ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଟ ପାଇଁ ଲୁହା ଓ ନିଆଁ ସହ ସଙ୍ଘର୍ଷ

ପେଟ ପାଇଁ ଲୁହା ଓ ନିଆଁ ସହ ସଙ୍ଘର୍ଷ

ନବରଙ୍ଗପୁର:(ତା ୧୧/୬/୨୪)(ରବି ନାରାୟଣମହାନ୍ତି)- ବୟସ ୬୩ ଡେଇଁଲାଣି । ଦେହରେ ମାଂସ ନାହିଁ,ଦେହ ସାରା ଖାଲି ହାଡ଼। ପରିବାର କହିଲେ ୮ ପ୍ରାଣୀ। ସ୍ତ୍ରୀ ,ଚାରି ପୁଅ ,ଦୁଇ ବୋହୁ ଓ ନାତି ନାତୁଣୀ କୁ ମିଶାଇ ଆଠ ଜଣ। ପରିବାରର ଆର୍ଥିକ ଆବଶ୍ୟକତା ଦୃଷ୍ଟିରୁ ଏବଂ ପେଟକୁ ଦାନା ଯୋଗାଡ କରିବା ପାଇଁ ଲୁହା ଓ ନିଆଁ ସହ ସଙ୍ଘର୍ଷ କରୁଛନ୍ତି ଏହି ବୃଦ୍ଧ ବୟସରେ। ସେ ହେଉଛନ୍ତି ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ରାମ ପୁରିଆଗୁଡ଼ା ର ଡମୁ ଖମାର। ଏହି ବୟସରେ ମଧ୍ୟ ହାର ମାନି ନାହାନ୍ତି ଡ଼ମୁ। ଦୃଢ ମନୋବଳ ଓ ଇଛାଶକ୍ତି ଆଗରେ ବାର୍ଦ୍ଧକ୍ୟ ହାର ମାନିଛି। ସନ୍ତାନ ମାନଙ୍କ ଉପାର୍ଜନରେ ଜୀବିକା ନିର୍ଭର କରିବା ପରିବର୍ତ୍ତେ ଚୁପ୍ ହୋଇ ନବସି ଲୁହା ନିଆଁ ରେ ସିଝି ପେଟ ପାଇଁ ଏହି ବୃତ୍ତିରେ ଦାନା ଯୋଗାଡ କରୁଛନ୍ତି ଡ଼ମୁ। ଡ଼ମୁଙ୍କ ପୈତୃକ ସଂପତ୍ତି କହିଲେ ୩ ଏକର ଚାଷ ଜମି ରହିଥିବା ବେଳେ ସେଇଥିରେ ପରିବାର ପ୍ରତିପୋଷଣ କରିବା ଆଦୌ ସମ୍ଭବ ନୁହେଁ। ପୁଅ ବୋହୂ କୁଲି ମଜୁରୀ କରି ଆପଣା ଆପଣା ଘର ସଂସାର ବୁଝିଥିବା ବେଳେ ଘରର ମୂରବୀ ଭାବେ ଯଥା ସାହାଯ୍ୟ ପରିଶ୍ରମ କରି ଦାଇତ୍ୱ ତୁଲାଉଛନ୍ତି ବୃଦ୍ଧ ଡମୁ। ଗ୍ରୀଷ୍ମର ପ୍ରବଳ ଗରମରେ ମଧ୍ୟ ନିଆଁ ସହ ଖେଳି ଅର୍ଥ ରୋଜଗାର କରିଥାନ୍ତି ଡ଼ମୁ। ବର୍ଷାର ଆଗମନ ପୂର୍ବରୁ ଚାଷ କରିବା ପାଇଁ ଲୋକେ ନିଜ ନିଜ ଚାଷ ଜନିତ ଲୁହା ସାମଗ୍ରୀ କମାର ନିକଟକୁ ଆଣିଥାନ୍ତି ଧାର ଓ ତୀକ୍ଷ୍ମ କରିବାକୁ। ଏହି ସମୟରେ ଅଧିକ ଭିଡ଼ କାମ ଆସିଥାଏ କମାର ନିକଟରେ। ହଳ ଲଙ୍ଗଳ ଲୁହା,ଟାଙ୍ଗିଆ,କୋଦାଳ,ଇଲା,କୁରାଢି,ଛୁରୀ ଆଦିରେ ଧାର ଭରିବାକୁ ଲୋକେ ଡ଼ମୁଙ୍କ ନିକଟକୁ ଲୁହା ସାମଗ୍ରୀ ଧରି ଆସିଥାନ୍ତି। ବଜାରରୁ ଲୁହା କିଣି ତାକୁ ବାନାଇଥାନ୍ତି ବିଭିନ୍ନ ଆବଶ୍ୟକ ଜିନିଷ। କୁରାଡ଼ି ଗୋଟିଏ ୫ ଶହ,ଟାଙ୍ଗିଆ ୩ ଶହ,କୋଦାଳ ୩ ଶହ,ଇଲା ଶହେ ରୁ ଦେଢ଼ଶହ, ଲଙ୍ଗଳ କସନା ୩ ସହ ଓ ଛୁରୀ ପନକି ଶହେ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରି ଥାଆନ୍ତି। ଆଧୁନିକ କୃଷି ଯନ୍ତ୍ରପାତି ବଜାରରେ ପ୍ରବେଶ ପରେ ମଧ୍ୟ ଗ୍ରାମାଞ୍ଚଳ ଓ ପୁର ପଲ୍ଲୀ ରେ ଆଜିବି ଗରିବ ଶ୍ରେଣୀ ଲୋକେ ଚାଷ କାର୍ଯ୍ୟରେ ଏହି ପାରମ୍ପାରିକ ହସ୍ତ ନିର୍ମିତ କୃଷି ଲୌହ ସାମଗ୍ରୀ ର ଚାହିଦା ଅଧିକ ରହିଥିବା ଦେଖିବାକୁ ମିଳୁଛି। ଉତ୍ତରାଧିକାରୀ ଭାବେ ପାଇଥିବା ଏହି କମାର ବୃତ୍ତିରୁ ପରିବାରର ଆର୍ଥିକ ଆବଶ୍ୟକତା କୁ ଡମୁ ଲୁହା ଓ ନିଆଁ ସହ ସଙ୍ଘର୍ଷ କରି ଉପାର୍ଜନ କରୁଛନ୍ତି। ତାଙ୍କର ଏହି କାର୍ଯ୍ୟରେ ସ୍ତ୍ରୀ ଓ ପିଲାମାନେ ସହଯୋଗ କରି ଆସୁଛନ୍ତି। ପିଲାଟି ବେଳରୁ କଷ୍ଟ କରି ଉପାର୍ଜନ କରିବା ତାଙ୍କର ଦେହସୁହା ହୋଇଗଲାଣି। ବସି ଖାଇବା ବୟସରେ ମଧ୍ୟ ମନ ମାନୁନାହିଁ। ନିପୂଣ କାର୍ଯ୍ୟ ଜାଣିଥିବା ବୃଦ୍ଧ ଜଣକ ଚୁପ୍ ହୋଇ ବସିରହି ପାରୁ ନାହାଁନ୍ତି। ନିକଟସ୍ଥ ଜଙ୍ଗଲରୁ କାଠ ଅଙ୍ଗାର ଆଣି ନିଆଁ ସହ ଲୁହା ପିଟି ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ଆଞ୍ଚଳିକ କୃଷିଭିତ୍ତିକ ଲୁହା ଉପକରଣ। ଜରାଜୀର୍ଣ୍ଣ କ୍ଷୀଣ ଶରୀର ମଧ୍ୟରେ ଦେଖିବାକୁ ମିଳୁଛି ଡମୁ କମାରଙ୍କ କାରିଗରୀ ଓ ଶାରୀରିକ ସାମର୍ଥ୍ୟ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

Sunil Chandra Nayak

ବିନା ଶିକ୍ଷକ ନିଯୁକ୍ତିରେ ସ୍କୁଲ ଅପଗ୍ରେଡେସନ୍

masiha

କୋଡିଙ୍ଗାମାଳି ଖଣି ପ୍ରଭାବିତ ଗ୍ରାମଗୁଡ଼ିକରେ ଜିଲ୍ଲାପାଳଙ୍କ ଦୁଇଦିନର ଗସ୍ତ : ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଲୋକଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!