ବିଷାକ୍ତ ସାପ କାମୁଡାରେ ଯୁବକ ମୃତ
ଡାବୁଗାଁ, ୨୪/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଉମୁରାହାଣ୍ଡି ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ମଙ୍ଗଳବାର ରାତ୍ରିରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଉମୁରହାଣ୍ଡି ଗ୍ରାମର ଦେବୀସିଂ ଭତ୍ରା (୩୧) ମଙ୍ଗଳବାର ସକାଳ ୮ ଘ. ସମୟରେ ନିଜ ଜମିକୁ ହିଡ ସଜାଡିବାକୁ ଯାଇଥିଲେ | ଜମିରେ ହିଡ ସଜାଡୁଥିବା ସମୟରେ ଦେବୀସିଂଙ୍କ ଡାହାଣ ଗୋଡ ପାଦରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା | ଦେବୀସିଂ ଜମିରୁ ଘରକୁ ଆସି ପରିବାର ଲୋକ ଙ୍କୁ ସାପ କାମୁଡି ଥିବା କହିଥିଲେ | ସଙ୍ଗେ ସଙ୍ଗେ ପରିବାର ଲୋକେ ଦେବୀସିଂ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ଅପରାହ୍ନରେ ଦେବିସିଂଙ୍କ ମୃତ୍ୟୁ ଘଟିଥିଲା | ଏନେଇ ମୃତକର ସାନ ଭାଇ ଗୋପାଳ ଭତ୍ରା ମଙ୍ଗଳବାର ରାତ୍ରିରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ବୁଧବାର ସକାଳେ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |
ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ


