ପ୍ରକୃତିପ୍ରେମୀ ସନତ କୁମାର ସାହୁ ପାଇଲେ ପ୍ରକୃତି ମିତ୍ର ସମ୍ମାନ
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା (ହଜାରୀପଡା) ଗ୍ରାମର ସନତ କୁମାର ସାହୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି l ଭାରତ ସରକାର ଯୁବ ବ୍ୟାପାର କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଭବାନୀପାଟଣା ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ହୋଇଯାଇଛି l ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜିଲ୍ଲାର ୫ ଜଣ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରକୃତିବନ୍ଧୁ ଓ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରା ଯାଇଥିଲା l ସେଥି ମଧ୍ୟରୁ କୁଶୁର୍ଲା (ହଜାରୀପଡା) ଗାଁ ଗୌନ୍ତିଆ ସ୍ବର୍ଗତ ଅଣାକର ସାହୁ ଓ ସ୍ୱର୍ଗତ ଡାଳିମ୍ବ ସାହୁଙ୍କ ନାତି ଶ୍ରୀ ସନତ କୁମାର ସାହୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିଙ୍କ ନେତୃତ୍ୱରେ ଦୀର୍ଘ ୬ ବର୍ଷ ଧରି ନିଜ ଅଞ୍ଚଳରେ ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ସହଯୋଗରେ ପରିବେଶ, ସ୍ୱାସ୍ଥ୍ୟ ଓ ସମାଜରେ ବସବାସ କରୁଥିବା ସମସ୍ତ ବନ୍ୟଜନ୍ତୁ, ସରୀସୃପ ଓ ମନୁଷ୍ୟ ସମାଜ ପାଇଁ ଅତୁଳନୀୟ ଅବଦାନ ରହିଥିବାରୁ ତାଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି l