ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା, ରକ୍ତରେ ରଞ୍ଜିତ ହେଲା ଦେବୀ ପୀଠ

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା, ରକ୍ତରେ ରଞ୍ଜିତ ହେଲା ଦେବୀ ପୀଠ

କୋକସରା,୨୧/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଠର ନାଲା ନିକଟରେ ଥିବା ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କ ବାର୍ଷିକ ଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜନଶ୍ରୁତି ଅନୁସାରେ ଦେବୀଙ୍କୁ ଛତିଶଗଡ଼ ରାଜ୍ୟ ଦେନ୍ତେୱାଡା ଅଞ୍ଚଳରୁ ଅବସ୍ଥାପିତ କରାଯାଇଥିବା ବେଳେ ଦେବୀଙ୍କ ପୂଜାର୍ଚ୍ଚନା ପରେ ଦେବୀଙ୍କ ଛତ୍ରଛାୟାରୁ ଅଞ୍ଚଳ ବାସୀ ମାନେ ସୁସ୍ଥ ଜୀବନ ଯାପନ କରିବା ସହ ରୋଗ ଶୋକରୁ ମୁକ୍ତ ହୋଇ ଦେବୀଙ୍କ ଛାତ୍ରଛାୟାରେ ସୁଖ ଶାନ୍ତିରେ ବସବାସ କରୁଥିବା କୁହନ୍ତି । ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ପରେ ପଡୁଥିବା ଶେଷ ମଙ୍ଗଳବାର ଦିନ ଦେବୀ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜା କରାଯାଏ । ଡଙ୍ଗର ଯାତ୍ରା ନାମରେ ନାମିତ ଏହି ପର୍ବରେ ଗ୍ରାମବାସୀ ମାନେ ମିଳିତ ଭାବେ କାଳିସୀ ଓ ଗ୍ରାମ ପୁଝାରୀଙ୍କ ଗହଣରେ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ୩ କିମି ରାସ୍ତା ଚାଲିଚାଲି କାଳିସୀ ଓ ଲାଠି ଯାତ୍ରାରେ ବାହାରି ଜଙ୍ଗଲ ମଧ୍ୟରେ ଥିବା ଦେବୀଙ୍କ ଆସ୍ଥାନରେ ପହଞ୍ଚି ପୂର୍ବ ନିର୍ଦ୍ଧାରିତ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି । ଜଙ୍ଗଲ ପରିବେଶ ମଧ୍ୟରେ ଥିବା ଦେବୀଙ୍କ ମନ୍ଦିରରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ଶୁକ୍ଳ ଭୋଗ ସହ କୁକୁଡ଼ା ବୋଦା ବଳି ଦେଇ ନିଜର ମାନସିକ ପୁରଣ କରନ୍ତି । ଜନଶ୍ରୁତି ଅନୁସାରେ ଦଣ୍ଡପାଟ ଅଞ୍ଚଳର ଦେବୀ ଦଣ୍ଡ ପାଟିଆଣୀ ଏଠାରେ ପ୍ରଥମେ ପୂଜା ପାଉଥିବା ବେଳେ ଏହି ଡଙ୍ଗର ଯାତ୍ରା ପରେ ଦଣ୍ଡପାଟ ଅଞ୍ଚଳର ଲୋକମାନେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଏହି ଡଙ୍ଗର ଯାତ୍ରାରେ ଶତାଧିକ ମାନସିକ ଧାରୀମାନେ ମାଙ୍କ ନିକଟରେ ଶୁକ୍ଳ ଭୋଗ ସହ ପାରା, କୁକୁଡା ଓ ବୋଦା ବଳି ଦେଇ ନିଜର ମାନସିକ ପୂରଣ କରୁଥିବା ବେଳେ ପଶୁପକ୍ଷୀଙ୍କ ରକ୍ତରେ ଦେବୀଙ୍କ ପୀଠ ରକ୍ତରଞ୍ଜିତ ହୋଇପଡେ । ପଡୋଶୀ ରାଜ୍ୟ ଛତିଶିଗଡ, ବସ୍ତର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରୁ ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାକୁ ଆସି ନିଜର ମାନସିକ ପୂରଣ ସହ ମାଙ୍କୁ ଦର୍ଶନ କରିଥାନ୍ତି।ଆଜି ଆୟୋଜିତ ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି ଡଙ୍ଗର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ମା ଘାଟି ମୁଣ୍ଡିଆଣି ଙ୍କ ଯାତ୍ରା କମିଟିର ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ୱରେ ଗୋତୋମୁଣ୍ଡା ଗ୍ରାମର ଦେବୀ ଙ୍କ ମୁଖ୍ୟ ପୁଜକ ମନହର ପୁଝାରି, ଶିରା ଅଖିଳ ଚନ୍ଦ୍ର ମାଝୀ,ଦେବିସିଂ ମାଝୀ, ରୋମାଞ୍ଚଳ ପୁଝାରି, ରାମଚନ୍ଦ୍ର ପୁଝାରି, ସହଦେଵ ପୁଝାରି, ପରମାନନ୍ଦ ମାଝୀ, ତ୍ରିନାଥ ମାଝୀ, ଡିଙ୍ଗର ମାଝୀ ଓ ଗ୍ରାମ୍ୟ କମିଟି ପକ୍ଷରୁ ବଳରାମ ମାଝୀ, ପୁର୍ଣ୍ଣଚନ୍ଦ୍ର ନାଏକ, ରତନ ମାଝୀ, ଦୁଶ ପୁଝାରି, କୃତି ହଂସ, ପାର୍ଥବ ମାଝୀ, ବଳିଆର ସିଂ ମୋରେଇ, ତ୍ରିଲୋଚନ ହଂସ ପ୍ରମୁଖ ଉପସ୍ଥିତ ରହି ଡ଼ଙ୍ଗର ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ମାନସିକ ଧାରି ଶ୍ରଦ୍ଧାଳୁ ମାନେ ମାଙ୍କ ପାଖରେ ଶୁକ୍ଲଭୋଗ ସହ ରକ୍ତଭୋଗ ଅର୍ପଣ କରି ନିଜର ମାନସିକ ପୁରଣ କରିଥିଲେ ଓ ମନ୍ଦିର ପରିସରରେ ଥିବା ଜଙ୍ଗଲ ମଧ୍ୟରେ ମାଙ୍କ ପ୍ରସାଦ ସେବନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୋତୋମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ଆଇଆରବି ଜବାନ ମାନେ ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ ହୋଇଥିଲେ ।

ମସିହା ନ୍ୟୁକ୍ ସର୍ଭିସ୍ 

Related posts

କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

Sunil Chandra Nayak

ଚିଲିକା ମା, କାଳିଜାଇ ପୀଠରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଜାଗର ଯାତ୍ରା

Sunil Chandra Nayak

ଡାବୁଗାଁ ର ବିଭିନ୍ନ ବିଦ୍ୟାଳୟରେ ମାଁ ସରସ୍ଵତୀ ପୂଜା ପାଳନ 

masiha

Leave a Comment

error: Content is protected !!