ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା – ସ୍ୱାର୍ଥପର

ସ୍ୱାର୍ଥପର

ଜୟ କୁମାର ମିଶ୍ର

 

କେତେ ସ୍ୱାର୍ଥପର, ଅଵିଵେକୀ ନର 

କଳ୍ପନାର ବହୁଦୂରେ, 

ସ୍ୱାର୍ଥ ସରିଲେଟି, ଅବୁଝା ହୁଏଟି 

ସମ୍ପର୍କକୁ ଛିନ୍ନ କରେ ll(1)

ସ୍ୱାର୍ଥ ଯଦି ଥାଏ, ପିଛା କରୁଥାଏ 

ଭାଟର ସଂଗୀତ ଗାଏ, 

ତାଳୁରୁ ତଳିପା,ପ୍ରଶଂସାରେ ଲେପା 

ନିତି ଦିନ ବୋଳୁଥାଏ ll (2)

ନାହିଁ ବେଳ କାଳ,ନାହିଁ ଦୁଃଖ କଷ୍ଟ 

ରୋଗଶୋକ ଅବିଚାର, 

ସ୍ୱାର୍ଥେ ହାଇଁଫାଇ,ପାଶ ଛାଡେ ନାହିଁ 

ନିଶହାୟେ ଲୁହ ଧାର ll(3)

କେତେ ଅଳଙ୍କାର, ଉପମାର ସ୍ତର 

ଦୁବକୁ କୁହନ୍ତି ଦାରୁ, 

ମୁଖ ପ୍ରଶଂସାରେ, ଗୁଣଗାନ କରେ 

କୁହନ୍ତି କେ ମହାମେରୁ ll(4)

ସେହି ଦୁଃଖୀ ଧନ, ରଂକୁଣି ରତନ 

ଆରତ ତାରଣ ପ୍ରଭୁ, 

ହରତା, କରତା, ଭାଗ୍ୟ ଓ ବିଧାତା

ନିଶ୍ୱାସ ପ୍ରଶ୍ୱାସ ସବୁ ll(5)

ସୁଆଇ ଖୁଆଇ, ବିଶ୍ରାମ ନଦେଇ 

ନିଜ କାମେ ଲାଗଇବେ, 

ଆଗେ ଗୁଣଗାନ ,ପଛେ ସଂଦିହାନ

କେତେ କଣ ଭାବୁଥିବେ ll(6)

ସମୟ ସରିଲେ, ବିପଦ ଟଳିଲେ 

ଅତୀତକୁ ଭୁଲିଯାଇ, 

ବାହାନା ଛଳନା,ସଂକୀର୍ଣ୍ଣ ଭାବନା 

ନିନ୍ଦୁକ ହୁଅନ୍ତି କେହି ll(7)

ଦୁଆର ନମାଡି, କିଏ ମୁହଁମୋଡି 

ବ୍ୟବଧାନ, ଗଢିଦିଏ, 

କେତେ ଗଢ଼ପୀଡ଼, ଅପବାଦ କୁଢ଼ 

ବୃଥା ପ୍ରଚାରକ କିଏ ll(8)

ଶୁଭ ଓ ଅଶୁଭେ, ବଇରୀ କରିବେ 

ଡକାହକା ହୁଏ ଇତି, 

ସରାଗ, ମରଇ, ସଦିଚ୍ଛା ହଜଇ 

ସରିଯାଏ ସବୁ ପ୍ରୀତି ll(9)

ଆପଣା ଦୋଷକୁ, କବର ଦେବାକୁ 

ଖୋଜେ କେହି ଗଳାବାଟ, 

ସଜ ମାଛଟିରୁ, କାଢିପୋକ ଭୀରୁ 

କରୁଥାଏ ହାଟ ନାଟ ll(10)

ନେବାର ଆନନ୍ଦ, ଦେବାରେ ନଥାଏ 

ସଂକୁଚିତ ହୁଏ ନିତି, 

ବାକ ଚାତୁରୀଟି ମlହାଳିଆ ଭେଟି

ଶ୍ରୁତିକୁ ମଧୁର ଅତି ll(11)

ସ୍ୱାର୍ଥର ଦୁନିଆଁ, ଲଗାଇଛି ନିଆଁ 

ମଣିଷ ପଣିଆ ଜାଳେ, 

ବିବେକ, ମହତ, ଜ୍ଞାନ ହିତାହିତ 

ଭସ୍ମିଭୂତ କରେ ବଳେ ll(12)

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ -ଗୋରିବନ୍ଧା, ମାଧ୍ୟମ -କାଶୀନଗର, ଜିଲ୍ଲା -ଗଜପତି 

ଓଡିଶା, 761206, 

 

Related posts

ପ୍ରତିମା ଶତପଥି ଙ୍କ କବିତା ଶୀତ ଆସିଛି

Sunil Chandra Nayak

କୁମ୍ଭାର ସମାଜକୁ ପୁନଃ ଅନୁସୂଚିତ ଜାତି ମାନ୍ୟତା ନେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଦାବିପତ୍ର 

Sunil Chandra Nayak

ମାମି ପାତ୍ର ଙ୍କ କବିତା ଅନ୍ଧାରକୁ ଦୂର କରି ଜାଳିବା ଆସ ଦୀପାବଳି

Sunil Chandra Nayak

Leave a Comment

error: Content is protected !!