଖ୍ୟାତି
ଝରେ ସୁଧା ସଞିବନୀ ।