ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋହନ ମାଝୀ ହେବେ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ, ଘୋଷଣା କଲା ବିଜେପି ,କେଭି ସିଂହଦେଓ, ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ

ମୋହନ ମାଝୀ ହେବେ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ, ଘୋଷଣା କଲା ବିଜେପି

କେଭି ସିଂହଦେଓ, ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ

ଦିନେ ଥିଲେ ସରପଞ୍ଚ, ଏବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ, ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୂରା ରାଜନୈତିକ କ୍ୟାରିୟର…

ନୂଆ ମୁଖ୍ୟମନ୍ତ୍ରୀ ପାଇଛି ଓଡିଶା । ମୋହନ ମାଝୀ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେଇଛି।ଏଥିସହ ପାଟଣାଗଡ ବିଧାୟକ କେଭି ସିଂହଦିଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ ହେବେ । ତେବେ ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତା ଥିଲେ ବି, ସମସ୍ତଙ୍କୁ ପଛରେ ପକାଇ ମୋହନ ମାଝୀ ବାଜି ମାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶା ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ମୋହନ ମାଝୀ । ୨୦୦୦, ୨୦୦୯, ୨୦୧୯ ଏବଂ ୨୦୨୪ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି । ତେବେ ଏହାପୂର୍ବରୁ ସେ ବିଧାନସଭାରେ ବିଜେପିର ମୁଖ୍ୟ ସଚେତକ ଥିଲେ, ଆଉ ଏବେ ବିଜେପି ସତ୍ତାକୁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଆଯାଇଛି ।

ଦିନେ ଥିଲେ ସରପଞ୍ଚ….

ମୋହନ ମାଝୀଙ୍କ ରାଜନୈତିକ କ୍ୟାରିୟର ଜଣେ ସରପଞ୍ଚ ଭାବେ ଆରମ୍ଭ ହେଇଥିଲା । ୧୯୯୭-୨୦୦୦ ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ ।

୨୦୦୦ ମସିହାରେ ପ୍ରଥମ ଥର ବିଧାୟକ…. 

ସୂଚନା ମୁତାବକ, ୨୦୦୦ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜଗଦିଶ ନାଏକଙ୍କୁ ୨୨,୧୬୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ଭାଙ୍ଗିବା ଯାଏଁ କାର୍ଯ୍ୟ କରିଥିଲେ ।

୨୦୦୪ ରେ ଲଗାତାର ଦ୍ୱିତୀୟ ଥର ବିଧାୟକ… 

ଏହାପରେ ୨୦୦୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୬,୧୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ମାଧବ ସରଦାରଙ୍କୁ ୧୧,୦୦୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

୨୦୦୯,୨୦୧୪ ନିର୍ବାଚନରେ ପରାଜୟ…

୨୦୦୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ପରାଜିତ ହେଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୯,୨୦୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଶୁଭମ ନାଏକ ତାଙ୍କୁ ୭,୨୬୯ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଧ୍ୟ ମୋହନ ମାଝୀ ପରାଜିତ ହେଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଅଭିରାମ ନାଏକ ତାଙ୍କୁ ୮,୬୭୬ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୯,୨୦୨୪ରେ ଲଗାତାର ବିଜୟ….

ଗତ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଏଥର ମଧ୍ୟ ସେ ସେହି ସମାନ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେଇଛନ୍ତି ।

୨୫ ବର୍ଷ ପରେ ଓଡିଶା ପାଇଲା ଉପ ମୁଖ୍ୟମନ୍ତ୍ରୀ: ଶେଷ ଉପମୁଖ୍ୟମନ୍ତ୍ରୀ ଥିଲେ ବସନ୍ତ ବିଶ୍ୱାଳ…..

୨୫ ବର୍ଷ ପରେ ଓଡିଶା ପୁଣି ପାଇଛି ଉପ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ନାଁ ଘୋଷଣା କରିଛି ବିଜେପି । ଓଡିଶାରେ ଶେଷଥର ପାଇଁ ୧୯୯୯ ମସିହାରେ ବସନ୍ତ ବିଶ୍ୱାଳ ଥିଲେ ଉପ ମୁଖ୍ୟମନ୍ତ୍ରୀ । ସେ ଓଡିଶାର ଶେଷ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ ।
ଓଡିଶା ଇତିହାସରେ ୩ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ନୀଳମଣୀ ରାଉତରାୟ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ସେହିପରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାଳରେ ହେମାନନ୍ଦ ବିଶ୍ୱାଳ ଓ ବସନ୍ତ ବିଶ୍ୱାଳ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ । ତେବେ ୨୫ ବର୍ଷ ପରେ ଏବେ ପୁଣି ଉପ ମୁଖ୍ୟମନ୍ତ୍ରୀ ପାଇଛି ରାଜ୍ୟ ।
ପ୍ରଭାତୀ ପରିଡା ଓ କେଭି ସିଂ ଦେଓଙ୍କୁ ଦଳ ଓଡିଶାର ଉପ ମୁଖ୍ୟମନ୍ତ୍ରୀ କରିଛି । ପ୍ରଭାତୀ ପରିଡା ୨୦୦୪ ମସିହାରୁ ରାଜନୀତିରେ ପାଦ ଥାପିଥିଲେ । ସେ ନିମାପଡା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୦୯ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ । ୨୦୧୪, ୨୦୧୯ରେ ବି ସେ ପରାଜିତ ହୋଇଥିଲେ । ଏତେ ଥର ନିର୍ବାଚନ ହାରିବା ପରେ ସେ ଦଳର ସକ୍ରିୟ ସଦସ୍ୟ ଭାବେ କାମ କରିଥିଲେ । ତେଣୁ ୨୦୨୪ରେ ବି ଦଳ ତାଙ୍କୁ ଭରସା କରି ଟିକେଟ ଦେଇଥିଲା ଆଉ ସେ ବିଜୟୀ ହୋଇଥିଲେ । ଆଉ ଜିତୁ ଜିତୁ ଦଳ ତାଙ୍କୁ ଉପହାର ସ୍ୱରୂପ ଉପ ମୁଖ୍ୟମନ୍ତ୍ରୀ ପଦ ଦେଇଛି ।
କେଭି ସିଂଦେଓ ଓଡିଶା ବିଜେପିର ଜଣେ ବରିଷ୍ଠ ନେତା । ସେ ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ୨୦୨୪ରୁ ୬ଥର ନିର୍ବାଚିତ ହୋଇଛନ୍ତି । ହେଲେ ୨୦୧୯ରେ ସେ ବିଜେଡିର ସରୋଜ ମେହେରଙ୍କଠାରୁ ପରାଜିତ ହୋଇଥିଲେ । ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୨୪ରେ ସେ ପାଟଣାଗଡ ଆସନରୁ ନିର୍ବାଚିତ ହୋଇଛନ୍ତି । ୨୦୦୪ରୁ ୨୦୦୯ ଯାଏଁ ବିଜେଡି-ବିଜେପି ମେଣ୍ଟ ସରକାର ଥିବା ବେଳେ କେଭି ସିଂ ଦେଓ କ୍ୟାବିନେଟ ମନ୍ତ୍ରୀ ରହିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁରରେ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ବିଜୟ ଓ ଶୁଭେଚ୍ଛା ଶୋଭାଯାତ୍ରା

masiha

କଂଗ୍ରେସ ଦଳରେ ମିଶିଲେ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରେଖା ରାଉତ

masiha

ଜଣାଶୁଣା ଚେହେରା ତଥା ପୂର୍ବତନ ସରକାରୀ କର୍ମଚାରୀ ଶ୍ରୀ ସୁରେଶ ସାସ୍ତ୍ରୀ ଭାରତୀୟ ଜନତା ପାର୍ଟି ହେଲେ ସାମିଲ 

masiha

Leave a Comment

error: Content is protected !!